ଭୁବନେଶ୍ବର ୧୦୧୧: ଇଭିଏମ୍ ଲୁଚାଇବା ଅଭିଯୋଗରେ ସ୍ପଷ୍ଟୀକରଣ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ର୍‌. ଏସ୍. ଗୋପାଳନ ଅନ୍ୟ ଜିଲ୍ଲାରୁ କୌଣସି ଇଭିଏମ୍ ଆସିନଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ରବିବାର ନ୍ଧ୍ୟାରେ ଏକ ରାଜନୈତିକ ଦଳ ବଡ଼ ଅଭିଯୋଗ ଆଣିଥିଲା ଯେ ନୂଆପଡ଼ା ଜିଲ୍ଲାପାଳ ଗଞ୍ଜାମରୁ ଗୋଟିଏ ଇଭିଏମ୍ ଲୋଡ୍ ଟ୍ରକ୍ ଆଣି କୁଆଡେ ଲୁଚାଇ ଦେଇଛନ୍ତି । ଏହାକୁ ଏକ ଚ୍ୟାନେଲ ଲଗାତର ଭାବେ ପ୍ରସାରଣ କରିଥିଲା । ଯେଉଁଥିପାଇଁ ପାଇଁ ଆମେ ଆଜି ଏହି ସ୍ପଷ୍ଟୀକରଣ ଦେଉଛୁ ।

୩୦ ଜିଲ୍ଲାରେ ଇଭିଏମ୍ ଓ୍ବେୟାରହାଉସ୍ ଅଛି । ନୂଆପଡ଼ା ଜିଲ୍ଲାରେ ବି ଇଭିଏମ୍ ଥିଲା ତାହା ବ୍ୟବହାର ହେଉଛି । କୌଣସି ଇଭିଏମ୍ ବାହାରୁ ଆସିନାହିଁ । ଗଞ୍ଜାମ ଜିଲ୍ଲାରେ ୨ଟି ଓ୍ବେୟାରହାଉସ୍ ଅଛି । ତାହା ଚଳିତ ମାସରେ ଖୋଲାଯାଇ ନାହିଁ । ଯେଉଁ ଅଭିଯୋଗ ଆସିଛି ତାହା ଆଦୌ ସମ୍ଭବ ନୁହେଁ । ନୂଆପଡ଼ା ଜିଲ୍ଲାପାଳ ଗୋଟେ ଇଭିଏମ୍ ଟ୍ରକ୍ ଆଣିବା ସମ୍ଭବପର ନୁହେଁ । ତାହାର ପ୍ରୋସେସ ରହୁଛି ।

ନିର୍ବାଚନ କମିଶନ କଠୋର ଅଛନ୍ତି । ୭୫ ବର୍ଷ ଧରି ଇସିଆଇ ଭରସାଯୋଗ୍ୟ ହୋଇଆସିଛି । ଇଭିଏମ୍ ବିରୁଦ୍ଧରେ କୌଣସି ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇନାହିଁ । ସ୍ଵଚ୍ଛତା ବଜାୟ ରହିଛି । ଏଭଳି ଅଭିଯୋଗକୁ ଭୋଟର ବିଶ୍ବାସ କରନ୍ତୁ ନାହିଁ । ସାଇଲେଣ୍ଟ ଆୱାରରେ ପଇସା ବଣ୍ଟାଯାଉଥିବା କୌଣସି ଅଭିଯୋଗ ସିଇଓଙ୍କ ନିକଟକୁ ଆସିନାହିଁ । ଆମେ କଡ଼ା ନଜର ରଖିଛୁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

 

ଉଲ୍ଲେଖଯୋଗ୍ୟ ଯେ, ବିଜେଡି ସୋମବାର ଇଭିଏମ୍ ଲୁଚାଇବା ନେଇ ଅଭିଯୋଗ ଆଣିଥିଲା । ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ଗଞ୍ଜାମ ଜିଲ୍ଲାରୁ ଗୋଟେ ଟ୍ରକ୍‌ରେ ଇବିଏମ୍ ମେସିନ ଆସିଛି । ତାହା ଷ୍ଟ୍ରଙ୍ଗ ରୁମ୍‌ରେ ନାହିଁ ଆଉ କେଉଁଠି ଅଛି ତାହା କାହାକୁ ଜଣାନାହିଁ । ଜିଲ୍ଲାପାଳ ମଧ୍ୟ ଏକଥାକୁ ଲୁଚାଉଛନ୍ତି । ଭୋଟ୍ ଚୋରି କରି ଯେପରି ୨୦୨୪ରେ ସରକାରକୁ ଆସିଥିଲା ବିଜେପି ସେହିଭଳି ଏଥର ମଧ୍ୟ ଭୋଟ୍ ଚୋରି ପାଇଁ ଉଦ୍ୟମ ଆରମ୍ଭ କରିଛି । ଏହା ବିରୁଦ୍ଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାର ହୋଇଥିଲା । ଜିଲ୍ଲାପାଳଙ୍କ ବିରୁଦ୍ଧରେ ତଦନ୍ତ କରି ଶନିବାର ବିଳମ୍ବିତ ରାତିରେ ଆସିଥିବା ସମସ୍ତ ଇଭିଏମ୍ କୁଆଡେଗଲା ତାହାର ତଦନ୍ତ କରନ୍ତୁ ବୋଲି ବିଜେଡି ଦାବି କରିଛି ।

ସେହିଭଳି ନୂଆପଡ଼ାରେ ବିଜେପି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ବିଜେଡି ଅଭିଯୋଗ ଆଣିଥିଲାପ୍ରମିଳା କହିଥିଲେ,ଲୋକଙ୍କୁ ମିଛ କଥା କହି ଭ୍ରମିତ କରୁଛି ବିଜେପି । ନୂଆପଡ଼ାରେ ବିଜେପି ସରକାର ମେଡିକାଲ କଲେଜ ନିର୍ମାଣ କରିବା ନେଇ ଘୋଷଣା କରିଛନ୍ତି । ଏହା କଣ ଆଦର୍ଶ ଆଚରଣ ବିଧିର ଉଲଂଘନ ନୁହେଁ ବୋଲି ବିଜେଡି ପ୍ରଶ୍ନ କରିଛି । ନୂଆପଡ଼ାରେ ସବୁ ବଳ ପ୍ରୟୋଗ କରି ଜିତିବେ ବୋଲି ଆଶା ରଖିଛନ୍ତି ଶାସକ ଦଳ । ହେଲେ ଯିଏ ଗତ ଦେଢ଼ ବର୍ଷ ହେବ କିଛି ବି କରିନାହାନ୍ତି ସେମାନେ ଏଭଳି ମିଛ ପ୍ରତିଶ୍ରୁତି କିପରି ଦେଉଛନ୍ତି ବୋଲି ବିଜେଡି କହିଛି । ଏନେଇ ଏକ ଦାବିପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଥିଲା ବିଜେଡି । ​​​​​​​