ନୂଆଦିଲ୍ଲୀ ୧୦।୯: ବିଶ୍ୱର ଦିଗ୍ଗଜ ଆଇଟି କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ‘ଓରାକଲ’ ୩ ହଜାର କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି। ଓରାକଲରେ ଛଟେଇ ନେଇ ଗତ କିଛି ଦିନ ହେଲା ଅନଲାଇନରେ ଖାସ କରି ଲିଙ୍କଡ୍ ଇନ୍ ଓ ରେଡିଟ୍ ଭଳି ପ୍ଲାଟଫର୍ମରେ ଖୁବ୍ ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାକୁ କମ୍ପାନୀ ମାତ୍ର ୨୦ ମିନିଟ ର ‘ଜୁମ୍’ ମିଟିଂରେ ସତ୍ୟରେ ପରିଣତ କରିଛି। ଏକକାଳୀନ ୩ ହଜାର କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି। କୁହାଯାଉଛି ‘ଏଆଇ’ କାରଣରୁ କମ୍ପାନୀ ଏହି ପଦକ୍ଷେପ ନେଇଛି।

ଓରାକଲ ଡାଟାବେସ୍ ଟିମ୍ ର ଜନୈକ କର୍ମଚାରୀ କହିଛନ୍ତି ଯେ ‘ଏହା ମାତ୍ର ୨୦ ମିନିଟ୍ ରୁ ବି କମ୍ ସମୟ ମଧ୍ୟରେ ଘଟିଯାଇଛି’। ଏକ ଜୁମ ଇନଭାଇଟ୍, କଲରେ ମୋର ମ୍ୟାନେଜର ଓ ଏଚଆର ଅଧିକାରୀ ମୋତେ କହିଛନ୍ତି ଯେ ତୁମକୁ ଚାକିରୀରୁ ବାହାର କରାଯାଉଛି। ସେ କହିଛନ୍ତି ଏହା ମୋର କାର୍ଯ୍ୟରେ ଅବହେଳା କି ଖରାପ ପ୍ରଦର୍ଶନ ଯୋଗୁ ନୁହେଁ, ବରଂ ସମ୍ପୂର୍ଣ୍ଣ ବ୍ୟବସାୟୀକ କାରଣରୁ ହୋଇଛି। ମୋର ସିଷ୍ଟମ ଆକ୍ସେସ ତୁରନ୍ତ କାଟି ଦିଆଯାଇଛି। ଆସନ୍ତା ଫେବୃଆରୀରେ ମୋତେ ଷ୍ଟକ୍ ବେନିଫିଟ ମଧ୍ୟ ମିଳିଥାନ୍ତା। ତେବେ ତା ପୂର୍ବରୁ ମୋର ଚାକିରୀ ଚାଲି ଯାଇଛି।

ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ ମୁଁ କୌଣସି ବିଜନେସ୍ ଅପଡେଟ୍ ଭାବି ମିଟିଂରେ ଯୋଗ ଦେଇଥିଲି। ତେବେ ପରେ ଜାଣିଲି ଏହା ମୋ ଛଟେଇ ଲାଗି କଲ ଥିଲା। ସେ କହିଛନ୍ତି ଯେ ଏଚଆର ଅଧିକାରୀ ମୋତେ କେବଳ ଛଟେଇ ପ୍ୟାକେଜ କଥା କହିଛନ୍ତି। ଓରାକଲ ଲେ ଅଫରେ ଅଧିକାଂଶ କ୍ଲାଉଡ ଟିମ୍ କର୍ମଚାରୀ ଅଛନ୍ତି। ଏଥିରେ ଭାରତ ଓ ଆମେରିକା ଉଭୟ ସ୍ଥାନର ଇଞ୍ଜିନିୟରିଂ, ଡାଟା ସେଣ୍ଟର ସଞ୍ଚାଳନ ଓ ଏଆଇ ଟିମ୍‌ ରେ କାମ କରୁଥିବା ଲୋକେ ଅଛନ୍ତି।  

କେତେକ ରିପୋର୍ଟସରୁ ଜଣା ପଡିଛି ଯେ ଭାରତରେ ଓରାକଲର ପାଖାପାଖି ୧୦% ଅର୍ଥାତ ୧ ହଜାର କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ତେବେ କମ୍ପାନୀ ସଠିକ ସଂଖ୍ୟା ପୁଷ୍ଟି କରି ନାହିଁ। କେବଳ ଭାରତ ନୁହେଁ ବୈଶ୍ୱିକ ସ୍ତରରେ ଏହି ଛଟେଇ ହୋଇଛି। ଟେକ୍ ସମାଚାର ସାଇଟ୍ ସିଆରଏନ ଅନୁସାରେ ନିକଟରେ କାଲିଫର୍ଣ୍ଣିୟା ଓ ୱାସିଂଟନରେ ୩୦୦ରୁ ଅଧିକ ଲୋକଙ୍କୁ ଚାକିରୀରୁ ବାହାର କରିଦିଆଯାଇଛି। ଅନ୍ୟପଟେ ଓରାକଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ)ରେ ବିପୁଳ ନିବେଶ କରୁଛି। କମ୍ପାନୀ ଆମେରିକାରେ ଏକ ବିଶାଳ ଡାଟା ସେଣ୍ଟର କ୍ଷମତା ନିର୍ମାଣ କେନ୍ଦ୍ର ସ୍ଥାପନା ନିମନ୍ତେ ଓପନ ଏଆଇ ସହିତ ଏକ ବୁଝାମଣା କରିଛି।