ଭୁବନେଶ୍ୱର: ଆଜିର ଇଣ୍ଟରନେଟ୍-ଇ-ମେଲ୍ ଯୁଗରେ ଆଧୁନିକ ନବ୍ୟ ସଭ୍ୟ ଶିକ୍ଷିତ ସମାଜ ବ୍ୟସ୍ତ ବହୁଳ ଜୀବନ ଅତିବାହିତ କରୁଛି। ଦ୍ରୁତଗତିରେ ଦେଶକୁ ଅଗ୍ରଗତି କରିବା କ୍ଷେତ୍ରରେ ଶିକ୍ଷା- ଶିକ୍ଷାର୍ଥୀ- ଶିକ୍ଷକ-ଦେଶସେବକ ସମସ୍ତଙ୍କ ଅସୀମ ସହଯୋଗ ଓ ସହଭାଗିତା ରହିଛି। ଏଭଳି ପରିବେଶରେ ଡିଏଭି ପୋଖରୀପୁଟର ବିଦ୍ୟାର୍ଥୀମାନେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ନିର୍ଦ୍ଦେଶାନାମା 'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳରୂପ ଦେବା ପାଇଁ ଅଗଷ୍ଟ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଅନେକ କାର୍ଯ୍ୟକଳାପ ଆୟୋଜିତ ହୋଇଛି।
ଡିଏଭି ଶିକ୍ଷାନୁଷ୍ଠାନ ଏଫ୍. ଜୋନ୍ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ନିର୍ଦ୍ଦେଶାନୁସାରେ ସୃଜନଶୀଳ ଲିଖନ କଳାକୁ ସ୍ଥାନିତ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠା ନିରୀକ୍ଷିକା ଡ.ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଅନନ୍ୟ ଲୁପ୍ତପ୍ରାୟ ପ୍ରତିଭାକୁ ସଫଳରୂପ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।
ଦେଶର ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ଲଢ଼େଇ କରୁଥିବା ସଶସ୍ତ୍ର ସେନା ବାହିନୀ ଏବଂ ପୋଲିସ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଦେଶମାତୃକାର ଏହି କୃତଜ୍ଞ ସନ୍ତାନଙ୍କ ପ୍ରତି ନିଜର ଅସୀମ ସମ୍ମାନ, ସଦିଚ୍ଛା, ସଦ୍ଭାବନାକୁ ଚିଠିରେ ଲେଖି ହଜିଯାଇଥିବା ଭାବାବେଗକୁ ପୁଣି ସାଉଁଟିବା ପାଇଁ ଚେଷ୍ଟା କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ରାୟ ୩୦୦ ପୋଷ୍ଟକାର୍ଡରେ ସ୍ୱାଧୀନତା ଦିବସର ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖାଯାଇଥିଲା । ଯାହାକୁ ସେମାନେ ନିଜେ ଯାଇ ଚିଠି ବାକ୍ସରେ ପକାଇଥିଲେ ।
ଏହି ଚିଠି ଲେଖା ଅଭିଯାନ କେବଳ ବିଦ୍ୟାର୍ଥୀଙ୍କ ସୃଜନ ଦକ୍ଷତା ପରିବର୍ଦ୍ଧିତ କରିବା କ୍ଷେତ୍ରରେ ନୁହେଁ ବସ୍ତୁତଃ ସେମାନଙ୍କ ହୃଦୟରେ ଦେଶାତ୍ମକ ଭାବ ସୃଷ୍ଟିକରିବା କ୍ଷେତ୍ରରେ ମଧ୍ୟ ନିଶ୍ଚୟ ସହାୟକ ହେବ । ଏହି ଅଭିନବ ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାର ସ୍ରୋତ ହେବା ସହିତ ଏକ ସୁସ୍ଥ ସମାଜ ଗଠନରେ ନିଶ୍ଚୟ ସହାୟକ ହେବ ।