ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରୁଥିବା ବେଳେ ଆତଙ୍କବାଦୀ ଘରଗୁଡ଼ିକୁ ଭାଙ୍ଗି ଦିଆଯାଉଛି ନହେଲେ ବିସ୍ଫୋରକ ଲଗାଇ ଉଡାଇ ଦିଆଯାଉଛି। ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ କାଶ୍ମୀର ନାଗରିକ। କାଶ୍ମୀର ସଂଗଠନଗୁଡ଼ିକର ନେତାମାନେ ଏଭଳି ଘର ଭାଙ୍ଗିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏଭଳି ବିଚାରହୀନ ଭାବେ ଆଖିବୁଜା ଘରଦ୍ୱାର ଭାଙ୍ଗିବା ପକାଇବା ଦ୍ୱାରା ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ସମେତ ନିରୀହ ପରିବାର ପ୍ରଭାବିତ ହେଉଛନ୍ତି ବୋଲି ସେମାନେ କହିଛନ୍ତି।
ରବିବାର ସେନା ବାନ୍ଦିପୋରା, ପୁଲୱାମା ଏବଂ ଶୋପିଆନ ଜିଲ୍ଲାରେ ତିନି ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି। ପହଲଗାମ ଆକ୍ରମଣ ପରଠାରୁ ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣ ଆତଙ୍କବାଦୀଙ୍କର ଘର ଭାଙ୍ଗି ଦିଆଗଲାଣି। ଏନେଇ ହୁରିୟତ କନଫରେନ୍ସର ଅଧ୍ୟକ୍ଷ ମୀରୱାଇଜ୍ ଉମର ଫାରୁକ୍ ଚିନ୍ତା ବ୍ୟକ୍ତ କରି କେନ୍ଦ୍ର ସରକାରଙ୍କୁ ଏପରି ନ କରିବାକୁ ଅନୁରୋଧ କରିଚନ୍ତି। ଏଭଳି ବିଚାରଶୂନ୍ୟ ହୋଇ ଆଖିବୁଝା ଘରଦ୍ୱାର ଭାଙ୍ଗି ଦେଇ "ନିରୀହ କାଶ୍ମୀରୀମାନଙ୍କୁ ଦଣ୍ଡ ନ ଦେବାକୁ ସେ ଅନୁରୋଧ କରିଛନ୍ତି।
ପଢନ୍ତୁ- ଏବେ ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ ପିଓକେ ଆଣ: କେନ୍ଦ୍ର ସରକାରଙ୍କୁ ଅଭିଷେକ ବାନାର୍ଜୀଙ୍କ ମେସେଜ୍
ଏନେଇ ଫାରୁକ ଟ୍ୱିଟ୍ କରି ଲେଖିଛନ୍ତି “କାଶ୍ମୀରବାସୀ ପହଲଗାମରେ ହୋଇଥିବା ଏହି ଘୃଣ୍ୟ ଅପରାଧକୁ ସାମୂହିକ ଭାବରେ ନିନ୍ଦା କରୁଛନ୍ତି। ଏହାର ଅପରାଧୀମାନଙ୍କୁ ନ୍ୟାୟ କାଠଗଡ଼ାରେ ଛିଡ଼ା କରିବା ଉଚିତ। ହେଲେ ବିନା ତଦନ୍ତରେ ଗିରଫଦାରୀ ଓ ସୋସିଆଲ୍ ମିଡିଆରେ ଶେୟାର କରାଯାଉଥିବା ଆଖିବୁଜା ଘରଦ୍ୱାର ଭାଙ୍ଗି ପକାଇବାର ଭିଡିଓଗୁଡ଼ିକ ବିଚଳିତ କରୁଛି ଏବଂ ଦୁଃଖଦାୟକ ମଧ୍ୟ। ମୁଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ନିର୍ଦ୍ଦୋଷ କାଶ୍ମୀର ପରିବାରକୁ ଦଣ୍ଡ ନ ଦିଅନ୍ତୁ।”
ଜମା-ଏ-ଇସଲାମିର ଜଣେ ବରିଷ୍ଠ ନେତା ଏବଂ ନ୍ୟାୟ ବିକାଶ ମୋର୍ଚ୍ଚାର ପ୍ରତିଷ୍ଠାତା ଶାମିମ ଅହମଦ ଠୋକର ଏଭଳି ଭଙ୍ଗାରୁଜା ଅଭିଯାନକୁ ସମାଲୋଚନା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଘର ଧ୍ୱଂସ କରିବା ଦ୍ୱାରା ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଯଦି ଏହି ଅଭିଯାନକୁ ବନ୍ଦ କରାଯାଇପାରିବ ନାହିଁ, ତେବେ ବିକଳ୍ପ ପଦ୍ଧତି ବିଚାର କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସେ କହିଛନ୍ତି “ଆମେ ଭାରତୀୟ ତେଣୁ ପହଲଗାମ ଆକ୍ରମଣକୁ ସ୍ପଷ୍ଟ ଭାବରେ ନିନ୍ଦା କରୁଛୁ। କିନ୍ତୁ ଆତଙ୍କବାଦୀଙ୍କ ଘର ଉଡ଼ାଇବା ଦ୍ୱାରା ପଡ଼ୋଶୀ ଅଞ୍ଚଳଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି। ତେଣୁ ଏହା ବନ୍ଦ ହେବା ଉଚିତ। ମୁଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଏହାକୁ ବନ୍ଦ କରିବାକୁ ନିବେଦନ କରୁଛି। କାରଣ ଏହି ବିସ୍ଫୋରଣ ଘଟୁଥିବା ଯୋଗୁ ସମଗ୍ର ଅଞ୍ଚଳ ଭୟଭୀତ ହୋଇଯାଇଛି। ମହିଳା, ବୃଦ୍ଧ, ପିଲାମାନେ ଅତ୍ୟନ୍ତ ଭୟଭୀତ ଅଛନ୍ତି।”
ସୂଚନା ଥାଉକି ଏପ୍ରିଲ ୨୨ ତାରଇକରେ 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ୨୬ ଜଣଙ୍କ ନିର୍ଦ୍ଦୋଷୁଙ୍କୁ ହତ୍ୟା କରିଥିଲେ। ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ଶାଖା ଗ୍ରୁପ ଏହି ଆକ୍ରମଣ କରିଥିଲା। ଏହି ଘଟଣା ପରଠାରୁ ଘାଟିରେ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ସ୍ଥାନୀୟ ଆତଙ୍କବାଦୀ ସମେତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛନ୍ତି।
ପଢନ୍ତୁ- ପହଲଗାମ୍ ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚିତ ମିଳିବ, ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଲେ ପିଏମ୍ ମୋଦୀ
ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଆତଙ୍କବାଦୀଙ୍କ ଘର ଭାଙ୍ଗିବା, ସେମାନଙ୍କର ନିରାପଦ ଆଶ୍ରୟସ୍ଥଳ ଉପରେ ଚଢାଉ କରିବା, ଏବଂ ପଚରାଉଚରା ପାଇଁ ଶତାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।