ନୂଆଦିଲ୍ଲୀ ୧୪।୫: ମୁଶଳଧାର ବର୍ଷାରେ ରାଜଧାନୀ ଦିଲ୍ଲୀ ଏବେ ଅସ୍ତବ୍ୟସ୍ତ। ବିଭିନ୍ନ ସ୍ଥାନରେ ପାଣି ଭରିଯିବା ଯୋଗୁ ରାସ୍ତାରେ ଦୀର୍ଘ ଜାମ ଲାଗୁଥିବା ବେଳେ ଦକ୍ଷିଣ ଦିଲ୍ଲୀ କାଲକାଜୀ ଅଞ୍ଚଳରେ ଗଛ ପଡିଯିବା ଯୋଗୁ ଜଣକର ମୃତ୍ୟୁ ହୋଇଛି। ବର୍ଷା ଲାଗି ରହିଥିବା ବେଳେ ଏକ ବିଶାଳକାୟ ଗଛ ରାସ୍ତା ଉପରକୁ ଉପୁଡି ପଡିଥିଲା। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଏକ ବାଇକ୍ ଉପରେ ଗଛ ପଡିବାରୁ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି।
ତେବେ ରାସ୍ତାରେ ଯାତାୟାତ ସୁଗମ କରିବା ଲାଗି କ୍ରେନ ଲଗାଇ ଗଛକୁ ହଟାଇ ଦିଆଯାଇଛି। ଗଛ ପଡିଯିବା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ସୁଧୀର କୁମାର ଭାବେ ଚିହ୍ନଟ କରାଯାଇଥିବା ବେଳେ ତାଙ୍କ ସହ ଆହତ ହୋଇଥିବା ଯୁବତୀ ପ୍ରିୟା ତାଙ୍କ ଝିଅ ବୋଲି ଜଣାପଡିଛି। ପ୍ରିୟା ଏବେ ହସ୍ପିଟାଲରେ ଅଛନ୍ତି। ଏଥି ମଧ୍ୟରେ ଦିଲ୍ଲୀରେ ବର୍ଷାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀ ମାର୍ଲେନା ଗଛପଡିବା ଯୋଗୁ ମୃତ୍ୟୁ କୁ ନେଇ ପିଡବ୍ଲୁଡି ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ଇସ୍ତଫା ଦାବି କରିଛନ୍ତି।
କାଲକାଜୀ ହଂସରାଜ ସେଠୀ ମାର୍ଗରେ ଗଛପଡିବା ଘଟଣାରେ ଆତିଶୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଉଲ୍ଲେଯୋଗ୍ୟ ଯେ ଦିଲ୍ଲୀ ଏନସିଆରରେ ଗୁରୁବାର ସକାଳଠାରୁ ଭୀଷଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଆଇଟିଓ, ମଥୁରା ରୋଡ, ରିଂ ରୋଡ, ଗୁରୁଗ୍ରାମ ଓ ନୋଏଡା କନେକ୍ଟିଭିଟି କ୍ଷେତ୍ରର ଅନେକ ଅଞ୍ଚଳରେ ବର୍ଷାପାଣି ଭରି ଯାଇଛି। ତଳିଆ ଅଞ୍ଚଳ ପରିସ୍ଥିତି ଆହୁରି ଜଟିଳ ହୋଇପଡିଛି। ଏଥିରେ ଟ୍ରାଫିକ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନର ସୂଚନା ଦିଆଯାଇ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି।
ସେହିପରି ଦକ୍ଷିଣ ପଶ୍ଚିମ ଦିଲ୍ଲୀ ବସନ୍ତ ବିହାରରେ ଗୁରୁବାର ଅପରାହ୍ନରେ କାନ୍ଥ ଭୁଶୁଡି ପଡିବାରୁ ୨ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁସାରେ ଅପରାହ୍ନ ୪ଟା ୪୪ ମିନିଟରେ ବସନ୍ତ ନଗର ହନୁମାନ ମନ୍ଦିର ନିକଟରେ କାନ୍ଥ ଭୁଶୁଡିବାର ଖବର ମିଳିଥିଲା। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରାଣ ହରାଇଥିବା ପିଲା ଦୁଇଜଣ ବିହାରର ବୋଲି ଜଣାପଡିଛି। ଏଥିରେ ଜଣକର ବୟସ ୧୦ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୯ ବୋଲି ପୋଲିସ କହିଛି। ଭୁଶୁଡି ପଡିଥିବା କାନ୍ଥଟି ଦିଲ୍ଲୀ ବିକାଶ ପ୍ରାଧିକରଣର ଥିଲା। ଘଟଣା ବେଳେ ପିଲା ଦୁଇ ଜଣ କାନ୍ଥ କଡରେ ଥିବା ସିଡିରେ ବସିଥିଲେ।