ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ଦିଲ୍ଲୀ କାର୍ ବିସ୍ଫୋରଣକୁ ଜଘନ୍ୟ ଆତଙ୍କୀ ଘଟଣା ବୋଲି କୁହାଯାଇଛି । କ୍ୟାବିନେଟ୍ ଏହା ଉପରେ ଗଭୀର ଶୋକ ବ୍ୟକ୍ତ କରି ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଥିଲା । ଏହା ସହ ଦୁଇ ମିନିଟର ନୀରବ ପ୍ରର୍ଥାନା କରାଯାଇଥିଲା । ବୈଠକରେ ସରକାର କହିଛନ୍ତି ଯେ ଏହି କୃତ୍ୟ ଦେଶର ଶାନ୍ତି ଓ ଏକତା ଉପରେ ଆକ୍ରମଣ ଅଟେ । କେନ୍ଦ୍ର କ୍ୟାବିନେଟ୍ ଯାଞ୍ଚ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇ ଦୋଷୀ, ସେମାନଙ୍କ ସହଯୋଗୀ ଓ ପ୍ରୟୋଜକଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି । ସରକାର ଆତଙ୍କବାଦ ଉପରେ ନିଜର ଶୂନ ସହନଶୀଳ ନୀତିକୁ ଦୋହରାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ନିଷ୍ପତ୍ତି ଘୋଷଣା କରି କହିଛନ୍ତି, "ଦେଶ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଏକ କାର୍ ବୋମା ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତି ଦ୍ୱାରା କରାଯାଇଥିବା ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଦେଖିଛି । କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ୍ତ ଅତ୍ୟନ୍ତ ତ୍ୱରିତ ଏବଂ ପେସାଦର ଭାବରେ କରାଯିବା ଉଚିତ । ଏହା ଦ୍ଵାରା ଅପରାଧୀ, ସେମାନଙ୍କର ସହଯୋଗୀ ଏବଂ ସେମାନଙ୍କର ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ବିଳମ୍ବ ନକରି ନ୍ୟାୟ ପ୍ରଦାନ କରାଯାଇପାରିବ।"

ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଉପସ୍ଥିତ ଥିଲେ । ବୈଠକରେ ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିଥିଲେ । କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଧରି ଗୃହମନ୍ତ୍ରୀ ଶାହଙ୍କ ସହ ଏକ ପୃଥକ ବୈଠକ କରିଥିଲେ ।