ନୂଆଦିଲ୍ଲୀ ୩।୫: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଡିଟେଡ୍ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ଆରମ୍ଭ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମ ଗିରଫ କରିଛି। ଦିଲ୍ଲୀ ପୋଲିସ ଏଡିଟେଡ ଭିଡିଓ ପ୍ରକରଣରେ ଅରୁଣ ରେଡ୍ଡୀ ନାମକ ବ୍ୟକ୍ତିକୁ ଗିରଫ କରିଛି। ପୋଲିସ କହିବା ମୁତାବକ ଅରୁଣ ‘ସ୍ପିରିଟ୍ ଅଫ କଂଗ୍ରେସ’ ନାମରେ ଟ୍ୱିଟର ଆକାଉଣ୍ଟ ଚଳାଉଛନ୍ତି।
ସୂଚନା ଅନୁସାରେ ଅରୁଣ ରେଡ୍ଡୀ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସୋସିଆଲ ମିଡିଆ ସେଲ ନ୍ୟାସନାଲ କୋଅର୍ଡିନେଟର ଅଟନ୍ତି। ରେଡ୍ଡୀଙ୍କ ବିରୋଧରେ ତାଙ୍କ ମୋବାଇଲରୁ ପ୍ରମାଣ ହଟାଇବାର ମଧ୍ୟ ଅଭିଯୋଗ ରହିଛି। ଏଣୁ ତାଙ୍କ ମୋବାଇଲ ଫୋନକୁ ଫରେନସିକ୍ ଯାଞ୍ଚ ନିମନ୍ତେ ପଠାଯିବ ବୋଲି ଜଣାପଡିଛି। ଅରୁଣ ରେଡ୍ଡୀଙ୍କୁ ପୋଲିସ ଦିଲ୍ଲୀରୁ ଗିରଫ କରିଛି ତାଙ୍କୁ ଶନିବାର କୋର୍ଟରେ ହାଜର କରାଯିବ। ଦିଲ୍ଲୀ ପୋଲିସ କୋର୍ଟରେ ଅମିତ ଶାହଙ୍କ ଏଡିଟେଡ ଭିଡିଓ ମାମଲାରେ ଅରୁଣ ରେଡ୍ଡୀଙ୍କ ଭୂମିକା ସମ୍ପର୍କରେ ସୂଚିତ କରିବ ଏହା ସହିତ ପୋଲିସ ତାଙ୍କୁ ରିମାଣ୍ଡରେ ନେବାକୁ ଉଦ୍ୟମ କରିବ ବୋଲି ଜଣାପଡିଛି।
କଂଗ୍ରେସ ନେତା ମନିକମ ଟାଗୋର ଶୁକ୍ରବାର କହିଛନ୍ତି ଯେ ଦିଲ୍ଲୀ ପୋଲିସ କୌଣସି ସୂଚନା ଅଥବା ଏଫଆଇଆର ବିନା ଅରୁଣ ରେଡ୍ଡୀଙ୍କୁ ଗିରଫ କରିବାର ଇତି ମଧ୍ୟରେ ୨୪ ଘଣ୍ଟା ବିତିଗଲାଣି। ଏଣୁ ଆମେ ତାଙ୍କର ତତ୍କାଳ ମୁକ୍ତି ଦାବି କରୁଛୁ। ସେ ଏ ନେଇ ଏକ୍ସରେ ପୋଷ୍ଟ କରିଥିବା ବେଳେ କ୍ଷମତାର ଦୂରୁପଯୋଗ ନିନ୍ଦନୀୟ ବୋଲି କହିଛନ୍ତି। ହାଇଦ୍ରାବାଦ ପୋଲିସ ଶୁକ୍ରବାର କହିଛି ଯେ ଏହି ମାମଲାରେ ତେଲେଙ୍ଗାନା କଂଗ୍ରେସ ପାର୍ଟିର ୫ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା। ତେବେ ସ୍ଥାନୀୟ କୋର୍ଟ ସେମାନଙ୍କୁ ଜାମିନରେ ଛାଡି ଦେଇଛନ୍ତି।