ନୂଆଦିଲ୍ଲୀ ୩।୧୦: ଉତ୍ତର ଆରବ ସାଗରରେ ଥିବା ଗଭୀର ଅବପାତ ଏବେ ସାମୁଦ୍ରିକ ବାତ୍ୟା ରୂପ ଧାରଣ କରିଛି। ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଶୁକ୍ରବାର ଏହା ପୁଷ୍ଟି କରିଛନ୍ତି। ଏହା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଆଗକୁ ବଢିବ ଓ ଆଗାମୀ ୨୪ ଘଣ୍ଟାରେ ଏହା ତୀବ୍ର ରୂପ ଧାରଣ କରି ଭୀଷଣ ଘୂର୍ଣ୍ଣିବାତ୍ୟାର ରୂପ ନେବ। ଗଭୀର ଅବପାତ ବାତ୍ୟାରେ ପରିଣତ ହେବା ପରେ ଏହାକୁ ‘ଶକ୍ତି’ ନାମକରଣ କରାଯାଇଛି। ଏହି ନାମ ଶ୍ରୀଲଙ୍କା ରଖିଛି।

ଆଇଏମଡିଙ୍କ ଅନୁସାରେ ଅଧିକାଂଶ ସାଂଖିକୀୟ ପାଣିପାଗ ମଡେଲ ଅନୁସାରେ ଉତ୍ତର-ପୂର୍ବ ଆରବ ସାଗର ଉପରେ ଏକ ଗଭୀର ଅବପାତ ଉତ୍ତର-ପୂର୍ବ ଓ ସମୀପବର୍ତ୍ତି ଉତ୍ତର-ପଶ୍ଚିମ ଆରବ ସାଗରରେ ଏକ ଲୁପରେ ଆଗକୁ ବଢିବ। ଯାହା ପରେ ଏକ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ। ତେବେ ଏହି ଘୂର୍ଣ୍ଣିବାତ୍ୟାର ନାମ ଶକ୍ତି କାହିଁକି ରଖା ଗଲା ସେ ନେଇ ଯାହା ଜଣାଯାଏ ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିବାତ୍ୟା ନିମନ୍ତେ ୨୦୦୪ରେ ସ୍ଥାପିତ ଏକ କ୍ଷେତ୍ରିୟ ନାମକରଣ ପ୍ରଣାଳୀ ଅନୁସାରେ ରଖା ଯାଇଛି।

ଏହାକୁ ବିଶ୍ୱ ପାଣିପାଗ ବିଭାଗ ସଙ୍ଗଠନ (ଡବ୍ଲୁଏମଓ) ଏବଂ ଏସିଆ ଓ ପ୍ରଶାନ୍ତ ନିମନ୍ତେ ଆର୍ଥିକ ଓ ସାମାଜିକ ଆୟୋଗ (ଇଏସସିଏପି) ପ୍ରବନ୍ଧନ କରନ୍ତି। ଏହି ବ୍ୟବସ୍ଥାର ଏକ ଅଂଶ ଭାବେ ‘ଶକ୍ତି’ ନାମ ଶ୍ରୀଲଙ୍କା ପ୍ରସ୍ତାବ କରିଛି। ଶକ୍ତି ଶବ୍ଦ ଏକ ପ୍ରାଚୀନ ସମୃଦ୍ଧ ତାମିଲ ଶବ୍ଦ ଅଟେ, ଯାହାର ଅର୍ଥ ଶକ୍ତି ବା ବଳ ବୋଲି ବୁଝା ଯାଏ। ଇନସ୍ୟାଟ୍ ୩-ଡି ଉପଗ୍ରହ ଚିତ୍ରରେ ବାତ୍ୟା ଶକ୍ତି ଉତ୍ତର-ପୂର୍ବ ଆରବ ସାଗରରେ ଏକ ଭଉଁରୀ ଭଳି ଦେଖାଯାଉଛି।

ଉତ୍ତର ଓ ଏହାକୁ ଲାଗି ରହିଥିବା ମଧ୍ୟ ଆରବ ସାଗର ସହିତ କଚ୍ଛ କ୍ଷେତ୍ର ଓ କଚ୍ଛ ଉପସାଗର ଉପରେ ବିକ୍ଷିପ୍ତ ଓ ଖଣ୍ଡିତ ବାଦଲ ତୀବ୍ରରୁ ନେଇ ଅତି ତୀବ୍ର ପରିଚଳନରେ ଥିବା ଦେଖା ଯାଉଛି। ଆଇଏମଡି ଏକ୍ସ ରେ ଆଗାମୀ ଘୂର୍ଣ୍ଣିବାତ୍ୟା ଶକ୍ତିର ସମ୍ଭାବିତ ମାର୍ଗକୁ ନେଇ ସୂଚନା ଦେଇଛନ୍ତି।