ବେଜିଂ : ୧୯୭୦ ଦଶକରେ ଚୀନରେ ପ୍ରଚଳିତ ଏକ ସନ୍ତାନ ନୀତି ବଡ଼ ସଙ୍କଟ ସୃଷ୍ଟି କରୁଛି। ଏହି ନୀତି ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଆର୍ଥିକ ବିକାଶ ପାଇଁ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ଏହା ବର୍ତ୍ତମାନ ଚୀନର ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ପାଲଟିଛି । ଚୀନରେ ଯୁବକଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଏହା ବୃଦ୍ଧଙ୍କ ଦେଶ ହେବାରେ ଲାଗିଛି । ଚୀନରେ ଯୁବକଙ୍କୁ ବିବାହ ଲାଗି କନିଆ ମିଳୁନାହାନ୍ତି। ଫଳସ୍ୱରୂପ, ଚୀନ୍ ପୁରୁଷମାନେ କନିଆ ଖୋଜିବା ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ଭଳି ଗରିବ ପଡ଼ୋଶୀଙ୍କ ଉପରେ ନିର୍ଭର କରୁଛନ୍ତି । ଚୀନ୍ରେ ମହିଳାଙ୍କ ଘୋର ଅଭାବ ସୀମାପାର ବିବାହର ଏକ ଧାରା ସୃଷ୍ଟି କରିଛି। ଚୀନ୍ ପୁରୁଷମାନେ ବିଶେଷକରି ପାକିସ୍ତାନ ଏବଂ ବାଂଲାଦେଶର ଯୁବତୀଙ୍କୁ ବିବାହ କରୁଛନ୍ତି। ଏହି ଦେଶର ଗରିବ ଝିଅମାନେ ଉତ୍ତମ ଜୀବନ ପାଇବା ଲୋଭରେ ବିବାହ ପାଇଁ ରାଜି ହେଉଛନ୍ତି ।

ଚୀନ୍ରେ ପୁରୁଷ ଏବଂ ମହିଳାଙ୍କ ସଂଖ୍ୟାରେ ପ୍ରବଳ ତାରତମ୍ୟ ରହିଛି । ଚୀନ୍ର ଗୋଟିଏ ସନ୍ତାନ ନୀତି ଯୋଗୁଁ ଦଶନ୍ଧୀ ଧରି କନିଆ ଭ୍ରୁଣର ବ୍ୟାପକ ଗର୍ଭପାତ ହୋଇଥିଲା। ଫଳସ୍ୱରୂପ, ଲକ୍ଷ ଲକ୍ଷ ପୁରୁଷ ବିବାହ କରିପାରି ନାହାନ୍ତି । ଏହି ପୁରୁଷମାନଙ୍କୁ ଚୀନ୍ରେ ‘ଅବଶିଷ୍ଟ ପୁରୁଷ’ କୁହାଯାଏ । ସେମାନେ ଏବେ ନିଜ ପାଇଁ ଜୀବନସାଥି ଖୋଜିବାକୁ ଅନ୍ୟ ଦେଶକୁ ଯାଉଛନ୍ତି । ସେମାନେ ଯେଉଁ ସୁବ ଦେଶକୁ ପ୍ରାଥମିକତା ଦେଉଛନ୍ତି, ସେଥିମଧ୍ୟରେ ବାଂଲାଦେଶ ଏବଂ ପାକିସ୍ତାନ ଅନ୍ୟତମ । ଏହି ଦୁଇ ଦେଶରେ ଗରିବୀ ଅଧିକ ଏବଂ ବିବାହ ଖର୍ଚ୍ଚ ଉଠାଇବା ପରିବାରଗୁଡ଼ିକ ଲାଗି କଷ୍ଟକର । ତେଣୁ ସେମାନେ ଭଲ ଜୀବନ ପାଇବା ଆଶାରେ ଚୀନ୍ର ପୁରୁଷମାନଙ୍କ ହାତରେ ନିଜର ଝିଅମାନଙ୍କୁ ଟେକି ଦେଉଥିବା କୁହାଯାଉଛି ।

୨୦୧୯ରେ ପ୍ରଥମ ଥର ପାଇଁ ପାକିସ୍ତାନୀ ଯୁବତୀ ଚୀନ୍ ଯୁବକଙ୍କୁ ବିବାହ କରିବାର ଖବର ସାମ୍ନାକୁ ଆସିଥିଲା । ପାକିସ୍ତାନର ତଦନ୍ତ ସଂସ୍ଥା ଏଫଆଇଏ ଅନ୍ତର୍ଜାତୀୟ ବେଶ୍ୟାବୃତ୍ତି ଟିମକୁ ଠାବ କରିଥିଲା । ଏହା ପାକିସ୍ତାନୀ ଯୁବତୀମାନଙ୍କୁ ଚୀନ୍ ଚାଲାଣ କରୁଥିଲା। ଏହି ଗୋଷ୍ଠୀ ବିବାହ ବାହାନାରେ ପାକିସ୍ତାନୀ ମହିଳାଙ୍କୁ ଚୀନ୍ ପଠାଉଥିଲା । କିନ୍ତୁ ସେମାନେ ସେଠାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

କନିଆ ଚାଲାଣର ଏହି ପ୍ରଥ କେବଳ ପାକିସ୍ତାନରେ ସୀମିତ ନାହିଁ । ଏହା ଲାଓସ୍, ଉତ୍ତର କୋରିଆ, ଭିଏତନାମ, ମିଆଁମାର, ବାଂଲାଦେଶ ଏବଂ କାମ୍ବୋଡିଆରେ ମଧ୍ୟ ଘଟୁଛି। ଚଳିତ ବର୍ଷ ଚୀନ୍ ନିଜର ନାଗରିକଙ୍କୁ ବାଂଲାଦେଶରେ ବିବାହ ନକରିବାକୁ ଚେତାବନୀ ଦେଇଥିଲା । ସେପଟେ ଚୀନ୍ରେ ପହଞ୍ଚିବା ପରେ ଅନେକ ମହିଳାଙ୍କୁ ଦେହ ବେପାରରେ ଲଗାଇ ଦିଆଯାଉଛି । ଅନେକ ସମୟରେ ମାନବ ଅଙ୍ଗ ଚୋରାଚାଲଣ ଲାଗି ବଳି ପଡ଼ୁଛନ୍ତି ମହିଳା ।