କଲିକତା ହାଇକୋର୍ଟ ୨୦୧୦ ପରଠୁ ଜାରି ଓବିସି ସାର୍ଟିଫିକେଟ୍ କଲେ ରଦ୍ଦ, ମମତା କହିଲେ- ‘ଗ୍ରହଣ କରିବୁ ନାହିଁ’

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: କଲିକତା ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଦେଇଛନ୍ତି । କୋର୍ଟ ତାଙ୍କ କାର୍ଯ୍ୟକାଳରେ ଜାରି ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ରଦ୍ଦ କରିଛନ୍ତି । କୁହାଯାଉଛି ଯେ ଏଥିରେ ବଡ଼ ସଂଖ୍ୟାରେ ମୁସଲିମ୍ ସମୁଦାୟ ଅଛନ୍ତି । ବୁଧବାର ଜଷ୍ଟିସ୍ ତପୋବ୍ରତ ଚକ୍ରବର୍ତ୍ତୀ ଏବଂ ଜଷ୍ଟିସ୍ ରାଜଶେଖର ମନ୍ଥରଙ୍କ ଖଣ୍ଡପୀଠ କହିଛନ୍ତି ଯେ ୨୦୧୦ରୁ କୌଣସି ମାନଦଣ୍ଡ ଏବଂ ନିୟମ ପାଳନ ନକରି ରାଜ୍ୟରେ ଓବିସି ସାର୍ଟିଫିକେଟ୍ ଜାରି କରାଯାଇଛି ।

ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି ଯେ ଏହିପରି ଓବିସି ପ୍ରମାଣ ପତ୍ର ଜାରି କରିବା ଅସାମ୍ୱିଧାନିକ ଅଟେ । କୋର୍ଟ କହିଛନ୍ତି ଯେ ଏହି ପ୍ରମାଣ ପତ୍ର ପଛୁଆ ବର୍ଗ ଆୟୋଗଙ୍କ ପରାମର୍ଶ ବିନା ଜାରି କରାଯାଇଛି, ତେଣୁ ସେହି ସବୁ ପ୍ରମାଣ ପତ୍ରକୁ ରଦ୍ଦ କରାଯାଉଛି । ତେବେ କୋର୍ଟ କହିଛନ୍ତି ଯେ ଏହି ଅବଧିରେ ଜାରି କରାଯାଇଥିବା ସାର୍ଟିଫିକେଟ୍ ଆଧାରରେ ଚାକିରି ପାଇଥିବା ବ୍ୟକ୍ତିଙ୍କ ଚାକିରି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ସେପଟେ ମମତା ବାନାର୍ଜୀ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖି କୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ବେଙ୍ଗଲର ଦମଦମ ଲୋକସଭା କ୍ଷେତ୍ରରରେ ଏକ ନିର୍ବାଚନୀ ଜନସଭାକୁ ସମ୍ୱୋଧିତ କରି ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟରେ ଓବିସି ସଂରକ୍ଷଣ ଜାରି ରହିବ । ସେ ଆଶ୍ୱାସନା ଦେଇଛନ୍ତି ଯେ ଏଥିପାଇଁ ଆବଶ୍ୟକ ବିଲ୍ ସମ୍ୱିଧାନ ଅନୁସାରେ ପାରିତ ହୋଇଛି ।

ସେ କହିଛନ୍ତି, ‘ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଓବିସି ରିଜରଭେସନ କୋଟା ଜାରି ରହିବ । ଘର-ଘର ସର୍ଭେ କରିବା ପରେ ଆମେ ବିଲ୍ ଡ୍ରାଫ୍ଟ କରିଥିଲୁ ଏବଂ ଏହାକୁ କ୍ୟାବିନେଟ୍ ଏବଂ ବିଧାନସଭାରେ ପାରିତ ହୋଇଛି ।'

୨୦୧୧ ମେ’ରେ ପଶ୍ଚିମବଙ୍ଗର କ୍ଷମତାରେ ବସିବା ପରଠୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରି ଆସୁଛନ୍ତି ଯେ ତାଙ୍କ ସରକାର ପ୍ରାୟ ସବୁ ମୁସଲମାନଙ୍କୁ ଓବିସି ଶ୍ରେଣୀରେ ସାମିଲ କରିଛନ୍ତି । ଏବଂ ମୁସଲିମ ସମୁଦାୟର ବଡ଼ ଜନସଂଖ୍ୟ ଏହି ସଂରକ୍ଷଣର ଲାଭ ଉଠାଉଛି । ଲୋକସଭା ନିର୍ବାଚନ ପ୍ରଚାରରେ ମଧ୍ୟ ସେ ବାରମ୍ୱାର ଏହାକୁ ଦୋହରାଇଛନ୍ତି । କିନ୍ତୁ ଏବେ କଲିକତା ହାଇକୋର୍ଟ କହିଛନ୍ତି ଯେ ମମତା ବାନାର୍ଜୀ ସରକାର ୨୦୧୦ ପରେ ଯେଉଁ ପ୍ରକ୍ରିୟାରେ ଓବିସି ସାର୍ଟିଫିକେଟ୍ ଜାରି କରିଛନ୍ତି ତାହା ଅବୈଧ ଅଟେ । ହାଇକୋର୍ଟ କହିଛନ୍ତି ଯେ ଓବିସି ସୂଚୀ ପଛୁଆ ବର୍ଗ ଆୟୋଗ ଅଧିନିୟମ, ୧୯୯୩ ଅନୁସାରେ ପ୍ରସ୍ତୁତ କରାଯିବା ଦରକାର । ସୂଚୀରେ କେବଳ ସେହି ଜାତିଙ୍କୁ ସାମିଲ କରାଯାଇ ପାରିବ, ଯେଉଁମାନେ ୨୦୧୦ ସୁଦ୍ଧା ଓବିସି ସମୁଦାୟ ସହ ସମ୍ପର୍କ ରଖନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.