News7 Logo

ବଦଳିଲା ପିଲାଙ୍କ ଆଧାରକାର୍ଡ ନିୟମ, ଏବେ ମାତା ପିତାଙ୍କ ଡକ୍ୟୁମେଣ୍ଟ ଅନିବାର୍ଯ୍ୟ

NEWS7
gfx

ନୂଆଦିଲ୍ଲୀ ୧୩।୯:  ଆଧାର କାର୍ଡ ଆଜି ପ୍ରତି ଭାରତୀୟଙ୍କ ପରିଚୟର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି। ଖାସ କରି ପିଲାଙ୍କ ଆଧାରକାର୍ଡ କରିବା ଏବେ ଜରୁରି ହୋଇପଡିଛି, ଯାହା ଦ୍ୱାରା ଭବିଷ୍ୟତରେ ପିଲାକୁ ଯେପରି କୌଣସି ସମସ୍ୟାର  ସମ୍ମୁଖୀନ ହେବାକୁ ନ ହୁଏ। ତେବେ ପିଲାଙ୍କ ଆଧାରକାର୍ଡ ତିଆରି ପାଇଁ ଏବେ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଏପର୍ଯ୍ୟନ୍ତ ପିଲାଙ୍କ ଆଧାରକାର୍ଡ କରିବାକୁ ଜନ୍ମ ପ୍ରମାଣପତ୍ର ପର୍ଯ୍ୟାପ୍ତ ଥିଲା। ଏଥି ପାଇଁ ମାତା ପିତାଙ୍କୁ ଝିନଝଟ ହେଉ ନଥିଲା। ହେଲେ ଏବେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରଧିକରଣ (ୟୁଆଇଡିଏଆଇ) ନିୟମ ସଂଶୋଧନ କରିଛନ୍ତି।  

ୟୁଆଇଡିଏଆଇ ସ୍ପଷ୍ଟ କରିଦେଇଛନ୍ତି ଯେ ପିଲାଙ୍କ ଆଧାରକାର୍ଡ କରିବା ପାଇଁ କେବଳ ଜନ୍ମ ପ୍ରମାଣପତ୍ର ଏବେ ଯଥେଷ୍ଟ ନୁହେଁ, ଏହା ସହିତ ଏବେ ମାତାପିତାଙ୍କ ପରିଚୟ ଓ ଠିକଣା ସମ୍ପର୍କିତ କାଗଜପତ୍ର ମଧ୍ୟ ବାଧ୍ୟତାମୂଳକ ହେବ। ଏହାର ଅର୍ଥ ଏବେ ପିଲାଙ୍କ ଆଧାର ସେମାନଙ୍କ ମାତାପିତାଙ୍କ ଆଧାର ସହ ଲିଂକ ହୋଇ ଆସିବ। ଏହି ନିୟମ ଅନୁସାରେ ପିଲାର ବୟସ, ପରିଚୟ ଓ ଠିକଣା ପୁଷ୍ଟି ନିମନ୍ତେ ମାତାପିତାଙ୍କ କାଗଜପତ୍ରର ମଧ୍ୟ ଯାଞ୍ଚ ହେବ। ଏହା ଦ୍ୱାରା ଆଧାର ପ୍ରକ୍ରିୟା ଆହୁରି ମଜଭୁତ ଓ ପାରଦର୍ଶି ହେବ। ଏବେ ପିଲାଙ୍କ ଆଧାର କେବଳ ଜନ୍ମ ପ୍ରମାଣପତ୍ର ନୁହେଁ ମାତାପିତାଙ୍କ ଆଧାର ଓ ଠିକଣା କାଗଜପତ୍ର ସହିତ ସଂଯୁକ୍ତ ରହିବ।

ପିଲାର ଆଧାର ନିମନ୍ତେ ମାତାପିତାଙ୍କୁ ଏବେ ନିମ୍ନଲିଖିତ କାଗଜପତ୍ର ଉପସ୍ଥାପନ କରିବାକୁ ପଡିବ। ଏଥିରେ ମାତାପିତାଙ୍କ ଆଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ, ପାନ କାର୍ଡ ଘରର ବିଜୁଳି ବିଲ, ରାସନ କାର୍ଡ ଓ ଡ୍ରାଇଭିଁ ଲାଇସେନ୍ସ ଆଦି କାଗଜପତ୍ର ଦେବାକୁ ପଡିବ। ସେହିପରି ପିଲାର କାଗଜପତ୍ର ଲାଗି ତା ଜନ୍ମ ପ୍ରମାଣପତ୍ର ଯେଉଁଥିରେ ନାମ ଓ ଜନ୍ମ ତାରିଖ ସ୍ପଷ୍ଟ ଓ ଅଙ୍କିତ ହୋଇଥିବା ଜରୁରି। ୫ ବର୍ଷରୁ କମ ବୟଷ୍କ ପିଲାଙ୍କ ଆଧାର ‘ବ୍ଲୁ ଆଧାର’ ରୂପେ ଜଣାଯାଏ। ଏଥିରେ ପିଲାର ବାୟୋମେଟ୍ରିକ ନିଆଯାଏ ନାହିଁ। ଏଥି ପାଇଁ ପିଲାର ଫଟୋ ଓ ମାତାପିତାଙ୍କ କାଗଜପତ୍ର ଦ୍ୱାରା ଆଧାର ଜାରି ହୋଇଥାଏ।

ପିଲାକୁ ୧୫ ବର୍ଷ ହେବା ପରେ ତାର ଆଧାର ପୁଣି ଅପଡେଟ୍ ହୁଏ। ଏଥିରେ ପିଲାର ବାୟୋମେଟ୍ରିକ ସୂଚନା ଗ୍ରହଣ କରାଯାଏ। ଯାହାଦ୍ୱାରା ତାର ରେକର୍ଡ ଭବିଷ୍ଯତରେ ସଠିକ ଓ ପ୍ରମାଣିକ ହେବ। ଏଥି ପାଇଁ ମାତାପିତାଙ୍କୁ ଆଧାର ନାମାଙ୍କନ କେନ୍ଦ୍ରରେ ପିଲାର ଜନ୍ମ ପ୍ରମାଣପତ୍ର ଓ ନିଜର ପରିଚୟ ଓ ଠିକଣା ସମ୍ପର୍କିତ କାଗଜପତ୍ର ଜମା କରିବାକୁ ପଡିବ। ପିଲାର ଫଟୋ ଉଠାଯିବ ଓ କାଗଜପତ୍ର ସତ୍ୟାପନ ପରେ ପିଲାର ଆଧାର ତିଆରି ହୋଇଯିବ।