ଭୁବନେଶ୍ଵର: ନବୀନ ନିବାସରେ ପ୍ରେମ ପଟ୍ଟନାୟକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ । ବହୁ ଦିନ ପରେ ନବୀନ ନିବାସରେ ପ୍ରେମ ପଟ୍ଟନାୟକଙ୍କ ଉପସ୍ଥିତି ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ନବୀନଙ୍କ ବଡ ଭାଇ ପ୍ରେମ୍ ପଟ୍ଟନାୟକ । ଆଜି ଦିଲ୍ଲୀରୁ ଆସି ଦିନ ଗୋଟାଏ ବେଳେ ସେ ନବୀନ ନିବାସରେ ପହଞ୍ଚିଥିଲେ । ନିକଟରେ ନବୀନ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସୁସ୍ଥ ହେବା ପରେ ଗତ ବୁଧବାର ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ଏହା ପୂର୍ବରୁ ମୁମ୍ବାଇରେ ନବୀନଙ୍କ ସର୍ଭିକାଲ ଆର୍ଥରାଇଟିସ୍ ଅପରେସନ ହୋଇଥିଲା । ସେ ସମୟରେ ମଧ୍ୟ ବଡଭାଇ ପ୍ରେମ ପଟ୍ଟନାୟକ ଡାକ୍ତରଙ୍କ ସହ ଆଲୋଚନା କରିବା ସହିତ ମେଡିକାଲରେ ଥିବା ନବୀନଙ୍କ ଟିକନିଖି କଥା ବୁଝୁଥିଲେ ।
Also read: ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ସୁନ୍ଦରଗଡକୁ ରେଡ୍ ଆଲର୍ଟ ଜାରି
ନବୀନ ନିବାସରେ ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ଉପସ୍ଥିତି ରାଜ୍ୟରେ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପ୍ରେମ ପଟ୍ଟନାୟକ କେବଳ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନୁହେଁ ବରଂ ବିଜେଡିର ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ବୋଲି ଅନେକ ଚର୍ଚ୍ଚା କରୁଛନ୍ତି । ଏପରିକି ବିଜେଡିର କିଛି ନେତାଙ୍କୁ ନବୀନ ନିବାସ ଡାକି ପ୍ରେମ ପଟ୍ଟନାୟକ ଆଲୋଚନା କରିବେ ବୋଲି କୁହାଯାଉଛି । ଏଥି ସହ ଓଡ଼ିଶା ରାଜନୀତିରେ ବିଜେଡି କେମିତି ଆଗକୁ ବଢିବ, କେଉଁଠି ସମସ୍ୟା ରହିଛି ସେନେଇ ମଧ୍ୟ ପ୍ରେମ ପଟ୍ଟନାୟକ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ଦେଶ ଓ ରାଜ୍ୟସ୍ତରରେ ରାଜନୈତିକ ସ୍ଥିତି ନେଇ ମଧ୍ୟ ଆଲୋଚନା କରିବେ ବୋଲି ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ ।
ନବୀନ ଅପରେସନ ପାଇଁ ମୁମ୍ବାଇ ଯିବା ଠାରୁ ଆରମ୍ଭ କରି ଭୁବନେଶ୍ବରରେ ଟ୍ରିଟମେଣ୍ଟ ହେବା ପର୍ଯ୍ୟନ୍ତ ସମସ୍ତ କଥା ବୁଝୁଛନ୍ତି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ । ସେପଟେ ନବୀନ ଥିବା ଯାଏଁ ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ ବୋଲି ପୂର୍ବରୁ କହିଥିଲେ ନବୀନ । ଏମିତିରେ ଏବେ ନବୀନ ନିବାସରେ ଯେତେବେଳେ ବଡ଼ ଭାଇ ପ୍ରେମ ପଟ୍ଟନାୟକ ପହଞ୍ଚି ଛନ୍ତି ସେତେବେଳେ ବିଜେଡିର ଆଗାମୀ ରଣନୀତି ନେଇ ରାଜ୍ୟ ରାଜନୀତିରେ ଜୋର୍ ଧରିଛି ଚର୍ଚ୍ଚା ।