ମନିକା ବିଶ୍ୱକର୍ମା ହେଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫, ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ କରିବେ ପ୍ରତିନିଧିତ୍ୱ

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ : ଦେଶକୁ ମିଳିଛି ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ।  ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ପ୍ରତିଯୋଗିତାରେ ମନିକା ବିଶ୍ୱକର୍ମା ପିନ୍ଧିଛନ୍ତି ବିଜୟ ମୁକୁଟ। ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିବା ପରେ ମନିକାଙ୍କ ଖୁସି କହିଲେ ନ ସରେ। ବିଜୟର ଆନନ୍ଦ ତାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। 


ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା ମନିକା ବିଶ୍ୱକର୍ମା । ଏବେ ସେ  ଦିଲ୍ଲୀରେ ମଡେଲିଂ କରୁଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ ହେବା ପରେ ସେ ଏବେ ଏକ ଲମ୍ବା ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ମନିକା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିବା ପୂର୍ବରୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ରାଜସ୍ଥାନ ୨୦୨୪ର ମୁକୁଟ ପିନ୍ଧିଥିଲେ । ଏହା ପରେ, ସେ ଦିଲ୍ଲୀରେ ମଡେଲିଂରେ ଏଣ୍ଟ୍ରି କରିଥିଲେ । ବଡ଼ କଥା ହେଉଛି ମନିକାଙ୍କୁ ଏହି ବିଜୟ ଖୁସି ଦେବା ସହ ତାଙ୍କ ଦାୟିତ୍ୱ କୁ ବଢ଼ାଇ ଦେଇଛି । ସେ ଚଳିତ ବର୍ଷ ଶେଷସୁଦ୍ଧା ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୩୦ଟି ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିବେ ।


ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ପରେ ମନିକା କହିଛନ୍ତି,''ସଂଘର୍ଷ ଅପେକ୍ଷା ପ୍ରସ୍ତୁତିର ଏକ ଯାତ୍ରା ରହିଥାଏ । ଯାହା ଖୁବ୍ ଗୁରୁତ୍ୱ ବହନ କରେ। ଗଙ୍ଗାନଗରରୁ ଦିଲ୍ଲୀ ଆସି ପ୍ରସ୍ତୁତି ଆରମ୍ଭ କରିଥିଲି । ମୁଖ୍ୟ କଥା ହେଲା ଆତ୍ମବିଶ୍ୱାସ ଏବଂ ଉତ୍ସାହ ଆମକୁ ଆଗକୁ ନେଇଥାଏ ।  ମୋ ସଫଳତାରେ ମୁଁ ସମସ୍ତଙ୍କୁ  ଧନ୍ୟବାଦ ଜଣାଉଛି।  ସୁନ୍ଦୀର ପ୍ରତିଯୋଗିତା କେବଳ ଏକ ଫିଲ୍ଡ ନୁହେଁ ଏହା ଏକ ଦୁନିଆ ଯାହା ଲୋକଙ୍କୁ ଗଢେ । ଏ ଯାତ୍ରା ମୋ ପାଇଁ ବହୁତ ସ୍ପେଶାଲ ଥିଲା । ଏବେ ମୋର ଲକ୍ଷ୍ୟ ହେଉଛି ମୋର ସର୍ବୋତ୍ତମ କ୍ଷମତା ସହିତ ଭାରତକୁ ପ୍ରତିନିଧିତ୍ୱ କରିବା ଏବଂ ମିସ୍ ୟୁନିଭର୍ସ ମୁକୁଟ ଘରକୁ ଆଣିବା...' ''

ଏ ସଫଳତା ପରେ ମନିକାଙ୍କୁ ଅଭିନେତ୍ରୀ ତଥା ଜୁରି ମେମ୍ବର ଥିବା ଉର୍ବସୀ ରୌତେଲା ଶୁଭେଚ୍ଛା ଜଣାଇବା ସହ ଆଗାମୀ ଯାତ୍ରା ପାଇଁ ଉତ୍ସାହିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.