ମୁମ୍ଵାଇ ୨୦।୦୩; ଟିମ ଇଣ୍ଡିଆର ଖେଳାଳି ୟୁଜଭେନ୍ଦ୍ର ଚହଲ । ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ମାମଲାରେ ଏକ ବଡ଼ ଅପଡେଟ ଆସିଛି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରକୁ ନେଇ ବହୁତ ଦିନ ଧରି ଆଲୋଚନା ହେଉଥିଲା। ଏବେ ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରର ନିଷ୍ପତ୍ତି ମାର୍ଚ୍ଚ ୨୦ ଅର୍ଥାତ୍ ଗୁରୁବାର ଆସିପାରେ। ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି। ଚହଲଙ୍କୁ ଭରଣପୋଷଣ ଦେବାକୁ ପଡିବ କି ନାହିଁ ସେ ବିଷୟରେ ମଧ୍ୟ ଏକ ଅପଡେଟ ମିଳିଛି।
ଖବର ଅନୁଯାୟୀ, ବମ୍ବେ ହାଇକୋର୍ଟ ପରିବାର ଅଦାଲତର ନିଷ୍ପତ୍ତିକୁ ବାତିଲ କରିଦେଇଛନ୍ତି। ଏଥିରେ, ହିନ୍ଦୁ ବିବାହ ଆଇନ ଅନୁଯାୟୀ ଛାଡପତ୍ର ପାଇଁ କୁଲିଂ-ଅଫ ପିରିୟଡ ଛାଡ଼ କରିବା ପାଇଁ ଚହଲ ଏବଂ ଧନଶ୍ରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଜଷ୍ଟିସ ମାଧବ ଜାମଦାରଙ୍କ ଖଣ୍ଡପୀଠ ମାର୍ଚ୍ଚ ୨୦ ସୁଦ୍ଧା ଛାଡପତ୍ର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ପରିବାର କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁହିଁଙ୍କ ମଧ୍ୟରେ ଭରଣପୋଷଣ ସମ୍ପର୍କରେ ଏକ ଚୁକ୍ତି ହୋଇଥିଲା। ଏହା ଅଧୀନରେ, ଚହଲ ଧନଶ୍ରୀଙ୍କୁ ସ୍ଥାୟୀ ଭରଣପୋଷଣ ଭାବରେ ୪ କୋଟି ୭୫ ଲକ୍ଷ ଟଙ୍କା ଦେବେ। ସେ ପୂର୍ବରୁ ୨ କୋଟି ୩୭ ହଜାର ଟଙ୍କା ଦେଇସାରିଛନ୍ତି। ଏବେ ପରିବାର କୋର୍ଟର ନିଷ୍ପତ୍ତି ପରେ ବଳକା ରାଶି ଦିଆଯିବ।
ଚହଲ ଏବଂ ଧନଶ୍ରୀ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଭଲ ଚାଲି ନଥିଲା । ବିବାହର ପ୍ରାୟ ୨ ବର୍ଷ ପରେ ଚହଲ ଏବଂ ଧନଶ୍ରୀ ଅଲଗା ରହିବା ଆରମ୍ଭ କରିଥିଲେ। ଦୁହେଁ ଜୁନ ୨୦୨୨ ଠାରୁ ଏପର୍ଯ୍ୟନ୍ତ ଅଲଗା ରହୁଛନ୍ତି। ଚଳିତ ବର୍ଷ ଫେବୃଆରୀ ୫ ତାରିଖରେ ଛାଡପତ୍ର ଆବେଦନ ଦାଖଲ କରାଯାଇଥିଲା। ଉଭୟ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେଉଛନ୍ତି।