LIVE TV

ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ପରଲୋକ, କ୍ରୀଡା ଜଗତରେ ଶୋକର ଛାୟା

NEWS7
bijay

ଭୁବନେଶ୍ୱର: ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କ ପରଲୋକ। ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାରଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ବିୟୋଗ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୋମବାର ରାତିରେ ବ୍ରହ୍ମପୁର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ । ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ବିଜୟ । ୧୯୮୨ ଅଗଷ୍ଟ ୨୯ରେ ରାଷ୍ଟ୍ରପତି ଗିଆନି ଜୈଲ ସିଂହଙ୍କଠୁ ଅର୍ଜୁନ ପୁରସ୍କାର ପାଇଥିଲେ ।

ପୂର୍ବତନ ଭାରତୀୟ ଭାରୋତ୍ତଳକ ବିଜୟ ଶତପଥୀ ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ତାଙ୍କୁ ୧୯୮୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ବିଜୟ କୁମାର ଶତପଥୀ ୧୯୭୭-୭୮ରୁ ୧୯୮୨-୮୩ ପର୍ଯ୍ୟନ୍ତ ଭାରୋତ୍ତଳନରେ ୫ଥର ଜାତୀୟ ଚାମ୍ପିଅନ ଏବଂ ଭାରତୀୟ ନୌସେନା ଏବଂ ଭାରତୀୟ ରେଳବାଇର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୮୧ ଅଷ୍ଟ୍ରେଲିଆର ବ୍ରିସବେନ୍ ମିନି ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୮୨ ବ୍ରିସବେନ ମୁଖ୍ୟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ ।୧୯୮୨ରେ ପେସୱାରରେ ପାକିସ୍ତାନ ଜାତୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ସ୍ପୋର୍ଟ୍ସ କୋଟା ଆଧାରରେ ୧୯୭୪ରେ ଭାରତୀୟ ନୌସେନାରେ ଇଲେକ୍ଟ୍ରିକାଲ ମେସିନ୍‌ ପାୱାରକୁ ଲିଡ କରୁଥିଲେ । ୨୦୦୯ରେ ସ୍ୱେଚ୍ଛାକୃତ୍ୟ ଅବସର ପରେ ଗାର୍ଡ ଭାବେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ୨୦୨୪ରେ ତାଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୮୧ ଏବଂ ୧୯୮୩ ଏସୀୟ ଭାରୋତ୍ତଳନ ବ୍ରିସବେନରେ ମୁଖ୍ୟ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ତାଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।