ଦମ୍ ଦେଖାଇଲେ ଦିଲ୍ଲୀ ବୋଲର, ସଞ୍ଜୁଙ୍କ ଲଢୁଆ ଇନିଂସ ବେକାର; ରାଜସ୍ଥାନର ଲଗାତାର ୨ୟ ପରାଜୟ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ: ଦୁଇ ଓପନର ଜାକେ ଫ୍ରଜେର ମାକଗର୍କ ଓ ଅଭିଷେକ ପୋରେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ପ୍ରଶଂସଦୀୟ ପ୍ରଦର୍ଶନ ବଳରେ ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନଙ୍କ ୮୬ ରନର ଲଢୁଆ ଇନିଂସ ବୃଥା ହୋଇଛି। ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୮ ଓ୍ଵିକେଟ୍ ହରାଇ ୨୦୧ ରନ କରି ପାରିଛି ରାଜସ୍ଥାନ। ସଞ୍ଜୁଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ବିଫଳ ହେବାରୁ ସିଜିନରେ ତୃତୀୟ ପରାଜୟ ଭୋଗିଛି ରାଜସ୍ଥାନ। ଦଳର ଏହା ସିଜିନରେ କ୍ରମାଗତ ଦ୍ଵିତୀୟ ପରାଜୟ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଫ୍ରଜେରଙ୍କ ୫୦ ରନ, ଅଭିଷେକ ପୋରେଲଙ୍କ ୬୫ ଓ ଟ୍ରିଷ୍ଟନ ଟବ୍ସଙ୍କ ୪୧ ରନର ବିସ୍ଫୋରକ ଇନିଂସ ବଳରେ ୮ ଓ୍ଵିକେଟ୍ ହରାଇ ୨୨୧ ରନ କରିଥିଲା ଦିଲ୍ଲୀ। ବିଜୟ ସହ ୧୨ ପଏଣ୍ଟ ପାଇ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖିଛି ଦିଲ୍ଲୀ। ଅନ୍ୟପକ୍ଷେ ରାଜସ୍ଥାନ ଦ୍ଵିତୀୟ ସ୍ଥାନରେ ରହିଛି। 

Also read: ସଫଳତା ପାଇବା ପରେ ବି ବଦଳିନି ତାଙ୍କ ବ୍ୟକ୍ତିତ୍ୱ, ରୋହିତ ଶର୍ମାଙ୍କ ପ୍ରଶଂସାରେ ଶତମୁଖ ଯୁବରାଜ

୨୨୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନର ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ(୪) ନିରାଶ କରିଥିଲେ। ତେବେ ଅଧିନାୟକ ସଞ୍ଜୁ ସାମସନ ଓ ଜୋସ୍ ବଟଲର(୧୯) ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ିଥିଲେ। ବଟଲରଙ୍କ ପରେ ରିୟାନ ପରାଗ ମଧ୍ୟକ୍ରମରେ ୨୭ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଅନ୍ୟପଟେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ ସାମସନ। ସେ ଥିବା ପର୍ଯ୍ୟନ୍ତ ରାଜସ୍ଥାନର ପଲ୍ଲା ଭାରି ରହିଥିଲା। ସେ ୪୬ ବଲ୍‌ରୁ ୮ ଚୌକା ଓ ୬ ଚୌକା ଜରିଆରେ ୮୬ ରନ କରି ବିବାଦୀୟ ପରିସ୍ଥିତିରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ପରେ ଦିଲ୍ଲୀ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶୁଭମ ଦୁବେ(୨୫) ଓ ରୋଭମ୍ୟାନ ପାଓ୍ଵେଲ(୧୩) ବିଫଳ ହେବାରୁ ରାଜସ୍ଥାନ ୮ ଓ୍ଵିକେଟ୍‌ ହରାଇ ୨୦୧ ରନରେ ଅଟକି ଯାଇଥିଲା। ଆଉ ଦିଲ୍ଲୀ ମୁକାବିଲାକୁ ୨୦ ରନରେ ଜିତି ନେଇଛି।

ବୋଲିଂରେ ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୨୫ ରନ ଦେଇ ୨ଟି ଓ ମୁକେଶ କୁମାର ୩୦ ରନ ଦେଇ ୨ଟି ସଫଳତା ହାସଲ କରିଥିଲେ। ଖଲିଲ ଅହମ୍ମଦ ୨ ଓ୍ଵିକେଟ୍ ନେଇଥିଲେ ୪୭ ରନ ଦେଇ ମହଙ୍ଗା ରହିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସ 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀକୁ ଦମଦାର ଆରମ୍ଭ ଦେଇଥିଲେ ଫ୍ରଜେର ଓ ପୋରେଲ। ଉଭୟ  ବିସ୍ପୋରକ ବ୍ୟାଟିଂ କରି ମାତ୍ର ୪.୨ ଓଭରରେ ୬୦ ରନ ଯୋଡ଼ିଥିଲେ। ଫ୍ରଜେର ବିଧ୍ଵଂସୀ ବ୍ୟାଟିଂ କରି ମାତ୍ର ୨୦ ବଲରୁ ୫୦ ରନ କରି ଆଉଟ୍ ହୋଇଥିଲେ। ସାଇ ହୋପ(୧) ଓ ଅକ୍ଷର ପଟେଲ(୧୫ )ପୁଣି ବିଫଳ ହୋଇଥିଲେ। ପୋରେଲ ଚତ୍ମକାର ଅର୍ଦ୍ଧଶତକୀୟ ଇନିଂସ ଖେଳି ୩୬ ବଲରୁ ୬୫ ରନ କରି ପାଭିଲିୟନ ଫେରିଥିଲେ। ଅଧିନାୟକ ପନ୍(୧୫ ରନ) ମଧ୍ୟ କିଛି ଖାସ୍ କରି ପାରି ନ ଥିଲେ। କିନ୍ତୁ ନିମ୍ନ କ୍ରମରେ ଟ୍ରିଷ୍ଟନ ଟବ୍ସ ୨୦ ବଲରୁ ୪୧ ରନର ବିସ୍ଫୋରକ ପାଳି ଖେଳିବାରୁ ଦିଲ୍ଲୀ ୮ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା। 

ବୋଲିଂରେ ରବିଚନ୍ଦ୍ରନ ଅଶ୍ଵିନ ଶାଣିତ ବୋଲିଂ କରି ମାତ୍ର ୨୪ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ବୋଲ୍ଟ, ସନ୍ଦୀପ ଶର୍ମା ଓ ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ରହିଥିଲେ। 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.