ଦୁନିଆରୁ ଗାଏବ ହୋଇଯିବ କି ଆଇସକ୍ରିମ? ବ୍ୟବସାୟ ପ୍ରତି ମୁହଁ ମୋଡ଼ୁଛନ୍ତି କମ୍ପାନୀ, ନ୍ୟାସଲେ ବିକ୍ରି କରିବ ବିଜନେଶ

NEWS7
canadian-theater-owners-threatened-before-ponniyin-selvan-release-will-attack

ନୂଆଦିଲ୍ଲୀ: ଧୀରେ ଧୀରେ କମୁଛି ଆଇସକ୍ରିମ ବ୍ୟବସାୟ। ବଡ଼ ବଡ଼ କମ୍ପାନୀଗୁଡ଼ିକ ଏବେ ଏହି ବ୍ୟବସାୟ ପ୍ରତି ମୁହଁ ମୋଡ଼ିଲେଣି। ବିଶ୍ୱର ସର୍ବବୃହତ ଖାଦ୍ୟ ଏବଂ ପାନୀୟ କମ୍ପାନୀ ନେସଲେ ମଧ୍ୟ ଏହାର ଆଇସକ୍ରିମ ବ୍ୟବସାୟକୁ ବିକ୍ରି କରିବାକୁ ବାହାରିଛି। କମ୍ପାନୀ ପୂର୍ବରୁ ଏହାର ଆଇସକ୍ରିମ ବ୍ୟାବସାୟର କିଛି ଶେୟାର ବିକ୍ରି କରି ସାରିଥିଲା। ଆଉ ଏବେ ଅବଶିଷ୍ଟ ଶେୟାରକୁ ଜଏଣ୍ଟ ଭେଞ୍ଚରରେ ପାର୍ଟନର ଥିବା ଫ୍ରୋନେରିକୁ ବିକ୍ରି କରିବାକୁ ଚାହୁଁଛି। ଏନେଇ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଛି।

ଏଇ କିଛି ବର୍ଷ ହେବ ବିଶ୍ୱ ଏଫଏମସିଜି କ୍ଷେତ୍ରରେ ଏକ ଏହି ଧାରା ପରିଲକ୍ଷିତ ହେଉଛି। ବଡ଼ ବଡ଼ କମ୍ପାନୀଗୁଡ଼ିକର ସେମାନଙ୍କ ଆଇସକ୍ରିମ ବ୍ୟବସାୟ ପ୍ରତି ମୋହ ଭଙ୍ଗ ହେଉଛନ୍ତି। ଯେଉଁଥିରେ ନେସ୍ଲେ ବି ସାମିଲ୍ ହୋଇଛି।

ନେସଲ କରିବାକୁ ଯାଉଥିବା ଡିଲ୍‌ରେ କମ୍ପାନୀର ହାଗେନ ଡାଜ୍ ଓ ଡ୍ରମଷ୍ଟିକ ବଳି ବ୍ରାଣ୍ଡ୍ ମଧ୍ୟ ରହିଛି। ଯାହାର ମୋଟ ଭାଲ୍ୟୁ ୧.୩ ବିଲିଅନ ଡଲାର (ପାଖାପାଖି ୧୧ ହଜାର କୋଟି ଟଙ୍କା) ଆକଳନ କରାଯାଇଛି। ନେସଲେ ଏହି ବ୍ରାଣ୍ଡଗୁଡ଼ିକୁ ନିଜ ପାର୍ଟନର ଫ୍ରୋନେରିକୁ ବିକ୍ରି କରିବାକୁ ଚାହୁଁଛି। କିନ୍ତୁ କମ୍ପାନୀ ଜଏଣ୍ଟ ଭେଞ୍ଚରରେ ରହିବାକୁ ଚାହୁଁଛି। ନେସଲେର ନୂଆ ସିଇଓ ଫିଲିପ୍ ନଭ୍ରଟିଲ୍ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କମ୍ପାନୀର ଖଣ୍ଡିତ ସାମ୍ରାଜ୍ୟକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନଭ୍ରଟିଲଙ୍କ କହିବା ଅନୁଯାୟୀ, ଏହି ଆଇସକ୍ରିମ୍ ବ୍ରାଣ୍ଡଗୁଡ଼ିକ ଯୋଗୁ କମ୍ପାନୀ ଏହାର ମୂଳ ବ୍ୟବସାୟରୁ ଦିଗହରା ହେଉଥିଲା। ତେଣୁ ଏହାକୁ ହଟାଇ କମ୍ପାନୀ ଏବେ ଏହାର ସର୍ବାଧିକ ପ୍ରଧାନ୍ୟ ଥିବା ଥିବା ୪ଟି କ୍ଷେତ୍ର କଫି, ପେଟ୍ କେୟାର, ନ୍ୟୁଟ୍ରିସନ ଓ ସ୍ନାକ୍ସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବ।

ନଭ୍ରଟିଲଙ୍କ କହିଛନ୍ତି "ଫ୍ରୋନେରି ଭଳି ଏକ୍ସପର୍ଟ କମ୍ପାନୀଗୁଡ଼ିକ ଯେଉଁ ଗତିରେ ଏହି ବ୍ରାଣ୍ଡଗୁଡ଼ିକୁ ବଢାଇ ପାରିବେ, ଆମେ କରିପାରିବୁ ନାହିଁ।" ତେଣୁ ଅଯଥା ରିକ୍ସ ନେଇ କମ୍ପାନୀର ଅନ୍ୟ ବ୍ୟବସାୟ ଉପରେ ଚାପ ସୃଷ୍ଟି କରିବା ଅପେକ୍ଷା କମ୍ପାନୀ ଏହାର ମୂଳ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ନଭ୍ରଟିଲ ବିଚାର କରୁଛନ୍ତି।

ନେସଲେ, ଏକ ବିଶାଳ କମ୍ପାନୀ ଯାହା ଏବେ ଖର୍ଚ୍ଚ କାଟ କରିବା ପାଇଁ ଏଆଇ ଏବଂ ଅଟୋମେସନକୁ ଆପଣାଉଛି। ଏଥିପାଇଁ କମ୍ପାନୀ ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଛି। ଯେଉଁଠାରେ ମାର୍ଜିନ୍ ଅଧିକ ଏବଂ ସ୍ଥିର ରହିବ କମ୍ପାନୀ ସେ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଚାହୁଁଛି।

ଆଇସକ୍ରିମ ବ୍ୟବସାୟକୁ ବାଏବାଏ କହିଛନ୍ତି ଏହି କମ୍ପାନୀ
ନେସଲେ ଏକମାତ୍ର କମ୍ପାନୀ ନୁହେଁ, ଯିଏ ଆଇସକ୍ରିମ ବ୍ୟବସାୟରୁ ମୁହଁ ଫେରାଇ ନେଇଛି, ଏଫ୍ଏମସିଜି ଓ ଡାଏରୀ କ୍ଷେତ୍ରରେ ଏନେଇ ଏକ ସାଂଗଠନିକ ପରିବର୍ତ୍ତନ ବା ଷ୍ଟ୍ରକ୍ଚରାଲ ସିଫ୍ଟ ହେଉଛି। ବର୍ତ୍ତମାନ ସମୟରେ (୨୦୨୪-୨୦୨୬ ମଧ୍ୟରେ), ବିଶ୍ୱର ଅନେକ ବଡ଼ କମ୍ପାନୀ ସେମାନଙ୍କର ଆଇସକ୍ରିମ୍ ବ୍ୟବସାୟକୁ ବିକ୍ରି କରିଦେଇଛନ୍ତି କିମ୍ବା ଅଲଗା କରିଦେଇଛନ୍ତି।  

ୟୁନିଲିଭର- ବିଶ୍ୱର ସବୁଠାରୁ ବଡ଼ ଆଇସକ୍ରିମ୍ ନିର୍ମାତା ୟୁନିଲିଭର, ଏହାର ଆଇସକ୍ରିମ୍ ବ୍ୟବସାୟକୁ ଅଲଗା କରି ଦ ମାଗ୍ନମ ଆଇସ କ୍ରିମ କମ୍ପାନୀ( The Magnum Ice Cream Company) ନାମରେ ଏକ ନୂଆ ସ୍ୱାଧୀନ କମ୍ପାନୀ ଗଠନ କରିଥିଲା। ଭାରତରେ ଏହାର ସବ୍‌ସିଡାରଇ କମ୍ପାନୀ HUL (Hindustan Unilever) ମଧ୍ୟ ଏହାର କ୍ୱାଲିଟି ୱାଲ୍ସ (Kwality Wall’s), କର୍ଣ୍ଣେଟୋ (Cornetto) ଓ ମାଗ୍ନମ (Magnum) ବ୍ୟବସାୟକୁ କ୍ୱାଲିଟି ୱାଲ୍ସ ଇଣ୍ଡିଆ ଲିମିଟିଡେ (Kwality Wall's (India) Limited) ଭାବେ ଅଲଗା କରିଦେଇଛି।
Nestlé (ନେସଲେ): ନେସଲେ କାନାଡ଼ା ଏବଂ ଚୀନ୍ ଭଳି ଦେଶରେ ଏହାର ଆଇସକ୍ରିମ୍ ବ୍ୟବସାୟକୁ ଫ୍ରୋନେରିକକୁ ବିକ୍ରି କରିବା ପାଇଁ ଚୁକ୍ତି କରୁଛି। ଏହା ପୂର୍ବରୁ କମ୍ପାନୀ ଆମେରିକାରେ ନିଜର ବ୍ୟବସାୟ ବିକ୍ରି କରିସାରିଛି।
Havmor (ହାଭମୋର୍): ଭାରତର ପ୍ରସିଦ୍ଧ ବ୍ରାଣ୍ଡ ହାଭମୋର୍କୁ ଦକ୍ଷିଣ କୋରିଆର Lotte Wellfood ପାଖାପାଖି ୧,୦୨୦ କୋଟି ଟଙ୍କାରେ କିଣି ନେଇଛି।

ଆମେରିକୀୟ ପ୍ରତିଷ୍ଠିତ କମ୍ପାନୀ ଜେନେରାଲ ମିଲ୍ସ ଏହାର ଆଇସକ୍ରିମ ୟୁନିଟକୁ ଲାକ୍ଟାଲିସ୍କୁ ବିକ୍ରି କରିବା ନେଇ ଖବର ପ୍ରକାଶ ପାଇଥିଲା। ସେହିପରି ବିଶ୍ୱର ସର୍ବବୃହତ ଦୁଗ୍ଧ ରପ୍ତାନିକାରୀ ଫଣ୍ଟେରା ମଧ୍ୟ ଏହାର ଗ୍ଲୋବାଲ କଞ୍ଜ୍ୟୁମର ଓ ଆଇସକ୍ରିମ ବ୍ୟବସାୟ ବିକ୍ରି କରିବାକୁ ଯାଉଛି। ଏଥିପାଇଁ ଫ୍ରାନ୍ସ କମ୍ପାନୀ ଲାକ୍ଟାଲିସ୍ ₹୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ଏକ ବଡ଼ ବିଡ୍ ଡାକିଛି।

କାହିଁକି ଆଇସକ୍ରିମ ବ୍ୟବସାୟ ପ୍ରତି ହେଉଛି ମୋହଭଙ୍ଗ?

ବ୍ୟବସାୟୀଙ୍କର ଆଇସକ୍ରିମ ବ୍ୟବସାୟରେ ଆଉ ପୂର୍ବପରି ଇଣ୍ଟରେଷ୍ଟ ରହୁ ନାହିଁ। ବଜାର ବିଶ୍ଳେଷକମାନେ କୁହନ୍ତି ଯେ ଜଟିଳ କୋଲ୍ଡ-ଚେନ୍ ଲଜିଷ୍ଟିକ୍ସ, ଅଧିକ ବିଦ୍ୟୁତ୍ ବ୍ୟବହାର ଏବଂ ଋତୁକାଳୀନ ନିର୍ଭରଶୀଳତା ଯୋଗୁ ଆଇସକ୍ରିମ ବ୍ୟବସାୟ ଏକ 'କଠିନ ବ୍ୟବସାୟ'ରେ ପରିଣତ ହୋଇଛି। ଖରା ଦିନଗୁଡ଼ିକରେ ଆଇସକ୍ରିମ ବ୍ୟବସାୟ ପିକ୍ରେ ରହୁଥିବା ବେଳେ ଶୀତ କିମ୍ବା ବର୍ଷା ସମୟରେ ବ୍ୟବସାୟ ଏକ ଦମ ଡାଉନ୍ ରହୁଛି। ତେଣୁ ଋତୁକାଳୀନ ବ୍ୟବସାୟ ପାଇଁ କମ୍ପାନୀଗୁଡ଼ିକ ଏତେ ନିବେଶ କରି ରିସ୍କ ନେବାକୁ ଚାହୁଁ ନାହାନ୍ତି।

ଏହା ଛଡ଼ା ବିକଳ୍ପର ବି ଅଭାବ ନାହିଁ। ଅସ୍ଥିର ପରିସ୍ଥିତିରେ ସେହି ଗୋଟିଏ ବ୍ୟବାସୟ ପାଇଁ ନିବେଶ ନେଇ କମ୍ପାନୀ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଆଉ ଏକ ବଡ଼ ଫ୍ୟାକ୍ଟର ହେଲା ଲୋକଙ୍କର ସ୍ୱାସ୍ଥ୍ୟ ସତର୍କତା। ଲୋକମାନେ ଏବେ ସୁଗାର ଓ କ୍ୟାଲୋରି ସେବନ ପ୍ରତି ଅଧିକ ସଚେତନ ହେବାରେ ଲାଗିଛନ୍ତି। ଅନେକ ଦେଶରେ ସୁଗାର ଟ୍ୟାକ୍ସ ବୃଦ୍ଧି ଏବଂ ଅସ୍ୱାସ୍ଥ୍ୟକର ଉତ୍ପାଦ ବିରୁଦ୍ଧରେ କଠୋର ନିୟମ କମ୍ପାନୀଗୁଡ଼ିକୁ ଉଦ୍ଭିଦ-ଭିତ୍ତିକ ଏବଂ ପୁଷ୍ଟିସାର-ଭିତ୍ତିକ ଉତ୍ପାଦରେ ବ୍ୟବସାୟ କରିବାକୁ ପ୍ରେରଣା ଦେଉଛି। ଆଇସକ୍ରିମ ବ୍ୟବସାୟରୁ ମିଳିଥିବା କମ ମାର୍ଜିନ ବି ଏହାର ମୁଖ୍ୟ କାରଣ।

ଆଇସକ୍ରିମ ବିକ୍ରି ମୌସୁମୀ ଉପରେ ବି ନିର୍ଭର କରୁଛି। ଗ୍ରୀଷ୍ମ ଋତୁରେ ଚାହିଦା ଅଧିକ ରହୁଥିବା ବେଳେ ଶୀତ ଏବଂ ବର୍ଷା ଋତୁରେ ବିକ୍ରୟ ମନ୍ଥର ହେଉଛି। ପ୍ରକୃତ ଲାଭ କମ୍ ରହିଥାଏ। ବ୍ୟୁଟି ଓ ପର୍ସନାଲ କେୟାର ପ୍ରଡକ୍ଟରେ ୨୦-୨୫% ମାର୍ଜିନ ମିଳୁଥିବା ବେଳେ ସେହି ତୁଳନାରେ, ଆଇସକ୍ରିମର ମାର୍ଜିନ ୧୦-୧୪% ରହୁଛି। ତେଣୁ ନିବେଶକଙ୍କୁ ଆଇସକ୍ରିମ ବ୍ୟବସାୟ ସେତେଟା ଲାଭ ଦେଉ ନାହିଁ। ସେପଟା କାର୍ବନ ନିର୍ଗମନ କମ୍ କରିବା ଲକ୍ଷ୍ୟ ହାସଲ କରିବା ମଧ୍ୟ ଏହାର ଏକ କାରଣ।

ଆଇସକ୍ରିମ ଉତ୍ପାଦନ ଠାରୁ ଗ୍ରାହକଙ୍କ ନିକଟକୁ ବିତରଣ ପର୍ଯ୍ୟନ୍ତ ମାଇନସ୍ ୧୮° ସେଲସିୟସ୍ କିମ୍ବା ତା’ଠାରୁ କମ୍ ତାପମାତ୍ରା ଆବଶ୍ୟକ କରେ। ତେଣୁ ଏଥିପାଇଁ ସ୍ୱତନ୍ତ୍ର ଫ୍ରିଜର ଟ୍ରକ୍ ଏବଂ ଗୋଦାମ ରକ୍ଷଣାବେକ୍ଷଣରେ ଅଧିକ ଖର୍ଚ୍ଚ କରିବାକୁ ପଡ଼େ। ବଢ଼ୁଥିବା ବିଦ୍ୟୁତ୍ ଖର୍ଚ୍ଚ ଏବଂ କାର୍ବନ ନିର୍ଗମନ ହ୍ରାସ କରିବାକୁ ବିଶ୍ୱରେ ଚାପ ପଡ଼ୁଥିବାରୁ ଏହାର ଯୋଗାଣ ଶୃଙ୍ଖଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି। ଏତେସବୁ ଅବ୍ୟବସ୍ଥା ଭିତରେ ନିବେଶକମାନେ ଆଉ ଆଇସକ୍ରିମ ବ୍ୟବସାୟ ପ୍ରତି ଧ୍ୟାନ ଦେଉ ନାହାନ୍ତି।