ଭୁବନେଶ୍ବର: ରାଜଧାନୀରୁ ଧରାପଡ଼ିଲା ସାଇବର ଠକ। ମଙ୍ଗଳବାର ସାଇବର ଥାନା ପୋଲିସ ଭୁବନେଶ୍ବର କଳିଙ୍ଗ ବିହାରରୁ ସର୍ବେଶ୍ଵର ପାତ୍ର ନାମକ ଜଣେ ସାଇବର ଠକକୁ ଗିରଫ କରିଛି। ସର୍ବେଶ୍ବର ମ୍ୟୁଲ୍ ସିମ୍ କାର୍ଡ ମାଧ୍ୟମରେ ଠକେଇ କରୁଥିଲା। ତା’ ନିକଟରୁ ୨୩ଟି ସିମ୍ କାର୍ଡ, ଦୁଇଟି ମୋବାଇଲ ଫୋନ୍ ଏବଂ ଗୋଟିଏ ବାୟୋମେଟ୍ରିକ୍ ମେସିନ୍ ଜବତ ହୋଇଛି।
ସୂଚନା ଅନୁସାରେ ସର୍ବେଶ୍ବର ଶୁଭମ୍ କମ୍ୟୁନିକେଶନ ନାଁରେ ଏକ ଦୋକାନ ଖୋଲିଥିଲା। ଏଠାରେ ସେ ମ୍ୟୁଲ୍ ସିମ୍ ତଥା ପ୍ରି ଆକ୍ଟିଭେଟ ସିମ୍ କାର୍ଡ ବିକ୍ରି କରୁଥିଲା। ବଡ଼ କଥା ହେଲା ଏହି ସିମ୍ ଗୁଡ଼ିକୁ ଗ୍ରାହକଙ୍କଠାରୁ ବାୟୋମେଟ୍ରିକ୍ ଓ ଡକ୍ୟୁମେଣ୍ଟ ନେଇ ଆକ୍ଟିଭେଟ୍ କରୁଥିଲେ। ଆଉ ଏହି ସିମ୍ ମାଧ୍ୟମରେ କରୁଥିଲା ସାଇବର ଫ୍ରଡ୍ ।
ପୋଲିସର ସୂଚନା ଅନୁସାରେ ୨୦୨୨ରେ ସେ ଏଭଳି ପ୍ରି ଆକ୍ଟିଭେଟ ସିମ୍ ବିକ୍ରି କରିଆସୁଥିଲା। ତେବେ ସିଆଇଡି କ୍ରାଇମବ୍ରାଞ୍ଚ୍ ନିର୍ଦ୍ଦେଶରେ ସାଇବର ଥାନା ତଦନ୍ତ କରି ଗତକାଲି ରାତିରେ ସର୍ବେଶ୍ଵରଙ୍କୁ ଗିରଫ କରିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରିଛି ସାଇବର ଥାନା ପୋଲିସ। ତେବେ କେତେ ଲୋକଙ୍କୁ ସିମ୍ ବିକ୍ରି କରାଯାଇଛି ତାହାର ଖୋଳତାଡ଼ କରୁଛି ପୋଲିସ।