ଶନିବାରଠୁ ତିନି ଦିନ ଘଡ଼ଘଡ଼ି ସହ କୁଆପଥର ବର୍ଷା, ୪ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

NEWS7
brown-sugar-seized-in-jharsuguda-telibhati-area

ଭୁବନେଶ୍ୱର ୦୭।୦୩ : ଆସନ୍ତା ତିନି ଦିନ ରାଜ୍ୟରେ ଝଡ଼ ବର୍ଷା ହୋଇପାରେ । କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି। ଆସନ୍ତା ୯ ତାରିଖ (ସୋମବାର) ଯାଏ ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଉତ୍ତର ପଶ୍ଚିମ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତେବେ କାଳବୈଶାଖୀ ପ୍ରଭାବରେ ୯ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଶନିବାର ଓ ରବିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି। ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ସ୍ଥାନରେ ପବନର ଝଟକା ୪୦ରୁ ୫୦ କିମି ରହିବ। ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ଅଛି।

ସେହିଭଳି ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର କିଛି ସ୍ଥାନରେ ଅପରାହ୍ନରେ ବର୍ଷା ଆଶଙ୍କା ଥିଲେ ବି ଦିନରେ ପ୍ରବଳ ତାତି ଅନୁଭୂତ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।