ଭୁବନେଶ୍ଵର: କ୍ୟାପିଟାଲ ରିଜିଓନାଲ ରିଙ୍ଗରୋଡକୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗିକୁ ଏହା ସଂଯୋଗ କରିବ। ଏହି ଭୁବନେଶ୍ବର ବାଇପାସ ରୋଡ ୧୧୦ କିଲୋମିଟର ବିଶିଷ୍ଟ ହେବ। ଏଥିପାଇଁ ୮ହଜାର ୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରିଙ୍ଗ ରୋଡ ବିଶେଷ ଭାବେ ଟ୍ବିନ ସିଟି କଟକ ଭୁବନେଶ୍ବରରୁ ଭିଡ କମାଇବା ସହ ନୂଆ ବାଣିଜ୍ୟକ ଅନୁଷ୍ଠାନ, ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। କେନ୍ଦ୍ର ସରକାରଙ୍କ ଏହି ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଓଡ଼ିଶାରୁ ଛୁଟୁଛି ଧନ୍ୟବାଦ ଏବଂ କୃତଜ୍ଞତା ସୂଅ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ କଟକ ଏବଂ ଭୁବନେଶ୍ୱରରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଉଛି ।
Also read: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ ! ଆସନ୍ତା ୨୭ ଓ ୨୮ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ପ୍ରାୟ ୮,୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାର ସଡ଼କ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗେମ୍ ଚେଞ୍ଜର ହେବ । ଦ୍ୱୈତ ସହରରେ ପ୍ରାୟ ୧୧୦ କିଲୋମିଟରର ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ । ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ସହ ରୋଜଗାରର ନୂଆ ସୁଯୋଗ ତିଆରି କରିବ । ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହେବ ।
ଓଡ଼ିଶା ପାଇଁ ଏହା ବହୁ ପ୍ରତୀକ୍ଷିତ ପ୍ରକଳ୍ପ। କାରଣ ଭୁବନେଶ୍ବର କଟକ ବାଏପାସ୍ ରୋଡ଼ ପାଇଁ ବାରମ୍ବାର ଚର୍ଚ୍ଚା ହୋଇଛି। ଏବେ କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାର ଏହା ଅଂଶ ବିଶେଷ। ଦୈନିକ ପ୍ରତ୍ୟକ୍ଷ ଭାବେ ପ୍ରାୟ ୭୪ଲକ୍ଷ ଲୋକ ଏହାଦ୍ବାରା ଉପକୃତ ହେବେ। ୯୩ ଲକ୍ଷ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ। ଏହା ଭୁବନେଶ୍ବର ବିମାନ ବନ୍ଦର, ପୁରୀ ଓ ଅସ୍ତରଙ୍ଗ ବନ୍ଦର ଏବଂ ମେଗା ଫୁଡ ପାର୍କ, ଟେକ୍ସଟାଇଲ, ଫାର୍ମା ଏବଂ ଫିସିଂ କ୍ଲଷ୍ଟରକୁ ଯୋଗାଯୋଗ ସହଜ କରିବ।
କ୍ୟାପିଟାଲ ରିଜିଓନାଲ ରିଙ୍ଗରୋଡକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିବା ପରେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧନ୍ୟବାଦ ଦେଇଛନ୍ତି । ଭୁବନେଶ୍ୱରରେ ଏକ ବିଶୃତ୍ ବିକାଶ ଉପରେ ଦିଶା ଖୋଲିଛି। ରିଙ୍ଗ ରୋଡ ଏକ ନୂଆ ନିର୍ଦ୍ଦେଶ ଦେଇଛି। କ୍ୟାପିଟାଲ ରିଙ୍ଗ ରୋଡ ଭିଡ କମାଇବ ଏବଂ ବିକାଶ ପ୍ଲାନ ମଧ୍ୟ ଉଜ୍ଜୀବିତ ହୋଇଛି ବୋଲି କହିଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆଜି ନୂଆଦିଲ୍ଲୀରେ ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛି।ଏହି ଅବସରରେ ବିକଶିତ ଓଡ଼ିଶା ଗଠନ ଲାଗି ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କଲୁ। ଓଡ଼ିଶାର ବିକାଶ ନିମନ୍ତେ ମନ୍ତ୍ରୀଙ୍କ ଅନୁଦାନ ନିମନ୍ତେ କୃତଜ୍ଞତା ଜଣାଇଛି। କେନ୍ଦ୍ର କ୍ୟାବିନେଟ ତରଫରୁ କଟକ-ଭୁବନେଶ୍ୱର ପାଇଁ ୮,୩୦୭ କୋଟି ଟଙ୍କାର ୬-ଲେନ୍ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ସମସ୍ତ ଓଡିଶାବାସୀଙ୍କ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଲି।