ଉଚ୍ଚ ଶିକ୍ଷିତା ମହିଳା ବସି ରହି ସ୍ୱାମୀଙ୍କ ଠାରୁ ଭରଣପୋଷଣ ମାଗିବା ଅନୁଚିତ, ଆଇନ ଆଳସ୍ୟକୁ ପ୍ରୋତ୍ସାହନ ଦିଏନି: ହାଇକୋର୍ଟ

Published By : Prameya-News7 Bureau | March 20, 2025 IST

indiatoday

ନୂଆଦିଲ୍ଲୀ: କ୍ରିକେଟର ୟୁଜବେନ୍ଦର ଚହଲ ଛାଡ଼ପତ୍ର ପରେ ତାଙ୍କ ପୂର୍ବତନ ପତ୍ନୀ ଧନଶ୍ରୀଙ୍କୁ ଭରଣପୋଷଣ ପାଇଁ ୪ କୋଟିରୁ ଅଧିକ ଟଙ୍କା ଦେବେ! ଏନେଇ ମିଡିଆରେ ଖବର ଚାଲିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଏକ ରୋଚକ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଘରେ ବେକାର ବସି ରହିବାକୁ ଆଇନ ପ୍ରୋତ୍ସାହନ ଦିଏ ନାହିଁ। ତେଣୁ ରୋଜଗାର କରିବାର କ୍ଷମତା ଥିବା ମହିଳାମାନେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ। 

ଏ ସଂକ୍ରାନ୍ତୀୟ ଏକ ମାମଲାରେ ଶୁଣାଣି କରି କୋର୍ଟ ଏପରି ରାୟ ଶୁଣାଣିଛନ୍ତି। ଜଣେ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବିକୁ ନିମ୍ନ ଅଦାଲତ ଖାରଜ କରିଦେଇଥିଲେ। ଯାହା ବିରୋଧରେ ମହିଳା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। 

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଚନ୍ଦ୍ର ଧାରି ସିଂହ ମାର୍ଚ୍ଚ ୧୯ ତାରିଖରେ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ସିଆରପିସି ଧାରା ୧୨୫ (ସ୍ତ୍ରୀ, ପିଲା ଏବଂ ପିତାମାତାଙ୍କ ଭରଣପୋଷଣ ପାଇଁ ଆଦେଶ) ପତି/ପତ୍ନୀଙ୍କ ମଧ୍ୟରେ ସମାନତା ବଜାୟ ରଖିବା ଏବଂ ସ୍ତ୍ରୀ, ପିଲା ଏବଂ ପିତାମାତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଇନଗତ ନିୟମ ରହିଛି। କିନ୍ତୁ ଏହା କୌଣସି ପ୍ରକାର "ଆଳସ୍ୟ"କୁ ପ୍ରୋତ୍ସାହିତ କରେ ନାହିଁ। କୋର୍ଟ ଏପରି କହିବା ସହିତ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।  

ପଢନ୍ତୁ- ଭାରତ ସରକାରଙ୍କ ବିରୋଧରେ କୋର୍ଟରେ କେସ୍ କଲା ଏଲନ ମସ୍କଙ୍କ କମ୍ପାନୀ ଏକ୍ସ

ଜଷ୍ଟିସ ସିଂହ କହିଛନ୍ତି “ ଜଣେ ଉଚ୍ଚ ଶିକ୍ଷିତା ପତ୍ନୀ, ଯାହାଙ୍କର ଏକ ଉଚ୍ଚପଦବୀରେ ଚାକିରି କରିବାର ଅଭିଜ୍ଞତା ରହିଛି, ସେ କେବଳ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇବା ପାଇଁ ଏମିତି ବସି ରହିବା ଉଚିତ ନୁହେଁ। ତେଣୁ, ବର୍ତ୍ତମାନ ମାମଲାରେ ମହିଳାଙ୍କର ଅନ୍ତରୀଣ ଭରଣପୋଷଣକୁ ଦାବିକୁ ଖାରଜ କରାଯାଉଛି। କାରଣ କୋର୍ଟ ଆବେଦନକାରୀଙ୍କଠାରେ ଉଚ୍ଛ ଶିକ୍ଷା ମାଧ୍ୟମରେ ଭଲ ରୋଜଗାର କରିବାର ସମ୍ଭାବନା ଦେଖିପାରୁଛନ୍ତି।”

କେବଳ ସେତିକି ନୁହେଁ, କୋର୍ଟ ମହିଳାଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଚାକିରି ଖୋଜିବାକୁ ଉତ୍ସାହିତ କରିଥିଲେ, ଏବଂ କହିଥିଲେ ଯେ ତାଙ୍କର ବ୍ୟାପକ ଯୋଗ୍ୟତା ରହିଛି। ଏବଂ ସେ ଅନ୍ୟ ଅଶିକ୍ଷିତ ମହିଳାଙ୍କ ପରି ନୁହେଁ ଯେଉଁମାନେ ସାଂସାରିକ ଜୀବନ ବିଷୟରେ ନ ଜାଣି ମୌଳିକ ସୁବିଧା ପାଇଁ ସ୍ୱାମୀର ଭରଣପୋଷଣ ଉପରେ ନିର୍ଭର କରନ୍ତି। ତେଣୁ ଭରଣପୋଷଣ ନ ଦାବି କରି ମହିଳା ନିଜକୁ ସ୍ୱାବଲମ୍ବୀ କରିବାକୁ ତତ୍ପରତାର ସହ ଚାକିରି ଖୋଜିବା ଦରକାର ବୋଲି ବିଚାରପତି କହିଥିଲେ। 

କ’ଣ ଥିଲା ଘଟଣା?

ସୂଚନା ଅନୁସାରେ ମହିଳା ଜଣଙ୍କ ଡିସେମ୍ବର ୨୦୧୯ରେ ବିବାହ କରି ସ୍ୱାମୀଙ୍କ ସହ ସିଙ୍ଗାପୁର ପଳାଇଥିଲେ। ହେଲେ ୨୦୨୧ରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଭାରତ ଫେରି ଆସିଥିଲେ। ଭାରତ ଫେରିବା ପାଇଁ ସେ ତାଙ୍କ ଗହଣା ବିକ୍ରି କରିଥିଲେ ଓ ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ସେ ତାଙ୍କ ମାମୁଁଙ୍କ ଘରେ ରହୁଥିବା ଦାବି କରିଥିଲେ।

ପଢନ୍ତୁ- ୟୁଜଭେନ୍ଦ୍ର ଚହଲଙ୍କୁ ବଡ ଝଟକା, ଭରଣପୋଷଣ ପାଇଁ ଧନଶ୍ରୀଙ୍କୁ ଦେବେ ୪.୭୫ କୋଟି

ଏହାପରେ ଜୁନ ୨୦୨୧ରେ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବି କରୋର୍ଟରେ କେସ୍ କରିଥିଲେ। ହେଲେ ସ୍ୱାମୀ ଏହି ଆବେଦନକୁ ବିରୋଧ କରିଥିଲେ। ଆଉ କହିଥିଲେ ଯେ ଏହା ଆଇନର ଦୁରୁପଯୋଗ। ମହିଳା ଉଚ୍ଚଶିକ୍ଷିତା, ତେଣୁ ସେ ରୋଜଗାର ନ କରି ଭରଣପୋଷଣ ମାଗିବା ଅନ୍ୟାୟ। ଏହାପରେ କୋର୍ଟ ଜାଣିବାକୁ ପାଇଥିଲେ ଯେ ମହିଳା ଜଣଙ୍କ ଅଷ୍ଟ୍ରେଲିଆରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ, ଏବଂ ଦୁବାଇରେ ଭଲ ଦରମାରେ ଚାକିରି କରୁଥିଲେ। ତେଣୁ କେବଳ ଯେ ଭରଣପୋଷଣ ପାଇଁ ବେକାର ହୋଇ ବସି ରହିବାକୁ କୋର୍ଟ ଗ୍ରହଣ ନ କରି ମହିଳାଙ୍କ ଆବେଦନ ଖାରଜ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.