LIVE TV

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ରବିଋତୁର ୬ ଫସଲ ନିମନ୍ତେ ବଢିଲା MSP

NEWS7
MSP

ନୂଆଦିଲ୍ଲୀ ୧।୧୦: କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିଶ ଅନୁସାରେ କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ୬ ରବି ଫସଲ ପାଇଁ ସଂଶୋଧିତ ଏମଏସପିକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ ଗହମର ନ୍ୟୁନତମ ସମର୍ଥନ ମୂଲ୍ୟ ୬.୫୯% ଅର୍ଥାତ ୧୬୦ ଟଙ୍କା  ବୃଦ୍ଧି କରିଛନ୍ତି। 

ସଂଶୋଧିତ ଏମଏସପି ଅନୁସାରେ ପ୍ରତି କ୍ୱିଣ୍ଟଲ ଗହମ ଦର ଏବେ ୨,୫୮୫ ଟଙ୍କାକୁ ପହଞ୍ଚିଛି। ପୂର୍ବରୁ ଏହି ଦର ୨,୪୨୫ ଟଙ୍କା ଥିଲା। ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାର କୁସୁମ (ସାଫଫ୍ଲାୱାର)କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। କୁସୁମ ଏମଏସପିରେ  କ୍ୱିଣ୍ଟଲ ପିଛା ୬୦୦ ଟଙ୍କା ବୃଦ୍ଧି ହୋଇଛି। ଏହା ପଛକୁ ମସୁର କ୍ୱିଣ୍ଟଲ ପିଛା ୩୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ସୋରିସ କ୍ୱିଣ୍ଟଲ ପିଛା ୨୫୦ ଟଙ୍କା, ଚଣା ୨୨୫, ଜଅ କ୍ୱିଣ୍ଟଲ ପିଛା ୧୭୦ ଟଙ୍କା ବୃଦ୍ଧି ହୋଇଛି।

ନୂଆ ଏମଏସପି ଲାଗୁ ହେବା ପରେ ଜଅ କ୍ୱିଣ୍ଟଲ ପିଛା ଦର ୨,୧୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ଚଣା ୫,୮୭୫ , ମସୁର କ୍ୱିଣ୍ଟଲ ପିଛା ଦର ୭୦୦୦ ଟଙ୍କାକୁ ପହଞ୍ଚିଛି। ସେହିପରି ସୋରିସ କ୍ୱିଣ୍ଟଲ ପିଛା ଦର ୬,୨୦୦ ଟଙ୍କାକୁ ପହଞ୍ଚିଥିବା ବେଳେ କୁସୁମ ମୂଲ୍ୟ ୬,୫୪୦ ଟଙ୍କା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ରବି ଋତୁର ଗହମ ମୁଖ୍ୟ ଫସଲ। ଏଣୁ ଅକ୍ଟୋବର ମାସରୁ ଦେଶରେ ଗହମ ଚାଷ ଆରମ୍ଭ ହୋଇଯାଏ ଓ ମାର୍ଚ୍ଚ ମାସରେ ଅମଳ ହୁଏ।  ଦେଶରେ ଏପ୍ରିଲ ମାସରୁ ଗହମ କିଣା ଆରମ୍ଭ ହୋଇଥାଏ ଜୁନ ପୂର୍ବରୁ ଅଧିକାଂଶ ଚାଷୀଙ୍କ ଫସଲ କିଣା ହୋଇ ସାରିଥାଏ। ୨୦୨୫-୨୬ରେ ସରକାର ୧୧.୯କୋଟି ଟନ ଗହମ ଅମଳର ରେକର୍ଡ ଲକ୍ଷ୍ୟ ରଖିଛନ୍ତି।