ନୂଆଦିଲ୍ଲୀ ୨୫।୮: ପିଲାଙ୍କୁ ଶୃଙ୍ଖଳିତ କରିବା ନାମରେ ମାରପିଟ କରିବା ଘରେ ଓ ବିଦ୍ୟାଳୟମାନଙ୍କରେ ଏକ ସାଧାରଣ ଘଟଣା। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏହାକୁ ସାର୍ବଜନିକ ଗୁରୁତର ସ୍ୱାସ୍ଥ୍ୟ ସଂକଟ ବୋଲି କହିଛନ୍ତି। ଏ ନେଇ ଜାରି ରିପୋର୍ଟ ଅନୁସାରେ ପିଲାଙ୍କ ଉପରେ ଶାରୀରିକ ଦଣ୍ଡ ଯୋଗୁ ସେମାନଙ୍କ ବ୍ୟବହାର, ବିକାଶ ଅଥବା ସ୍ୱାସ୍ଥ୍ୟ ଉପରେ କୌଣସି ସକରାତ୍ମକ ପ୍ରଭାବ ପଡିନଥାଏ ବରଂ ଏହାର ଦୀର୍ଘକାଳୀନ ପ୍ରଭାବ ସେମାନଙ୍କ ମାନସିକ, ବୌଦ୍ଧିକ ଓ ସାମାଜିକ ପ୍ରଗତିକୁ ଗଭୀର ଭାବେ କ୍ଷତି କରିଥାଏ।
ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ୧୮ ବର୍ଷରୁ କମ ବୟସର ଅଧାରୁ ଅଧିକ ଅର୍ଥାତ ପାଖାପାଖି ୧୨୦ କୋଟି ପିଲା ପ୍ରତିବର୍ଷ କୌଣସି ନା କୌଣସି ଶାରୀରିକ ଦଣ୍ଡର ସମ୍ମୁଖୀନ ହେଉଛନ୍ତି। ଏହାର ଅର୍ଥ ହେଉଛି ପ୍ରତି ମିନିଟରେ ହାରାହାରି ୨,୨୮୩ ଜଣ ପିଲା କେଉଁଠି ନା କେଉଁଠି ଏହି ଯାତନା ଭୋଗୁଛନ୍ତି। ଏମାନଙ୍କ ମଧ୍ୟରୁ ୧୭% ପିଲାଙ୍କ ମୁଣ୍ଡ, ମୁହଁ ଓ କାନକୁ ମାରିବା ଏବଂ ଜୋର ଜୋରରେ ପିଟିବା ଯୋଗୁ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହିପରି ବାରମ୍ବାର ନିର୍ଯାତିତ ହେଉଥିବା ପିଲା ଶାରୀରିକ ବିକାଶ ଗତି ତାଙ୍କ ସାଥୀ ପିଲାଙ୍କ ତୁଳନାରେ ହାରାହାରି ୨୪% ଧିମେଇଯାଉଥିବା ଦେଖାଯାଇଛି।
ଏପରି ନିର୍ଯାତନା ଯୋଗୁ ପିଲାଙ୍କଠାରେ ଅସନ୍ତୋଷ ସମ୍ପର୍କିତ ହରମୋନ ବଢିଯାଇଥାଏ। ଯେଉଁଥିପାଇଁ ପିଲାଙ୍କଠାରେ ଡିପ୍ରେସନ, ଚିନ୍ତା, ଆତ୍ମହତ୍ୟାର ବିଚାର ଓ ଆତ୍ମବିଶ୍ୱାସ ଅଭାବ ଭଳି ଗୁରୁତର ମାନସିକ ସମସ୍ୟା ଦେଖାଦେଇଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ପ୍ରଭାବ ପିଲାଙ୍କ ଠାରେ ସାରା ଜୀବନ ରହିଥାଏ ଓ ବଡ଼ ହୋଇ ଏପରି ପିଲା ହିଂସାତ୍ମକ ଆଚରଣ କରିବା ସହିତ ନିଶା ଅଭ୍ୟାସ ଓ ଅପରାଧିକ ପ୍ରବୃତ୍ତି ଆଡକୁ ଢଳିଥାନ୍ତି।
ଡବ୍ଲୁଏଚଓଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଧାରକ ବିଭାଗ ନିର୍ଦ୍ଦେଶକ ଏଟିଏନ କ୍ରୁଗ କହିଛନ୍ତି ଯେ ଶାରୀରିକ ଦଣ୍ଡର କୌଣସି ସକରାତ୍ମକ ପରିଣାମ ନଥାଏ। ଏଥିରୁ ନା ତ ପିଲାଙ୍କୁ ଲାଭ ମିଳିଥାଏ ନା ପରିବାର ଅଥବା ସମାଜକୁ। ଏବେ ସମୟ ଆସିଯାଇଛି ଏହି ହାନୀକାରକ ପ୍ରଥାକୁ ବନ୍ଦ କରିବା,ଯାହା ଦ୍ୱାରା ପିଲା ଘରେ ଓ ସ୍କୁଲରେ ସୁରକ୍ଷିତ ରହି ପାରିବେ। ରିପୋର୍ଟ ଅନୁସାରେ ଶାରୀରିକ ଦଣ୍ଡର ସବୁଠୁ ବଡ଼ ବିପଦ ସେହି ପିଲାଙ୍କ ପ୍ରତି ରହିଥାଏ, ଯେଉଁମାନେ ବିକଳାଙ୍ଗତାରେ ପୀଡ଼ିତ। ଏହା ଛଡା ଏପରି ପିଲା ବି ଅଧିକ ହିଂସାର ଶିକାର ହୋଇଥାନ୍ତି ଯେଉଁମାନଙ୍କ ମାତାପିତା ସେମାନଙ୍କ ପିଲାଦିନେ ଦଣ୍ଡର ଶିକାର ହୋଇଥାନ୍ତି।
ଯେଉଁମାନଙ୍କ ଘରେ ଅଭାବ, ନିଶା ସମସ୍ୟା, ଡିପ୍ରେସନ ଓ ଅନ୍ୟ ମାନସିକ ବେମାରୀ ରହିଛି ଏବଂ ଯେଉଁମାନେ ବର୍ଣ୍ଣବିଦ୍ୱେଷ, ସାମାଜିକ ଅଥବା ଆର୍ଥିକ ଭେଦଭାବର ଶିକାର ସେଠାରେ ମଧ୍ୟପିଲାଙ୍କ ପ୍ରତି ନିର୍ଯାତନା ବଢିଥାଏ। ଏଥିରେ କ୍ଷେତ୍ରିୟ ଅସାମନତା ମଧ୍ୟ ରିପୋର୍ଟରେ ସ୍ପଷ୍ଟ ଅନୁମାନ କରିହେଉଛି। ଏଥିରେ ଭାରତରେ ପିଲାଙ୍କ ଉପରେ ହିଂସା ମାମଲା ସବୁଠୁ ଉତ୍କଟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ୟୁନିସେଫ ଅଧ୍ୟୟନ ଅନୁସାରେ ଦେଶରେ ପାଖାପାଖି ୫୦ରୁ ୬୦% ପିଲା କୌଣସି ନା କୌଣସି ପ୍ରକାରେ ଶାରୀରକ ଦଣ୍ଡ ଅଥବା ହିଂସାର ଶିକାର ହେଉଛନ୍ତି।