ରାଜ୍ୟରେ ଅସୁରକ୍ଷିତ କୋଠାରେ ପଢିଛନ୍ତି ପିଲା, ଚମକାଇଦେଲା ସିଏଜି ରିପୋର୍ଟ ତଥ୍ୟ

NEWS7
danger-zone-alert-to-various-port-of-odisha

ଭୁବନେଶ୍ୱର ୧୦/୧୨: ବିଚଳିତ କରିଛି ସିଏଜି ରିପୋର୍ଟ ତଥ୍ୟ । ରାଜ୍ୟରେ ଅସୁରକ୍ଷିତ କୋଠାରେ ପାଠ ପଢୁଛନ୍ତି ପିଲା । କୋଠା ପାଇଁ ଆସିଥିବା ୧୨୧୪ କୋଟି ଫେରାଇଛି ଗଣଶିକ୍ଷା ବିଭାଗ । ବଜେଟ୍ରେ ୨୦୧୮ରୁ ୨୦୨୩ ମସିହା ଯାଏ ମୋଟ ୯୨ ହଜାର ୪୮୩ କୋଟି ଟଙ୍କାର ଅର୍ଥବରାଦ ହୋଇଥିଲା । କିନ୍ତୁ ଏହି ୫ ବର୍ଷରେ ବିଭାଗ ପ୍ରାୟ ୮୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ଆହୁରି ୧୧ ହଜାର ୧୩୮ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନି । ଖର୍ଚ୍ଚ କରିବାରେ ଫେଲ୍ ମାରିବାରୁ ଏହି ଅର୍ଥକୁ ବିଭାଗ ସରକାରଙ୍କୁ ଫେରାଇ ଦେଇଛି (ସରେଣ୍ଡର କରିଛି) ।

ଅନେକ ସ୍ଥାନରେ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ କୋଠା ତଳେ ପଢୁଥିଲେ ବି ଭିତ୍ତିଭୂମି ନିର୍ମାଣ ପାଇଁ ଆସିଥିବା ୧୨୧୪ କୋଟି ଟଙ୍କାକୁ ବିଭାଗ ଫେରାଇ ଦେଇଛି । ସିଏଜି ରିପୋର୍ଟରୁ ବିଚଳିତ କଲା ଭଳି ଏଭଳି ତଥ୍ୟ ବାହାରିଛି । ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ଭିତରେ ଗଣଶିକ୍ଷା ବିଭାଗ ପାଇଁ ବଜେଟ୍ରେ ମୋଟ ୯୨ ହଜାର ୪୮୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । କିନ୍ତୁ ୨୦୧୮-୧୯ରେ ଭିତ୍ତିଭୂମି ନିର୍ମାଣ ପାଇଁ ଆସିଥିବା ୫୧ କୋଟି ଟଙ୍କାକୁ ବିଭାଗ ଖର୍ଚ୍ଚ କରିନପାରି ଫେରାଇଛି ।

ସେହିଭଳି ୪୭ ସ୍କୁଲର ପିଲାଙ୍କୁ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରଶିକ୍ଷଣ ଦିଆଯାଇନି । ୮ଟି ସ୍କୁଲରେ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ । ନୂଆପଡ଼ା କୋମନା ବ୍ଲକ୍ ଭରୁଆମୁଣ୍ଡା ସ୍କୁଲରେ ପିଲାମାନେ ଫଟା ସିଲିଂ ଛାତ ତଳେ ବସି ପାଠ ପଢୁଛନ୍ତି । ସେହିଭଳି ସରକାରୀ ଓ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ସେଫ୍ଟି ପ୍ଲାନ୍ ଓ ସ୍କୁଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଧିକାଂଶ ସ୍କୁଲରେ ଏହାକୁ ପାଳନ କରାଯାଉନି । ସମଗ୍ର ଶିକ୍ଷା କାର୍ଯ୍ୟାନ୍ୱୟନ ଢାଞ୍ଚା (ଏସଏସଆଇଏଫ୍)ର ଅନୁପାଳନକୁ ଅଣଦେଖା କରାଯାଇଛି । ୨୦୧୮-୨୦୨୦ ଆର୍ଥିକ ବର୍ଷ ପାଇଁ ସ୍କୁଲଗୁଡ଼ିକ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହୋଇନଥିଲା ।

୨୦୧୮-୨୩ ଆର୍ଥିକ ବର୍ଷରେ ନମୁନା ଭାବେ ନିଆଯାଇଥିବା ୮୫ଟି ସ୍କୁଲ ଭିତରୁ ୭ଟି ସ୍କୁଲରେ ସ୍କୁଲ ପରିଚାଳନା କମିଟି(ଏସଏମସି) ଓ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି(ଏସଏମଡିସି) ଗଠନ ହୋଇନଥିଲା ବୋଲି ସିଏଜି ଉଲ୍ଲେଖ କରିଛନ୍ତି । ଜାତୀୟ ଶିକ୍ଷା ନୀତି (ଏନଇପି) ଗାଇଡଲାଇନ ଅନୁସାରେ ସବୁ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଅତିକମ୍ରେ ଜିଡିପିର ୬% ଅର୍ଥ ଖର୍ଚ୍ଚ କରିବେ । କିନ୍ତୁ ରାଜ୍ୟରେ ଏହାର ବ୍ୟତିକ୍ରମ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି ।