ଚେନ୍ନାଇ: ଡିଗ୍ରୀ ହାସଲ କଲେ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କଠୁ ଡିଗ୍ରୀ ନେବାକୁ ବା କାହାର ସ୍ଵପ୍ନ ନ ଥାଏ। ହେଲେ ତାମିଲନାଡ଼ୁରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ରାଜ୍ୟପାଳଙ୍କଠୁ ନିଜର ଡିଗ୍ରୀ ନେବାକୁ ମନା କଲେ ଛାତ୍ରୀ। ତାମିଲନାଡ଼ୁର ମନୋନମନିୟମ ସୁନ୍ଦରନାର ୟୁନିଭର୍ସିଟିର ୩୨ତମ ଦୀକ୍ଷାନ୍ତ ସମାରାେହରେ ପିଏଚଡି ସ୍କଲାର ଛାତ୍ରୀ ଜିନ ଯୋଶେଫ ରାଜ୍ୟପାଳ ଆରଏନ ରବିଙ୍କଠୁ ନିଜର ଡିଗ୍ରୀ ନେବାକୁ ମନା କରି ଦେଇଛନ୍ତି। ସେ ମଞ୍ଚ ଉପରେ ରାଜ୍ୟପାଳଙ୍କ ପରିବର୍ତ୍ତେ ୟୁନିଭର୍ସିଟିର କୁଳପତି ଏନ ଚନ୍ଦ୍ରଶେଖରଙ୍କଠୁ ଡିଗ୍ରୀ ଗ୍ରହଣ କରିଛନ୍ତି।
ନିଜର ଡିଗ୍ରୀ ନେବା ପରେ ଜିନ କହିଛନ୍ତି, ରାଜ୍ୟପାଳ ତାମିଲନାଡ଼ୁ ଓ ତାମିଲଙ୍କ ବିରୋଧରେ କାମ କରୁଛନ୍ତି। ଏଥିପାଇଁ ମୁଁ ତାଙ୍କଠୁ ଡିଗ୍ରୀ ନେବାକୁ ଚାହୁଁ ନ ଥିଲି। ଏହା ବଦଳରେ ମୁଁ କୁଳପତିଙ୍କଠୁ ନିଜର ଡିଗ୍ରୀ ଗ୍ରହଣ କଲି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଜିନ ଯୋଶେଫ ନିଜର ଡିଗ୍ରୀ ନେବା ପାଇଁ ମଞ୍ଚକୁ ଯାଉଛନ୍ତି। ପ୍ରଥମେ ରାଜ୍ୟପାଳ ଆରଏନ ରବି ତାଙ୍କୁ ହାତରେ ଇସାରା କରି ଫଟୋ ଉଠାଇବାକୁ କହୁଛନ୍ତି, ମାତ୍ର ଜିନ ସେଠାରେ ନ ଅଟକି ଆରଏନ ରବିଙ୍କ ପାଖରେ ଛିଡ଼ା ହୋଇଥିବା କୁଳପତିଙ୍କ ନିକଟକୁ ଯାଇ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ଏହା ସହିତ କୁଳପତିଙ୍କଠୁ ଡିଗ୍ରୀ ଗ୍ରହଣ କରୁଛନ୍ତି।
PhD student refuses to receive her doctorate from the TN Governor #RNRavi at the convocation.
— Mugilan Chandrakumar (@Mugilan__C) August 13, 2025
Manonmaniam Sundaranar Uni PhD student Jean Joseph has refused to receive her Doctorate from the Governor stating that he is acting against the #Tamil language and Tamil people. pic.twitter.com/FNzSRBeB60
ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଏହା ବର୍ତ୍ତମାନ ରାଜନୈତିକ ରୂପ ନେବାରେ ଲାଗିଛି। ଜିନ ଯୋଶେଫ ହେଉଛନ୍ତି ନାଗରକୋଲି ଡେପୁଟୀ ସେକ୍ରେଟାରୀ ତଥା ଡିଏମକେ ନେତା ଏମ ରାଜନଙ୍କ ପତ୍ନୀ। ଉଲ୍ଲେଖନୀୟ ରାଜ୍ୟପାଳ ଆରଏନ ରବି ଏବଂ ତାମିଲନାଡୁ ସରକାର ଅନେକ ଥର ମୁହାଁମୁହିଁ ହୋଇ ସାରିଛନ୍ତି। ଅତୀତରେ ସେ ରାଜ୍ୟ ସରକାରଙ୍କ ଅନେକ ବିଧେୟକକୁ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି।
ଅନ୍ୟପଟେ ଏପ୍ରିଲ ମାସରେ ରାଜ୍ୟପାଳ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ସେ ଏକ ଇଞ୍ଜିନିୟରିଂ କଲେଜରେ ଛାତ୍ରମାନଙ୍କ ଦ୍ଵାରା ଜୟ ଶ୍ରୀରାମର ନାରା ଲଗାଇଥିଲେ। ରାଜ୍ୟର ଅନେକ ନେତା ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ରାଜ୍ୟ ଓ ଜାତୀୟ ରାଜନୀତି ବେଶ ସରଗରମ ରହିଥିଲା।