ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଲେ ନିଯୁକ୍ତିପତ୍ର। ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମେଗା ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୭ହଜାର ୨୯୩ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ରାଜ୍ୟ ସରକାରଙ୍କ ୧୨ଟି ବିଭାଗର ଏମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ୧୨ଟି ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୧୫୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ଏଥିରେ ୧୯୧୩ ଜଣ ମାଧ୍ୟମିକ ଶିକ୍ଷକ ଥିବାବେଳେ ୨୪୧ଜଣ ପିଜିଟି ଶିକ୍ଷକ ଅଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ୧୭୫୦ଜଣ, ସୂଚନା ଓ ଲୋକସମ୍ପର୍କ ବିଭାଗର ୩୯ଜଣ ଏସ୍ଡିଆଇପିଆର୍ଓ, ଇସ୍ପାତ ଓ ଖଣି ବିଭାଗର ୧୪ଜଣ ଜୁନିଅର କେମିଷ୍ଟ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୫ଜଣ ପାରାମେଡିକ୍, ବାଣିଜ୍ୟ ଓ ପରିବହନ ନିଯୁକ୍ତି ମେଳା ବିଭାଗର ୧୭ଜଣ କନିଷ୍ଠ ଷ୍ଟେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୬୭୨ଜଣ ଏଏଫ୍ଓ, ଉଚ୍ଚ ଶିକ୍ଷା ବିଭାଗର ୭୪ଜଣ ଜୁନିଅର ଆସିଷ୍ଟାଣ୍ଟ, ପିଇଟି, ଲାବୋରେଟୋରି ଆସିଷ୍ଟାଣ୍ଟ, କୃଷି ଓ କୃଷକ ସଶକ୍ତକରଣ ବିଭାଗର ୧୧୭ଜଣ, ଆଡଭୋଗେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ୪୦ଜଣ, ଜଳସମ୍ପଦ ବିଭାଗରେ ୩୬ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଛି । ଗୃହ ବିଭାଗର ୨୩୬୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ମନ୍ତ୍ରୀ ଙ୍କ ସମେତ ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାୟକ, ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଚ ନେଇ ଜେଲରେ ଓଏଏସ

ଦୁର୍ନୀତି ବିଷ। ତାଠୁ ଦୁରରେ ରୁହ। ଦୁର୍ନୀତି ନିଜ ପାଇଁ ଓ ସରକାର ପାଇଁ ବିପଦ ଜନକ। ଦୁର୍ନୀତି ଗ୍ରସ୍ତ ହେଲେ ଭିଜିଲାନ୍ସ ଧରିବ। କିଛି ଦିନ ତଳେ ଚାକିରୀ ପାଇ ଓଏଏସ ରାଙ୍କରେ ଏକ ନମ୍ବର ହୋଇଥିବା ଓଏଏସ ଅଧିକାରୀ ଲାଞ୍ଚ ନେଇ ଏବେ ଜେଲ ରେ ଅଛନ୍ତି। ଏହା ଦୁଃଖ ଦାୟକ ଘଟଣା। ସେହିପରି ଜଣେ ଆଇ ଏ ଏସ ଅଧିକାରୀ ବି ଲିପ୍ତ ଥିଲେ। ଆଉ ଜେଲ ରେ ଅଛନ୍ତି। ଏହି କଥା ସବୁବେଳେ ମନେ ରଖିଥିବ। ତେଣୁ ସତର୍କ ରହିବାକୁ କଳିଙ୍ଗ ଷ୍ଟାଡିୟମ୍ ନିଯୁକ୍ତି ମେଳାରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ପରାମର୍ଶ।

ଜନ୍ ଏଫ୍ କେନେଡିଙ୍କ ଉଦାହରଣ ଦେଲେ

ମହାନ୍ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ଙ୍କ ମହତ୍ ବାଣୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ। ଦକ୍ଷିଣ ଆଫ୍ରିକା ମହାନ୍ ରାଷ୍ଟ୍ରପତି ନେଲସନ ମାଣ୍ଡେଲା ଙ୍କ ମଧ୍ୟ ଉଦାହରଣ ଦେଲେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ। ଚାକିରି କ୍ଷେତ୍ରରେ ସହାନୁଭୂତି ଦେଖାଇବ। ସହୃଦୟତା ର ସହ ଜନ ସେବା କରିବ ଓ ନ୍ୟାୟ ଦେବେ। ଚାକିରି କୁ ମିଶନ ଭାବେ ଗ୍ରହଣ କର। ତୃଣମୂଳ ସ୍ତରରେ କାମ କରିବ। ସରକାରୀ ଚାକିରି ଦ୍ଵାରା ବ୍ୟକ୍ତିଗତ ଆର୍ଥିକ ସ୍ୱଚ୍ଛଳ ଓ ସ୍ଥିରତା ମିଳିବ । କିନ୍ତୁ ଏତିକିରେ ସୀମିତ ନରହି ଚାକିରି ରେ ସ୍ଵଚ୍ଛତା ସାଧୁତା ଆପଣେଇବାକୁ କଳିଙ୍ଗ ଷ୍ଟାଡିୟମ୍ ନିଯୁକ୍ତି ମେଳାରେ ଦେଲେ ପରାମର୍ଶ।

ଦୁଇ ବର୍ଷରେ ୬୫ ହଜାରରୁ ଅଧିକ ନିଯୁକ୍ତି ଲକ୍ଷ୍ୟ

ନବ ନିଯୁକ୍ତ ଚାକିରିଆ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ୟପଟେ ଖାଲି ହେଉଥିବା ପଦବୀ ପୂରଣ ହେବ। ନୂଆ ପଦବୀ ସୃଷ୍ଟି ହେବ। ବିଜେପି ସରକାର ଆସିବା ପରେ ୧୧ ଟି ନିଯୁକ୍ତି ମେଳାରେ ୩୭ ହଜାର ୩୨୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଦୁଇ ବର୍ଷ ଭିତରେ ୬୫ ହଜାର ରୁ ଅଧିକ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛନ୍ତି ସରକାର। କେନ୍ଦ୍ର ଓ ରାଜ୍ୟ ସରକାର ଚାକିରି ରେ ଶହେ ରେ ୪ ଜଣ ଚାକିରି ପାଉଛନ୍ତି। ରାଜ୍ୟର ଦୃଢ଼ ଶିଳ୍ପ ବିକାଶ ହେବ। ଖଣି, ଖାଦାନ, ବିମାନ ବନ୍ଦର ଗଢି ଉଠିଛି। ବିଗତ ବର୍ଷ ମାନଙ୍କରେ ଓଡ଼ିଶାର ବିକାଶ ହୋଇ ପାରିନଥିଲା। ଯାହା ଏବେ ସଫଳ ହେବ ବୋଲି କହିଛନ୍ତି।

ପୋଷ୍ଟିଂ ଯେଉଁଠି କାମ କର ସେଇଠି

ସେହିପରି କଳିଙ୍ଗ ଷ୍ଟାଡିୟମ୍ ରେ ଚାଲିଥିବା ନିଯୁକ୍ତି ମେଳାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଗୁରୁ ମନ୍ତ୍ର। ଯେଉଁଠି ପୋଷ୍ଟିଂ ସେଇଠି ରହି କାମ କରିବାକୁ ନବ ନିଯୁକ୍ତ ସରକାରୀ ଚାକିରିଆଙ୍କୁ ଗୁରୁ ମନ୍ତ୍ର ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବଦଳି ପାଇଁ ମନ୍ତ୍ରୀଙ୍କ ପାଖକୁ ଆସିବେ ନାହିଁ। ରାଜ୍ୟର ଯେଉଁ ସ୍ଥାନଙ୍କୁ ପଠାଇଲେ ସେଇଠି କାମ କରିବ। କର୍ମ, ସେବା, ଧର୍ମକୁ ଗୁରୁ ମନ୍ତ୍ର ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ। ଲୋକଙ୍କ ସେବକ ହୁଏ ଲୋକଙ୍କ ମାଲିକ ହୁଅ ନାହିଁ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ।