ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜି ଜୋର ଧରିଛି । ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡୀଙ୍କ ଉପରେ ନକ୍ସଲବାଦକୁ ସମର୍ଥନ କରିଥିବା ଅଭିଯୋଗ କରିଛନ୍ତି । ଶାହ କହିଛନ୍ତି ଯେ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଷ୍ଟିସ୍ ରେଡ୍ଡୀ ନକ୍ସଲବାଦକୁ ସାହାଯ୍ୟ କରିଥିଲେ । ଯଦି ସେ ସଲୱା ଜୁଡୁମ ବିରୋଧରେ ରାୟ ଶୁଣାଇ ନଥାନ୍ତେ, ତେବେ ଦେଶରେ ଚରମପନ୍ଥୀ ବାମପନ୍ଥୀ ଆନ୍ଦୋଳନ ୨୦୨୦ ପୂର୍ବରୁ ସମାପ୍ତ ହୋଇସାରିଥାନ୍ତା ।
ଅମିତ୍ ଶାହ ଶୁକ୍ରବାର କୋଚିରେ ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, କଂଗ୍ରେସ ଉପରାଷ୍ଟ୍ରପତି ପଦ ପାଇଁ ଯେପରି ଭାବେ ପ୍ରାର୍ଥୀ ଚୟନ କରିଛି, ସେଥିରେ କେରଳରେ ତାର ବିଜୟ ସମ୍ଭାବନା ଆହୁରି କମ ହୋଇଛି । ଅମିତ୍ ଶାହ କହିଥିଲେ ଯେ କେରଳ ନକ୍ସଲବାଦ ଦଂଶନ ସହୁଛି । କେରଳର ଜନତା ଦେଖୁଛନ୍ତି, ବାମପନ୍ଥୀଙ୍କ ଚାପରେ କଂଗ୍ରେସ ଏପରି ଜଣେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି, ଯିଏ ନକ୍ସଲବାଦର ସମର୍ଥନ କରିଥିଲେ ଓ ସୁପ୍ରିମକୋର୍ଟ ପରି ପବିତ୍ର ମଞ୍ଚକୁ ବ୍ୟବହାର କରିଥିଲେ ।
ଅମିତ୍ ଶାହ ନିଜ ସମ୍ୱୋଧନରେ ସଲୱା ଜୁଡୁମ ଉପରେ ୨୦୨୧ରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲେଖ କରି ବିରୋଧୀ ପ୍ରାର୍ଥୀଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, ଜଷ୍ଟିସ ସୁଦର୍ଶନ ରେଡ୍ଡୀ ସେହି ବ୍ୟକ୍ତି, ଯିଏ ସଲଭା ଜୁଡୁମ ଉପରେ ରାୟ ଦେଇଥିବା ବିଚାରଧାରାରୁ ପ୍ରେରିତ ଅଟନ୍ତି ।
ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଡିସେମ୍ୱରରେ ସୁପ୍ରିମକୋର୍ଟର ଜଷ୍ଟିସ୍ ରେଡ୍ଡୀ ଏକ ରାୟ ଦେଇଥିଲେ । ମାଓବାଦୀ ବିଦ୍ରୋହୀଙ୍କ ସହ ଲଢେଇରେ ଆଦିବାସୀ ଯୁବକଙ୍କୁ ବିଶେଷ ପୋଲିସ ଅଧିକାରୀ ରୂପେ ବ୍ୟବହାର କରିବା, ସେମାନଙ୍କୁ କୋୟା କମାଣ୍ଡୋ କୁହାଯାଉ, ସଲୱା ଜୁଡୁମ କିମ୍ୱା ଅନ୍ୟ କିଛି, ତାହା ବେଆଇନ ଓ ଅସାମ୍ୱିଧାନିକ ଅଟେ । ଏହାସହ ଏପରି ଆଦିବାସୀ ଯୁବକଙ୍କୁ ତୁରନ୍ତ ନିରସ୍ତ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।