ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ସୁନ୍ଦରଗଡକୁ ରେଡ୍ ଆଲର୍ଟ ଜାରି

Published By : Prameya-News7 Bureau | August 22, 2025 IST

ଭୁବନେଶ୍ବର ୨୨।୮: ରାଜ୍ୟରେ ଆଗାମୀ ୫ ଦିନ ଯାଏ ବର୍ଷା ସମ୍ଭାବନା । ସୁନ୍ଦରଗଡକୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ସୁନ୍ଦରଗଡକୁ ରେଡ୍ ଆଲର୍ଟ ଜାରି କଲା ବିଭାଗ । ଘୁର୍ଣ୍ଣିବଳୟର ପ୍ରଭାବରେ ଆଗାମୀ ୫ ଦିନ  ଯାଏ ରାଜ୍ୟରେ ବର୍ଷା ଲାଗିରହିବ । 

ଉତ୍ତର ଓଡ଼ିଶା ଓ ତାସଂଲଗ୍ନ ଗ୍ୟାଂଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ  ଅଧିକ ବର୍ଷା ହେବାର  ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର ଓ ମୟୁରଭଞ୍ଜ ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । 

ସେହିପରି ଶନିବାର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ଏହାପରେ ପାଗରେ ପରିବର୍ତ୍ତନ ହୋଇପାରେ । 

ଗତ ୨୪ ଘଣ୍ଟାରେ  ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ସୁନ୍ଦରଗଡର ଟେନସାରେ ୧୪୨.୮ ମିମି  ରେକର୍ଡ କରାଯାଇଛି । ସେପଟେ ପାଣିପାଗ ବିଶେଷଜ୍ଞ କହୁଛନ୍ତି ଆସନ୍ତା ସପ୍ତାହେ ଯାଏଁ ଏଭଳି ବର୍ଷା ପାଗ ଲାଗି ରହିବ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.