ବାରଣାସୀ ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସର ଚାଞ୍ଚଲ୍ୟକର ଦାବି, ଜାଣନ୍ତୁ କହିଛି କ'ଣ?

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ ୧୪।୮: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ମାସେ ହେଲା କେନ୍ଦ୍ରରେ ଗଠିତ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ନକଲୀ ଭୋଟରଙ୍କ ବଳରେ ନିର୍ବାଚନ ଜିତିଥିବା ଦାବି କରିଆସୁଛନ୍ତି। ରାହୁଲ ଗାନ୍ଧି ଏହାକୁ ‘ଭୋଟ ଚୋରି’ବୋଲି କହି ନା କେବଳ ବିଜେପି ବରଂ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ଭୂମିକା ଉପରେ ପ୍ରଶ୍ନ କରୁଛନ୍ତି। ସେ ତାଙ୍କ ଦାବିକୁ ସତ୍ୟ ସାବ୍ୟସ୍ତ କରିବା ପାଇଁ ଅନେକ ତଥ୍ୟ ଓ ପ୍ରମାଣ ମଧ୍ୟ ଉପସ୍ଥାପନ କରୁଛନ୍ତି। 

କେବଳ ରାହୁଲ ଗାନ୍ଧି ନୁହନ୍ତି ତାଙ୍କ ସହିତ ପୁରା ‘ଇଣ୍ଡି ମେଣ୍ଟ’ ଏହି କଥିତ ଭୋଟ ଚୋରୀ ପ୍ରସଙ୍ଗରେ ଶାସକ ଦଳଙ୍କ ବିପକ୍ଷରେ ଏବେ ଆକ୍ରମକ ହୋଇ ଉଠିଛନ୍ତି। ସେମାନେ ଏବେ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଭୋଟରେ କଥିତ ହେରାଫେରିର ତଦନ୍ତ ଦାବି କରୁଛନ୍ତି। ଏହା ଛଡା ବିହାରରେ ଚାଲିଥିବା ଭୋଟର ଲିଷ୍ଟ ରିଭିଜନ (ଏସଆଇଆର) ରଦ୍ଦ କରିବା ପାଇଁ ଜୋରସୋରରେ ଦାବି କରୁଛନ୍ତି। ଏଥି ମଧ୍ୟରେ ଏଆଇସିସି ମିଡିଆ ଓ ପବ୍ଲିସିଟି ବିଭାଗ ଚେୟାରମ୍ୟାନ ପବନ ଖେଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସିଧା ଆକ୍ରମଣ କରି ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି।


ଖେଡ଼ା କହିଛନ୍ତି ଯଦି ବିଜେପି ପାଖରେ ଇଲେକ୍ଟ୍ରୋନିକ ଡାଟା ଅଛି ଆମକୁ ବି ବାରଣାସୀ ଭୋଟର ଲିଷ୍ଟର ପେନ ଡ୍ରାଇଭ ଦରକାର। ଯଦି ଆମକୁ ବାରଣାସୀର ଇଲେକ୍ଟ୍ରିକ୍ ଭୋଟିଂ ଲିଷ୍ଟ ମିଳେ ଏଥିରୁ ସ୍ପଷ୍ଟ ହୋଇଯିବ ଭୋଟ ଗଣନା ଦିନ ପ୍ରଧାନମନ୍ତ୍ରୀଙ୍କୁ ନକଲୀ ଭୋଟରଙ୍କ ‘ବୁଷ୍ଟର ଡୋଜ୍’ ମିଳିଥିଲା କି ନାହିଁ। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପବନ ଖେଡା ପ୍ରଧାନମନ୍ତ୍ରୀ ବାରଣାସୀରେ ନିର୍ବାଚନ ହାରୁଥିଲେ, ହେଲେ ନକଲୀ ଭୋଟରଙ୍କ ଏକ ବୁଷ୍ଟର ଡୋଜ୍ ତାଙ୍କ ବିଜୟର ମାର୍ଗକୁ ପ୍ରଶସ୍ତ କରିଦେଇଥିଲା ବୋଲି କହିଛନ୍ତି।  


ଖେଡା କହିଛନ୍ତି ଯେ ‘ଆମକୁ ଯଦି ବାରଣାସୀ ଇଲେକ୍ଟ୍ରୋନିକ୍ ଭୋଟର ଲିଷ୍ଟ ମିଳିଯାଏ ,ଆମେ ପ୍ରମାଣିତ କରିଦେବୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କ ଆସନ ଚୋରାଇ ଏହାକୁ ଅକ୍ତିଆର କରିଛନ୍ତି’। ସେ କହିଛନ୍ତି ଯେ ବିଜେପି କହୁଛି ରାହୁଲ ଗାନ୍ଧିଙ୍କ ଦେଶର ସଂସ୍ଥାଙ୍କ ଉପରେ ଭରସା ନାହିଁ, ତେବେ ଗତକାଲି ଅନୁରାଗ ଠାକୁର କ’ଣ ଦେଶର ସଂସ୍ଥାଙ୍କ ଉପରେ ତାଙ୍କର ଭରସା ପ୍ରଦର୍ଶନ କରିଥିଲେ? ବୋଲି ସେ ପ୍ରଶ୍ନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.