News7 Logo

ନେପାଳ ବିଦ୍ରୋହକୁ ନେଇ କାହିଁକି ନୀରବ ଚୀନ୍ ? କେବେ ଓଲି ଥିଲେ ଭାରି ଖାସ୍, ଏବେ ଆମେରିକାର ନଜର

NEWS7
china

ନୂଆଦିଲ୍ଲୀ ୧୦/୦୯: ଭାରତର ପଡ଼ୋଶୀ ଦେଶ ନେପାଳ । ଗତ ତିନି ଦିନ ଧରି ପ୍ରତିବାଦର ନିଆଁରେ ଜଳୁଛି । ସୋସିଆଲ ମିଡିଆ ପ୍ରତିବନ୍ଧକ, ଦୁର୍ନୀତି ଏବଂ ନେପା କିଡ୍ସ ବିରୋଧରେ ଆରମ୍ଭ ହୋଇଥିବା ଜେନ-ଜେଡ୍ ପ୍ରତିବାଦ ଏବେ ଏକ ଜାତୀୟ ବିପ୍ଳବରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଛି । ରାସ୍ତାରେ ଅରାଜକତାର ପରିବେଶ ରହିଛି । ବିକ୍ଷୋଭକାରୀମାନେ ସମଗ୍ର କାଠମାଣ୍ଡୁକୁ ନିଜ କବଜାକୁ ନେଇ ଯାଇଛନ୍ତି । ହିଂସା ଓ ପୋଡ଼ାଜଳା ନିୟନ୍ତ୍ରଣ ପାଇଁ ସାରା ଦେଶରେ କର୍ଫ୍ୟୁ ଜାରି କରିଛି ସେନା ।  ଭାରତ ସମେତ ସମସ୍ତ ପଡ଼ୋଶୀ ଦେଶ ନେପାଳରେ ଏହି ନାଗରିକ ବିଦ୍ରୋହକୁ ନେଇ ଚିନ୍ତିତ । କିନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣାରେ ଚୁପ୍ ବସିଛି ଚୀନ । ଖାସ୍ କରି ଚୀନର ନୀରବତା ଆଶ୍ଚର୍ଯ୍ୟଜନକ ।

ଚୀନକୁ ନେପାଳର ସବୁଠାରୁ ବଡ଼ ରଣନୈତିକ ସହଯୋଗୀ ଭାବରେ ବିବେଚନା କରାଯାଏ । ଓଲିଙ୍କ କାର୍ଯ୍ୟକାଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗଭୀର ହୋଇଛି । ଗତ ବର୍ଷ, ଯେତେବେଳେ କେପି ଓଲି ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ପରମ୍ପରା ଭାଙ୍ଗି ଭାରତ ପରିବର୍ତ୍ତେ ପ୍ରଥମେ ଚୀନ ଗସ୍ତ କରିଥିଲେ । ସମ୍ପ୍ରତି, ଓଲି ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବେଜିଂ ଗସ୍ତ କରିଥିଲେ । ତା'ପରେ ଚୀନର ବିଜୟ ପରେଡରେ ଯୋଗ ଦେଇଥିଲେ । ଏହି ସମୟ ମଧ୍ୟରେ, ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ତାଙ୍କର ଘନିଷ୍ଠତା ସ୍ପଷ୍ଟ ଭାବରେ ଦେଖାଯାଇଥିଲା । କିନ୍ତୁ ଏହି ଗସ୍ତକୁ ଦଶ ଦିନ ବିତି ନଥିଲା । ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଛି ।

ନେପାଳରେ ହିଂସା ଓ ଓଲିଙ୍କ ଇସ୍ତଫା ଉପରେ ଚୀନର ସରକାରୀ ସମାଚାର ଏଜେନ୍ସି ଜିନହୁଆ ଲେଖିଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପରେ ଓଲି ହେଉଛନ୍ତି ଦକ୍ଷିଣ ଏସୀୟ ଦେଶର ଦ୍ୱିତୀୟ ନେତା । ଯିଏ ଚୀନ ଗସ୍ତ ପରେ ଦେଶରେ ହିଂସା ମଧ୍ୟରେ ଇସ୍ତଫା ଦେଇଥିଲେ । ଗତବର୍ଷ ଅଗଷ୍ଟ ୫ ତାରିଖରେ ଛାତ୍ରମାନଙ୍କ ଦ୍ୱାରା ସରକାର ବିରୋଧୀ ପ୍ରତିବାଦ ପରେ ଶେଖ ହସିନାଙ୍କୁ ଦେଶ ଛାଡି ଭାରତ ପଳାଇବାକୁ ପଡିଥିଲା । ସେହିପରି ବେଜିଂ ଗସ୍ତ ପରେ ଓଲିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା । ଏବେ ଅନୁମାନ କରାଯାଉଛି ଯେ ଓଲି ମଧ୍ୟ ଦେଶ ଛାଡି ଦୁବାଇ ପଳାଇଯିବେ । କାରଣ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। 

କାଠମାଣ୍ଡୁ ପୋଷ୍ଟ ଏକ ସାମ୍ପ୍ରତିକ ସମ୍ପାଦକୀୟରେ ଲେଖିଛି ଯେ ଓଲି ଭାରତ ଏବଂ ପଶ୍ଚିମ ଦେଶଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଛନ୍ତି । ନେପାଳକୁ ଚୀନର ଏକ ନିକଟତମ ଅଂଶୀଦାର ଭାବରେ ଉପସ୍ଥାପନ କରିଛନ୍ତି । ଲେଖାରେ କୁହାଯାଇଛି ଯେ ରଣନୈତିକ ସ୍ୱାୟତ୍ତତା ନୀତି ଅନୁସରଣ କରିବା ସତ୍ତ୍ୱେ, ଓଲି ନେପାଳକୁ ଚୀନର ନିକଟତର କରିଛନ୍ତି । ଏହାର ପ୍ରଭାବ ନେପାଳର ବୈଦେଶିକ ନୀତି ଓ ଓଲିଙ୍କ ଅନ୍ତର୍ଜାତୀୟ ସମ୍ପର୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । କିନ୍ତୁ ବର୍ତ୍ତମାନ ଓଲି ନେପାଳର ପ୍ରଧାନମନ୍ତ୍ରୀ ନୁହଁନ୍ତି । ଚୀନ ସିଧାସଳଖ କ୍ଷମତା ପରିବର୍ତ୍ତନକୁ ନେଇ ଚିନ୍ତିତ। ନେପାଳରେ ରାଜନୈତିକ ଅସ୍ଥିରତା ଚୀନକୁ ମଧ୍ୟ ପ୍ରଭାବିତ କରିବ । ଏହା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ଚ୍ୟାଲେଞ୍ଜ ମଧ୍ୟ ହୋଇପାରେ।