ନୂଆଦିଲ୍ଲୀ ୨୨।୮: ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭୋଟ ଚୋରି ଓ ବିହାର ଏସଆଇଆର ସମ୍ପର୍କିତ ଗୁରୁତର ଅଭିଯୋଗ ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏ ନେଇ ସି-ଭୋଟର ପକ୍ଷରୁ କରାଯାଇଥିବା ଏକ ତାଜା ସର୍ଭେ ରାହୁଲ ଗାନ୍ଧିଙ୍କ ଆରୋପକୁ ଆହୁରି ବଳ ଦେଇଛି, ଯାହାର ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଏବେ ଅସହଜ କରୁଛି।
ସର୍ଭେ ଅନୁସାରେ ଦେଶରେ ୫୯% ଲୋକେ ଏବେ ମାନୁଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଅଭିଯୋଗର ସତ୍ୟତା ଅଛି, ଏଥିରେ ୩୪% ଏ ନେଇ ନିଜର ଅସହମତି ଜଣାଇଥିବା ବେଳେ ଜନତାଙ୍କ ଏକ ବିଶାଳ ବର୍ଗ ଏବେ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି। ଭୋଟ ଚୋରି ଅଭିଯୋଗକୁ ବିଜେପି ଓ ନିର୍ବାଚନ ଆୟୋଗ ବାରମ୍ବାର ଖାରଜ କରିଛନ୍ତି। ଏହି ମାମଲାରେ ନିର୍ବାଚନ ଆୟୋଗ ଯେତେବେଳେ ନିରବତା ଅବଲମ୍ବନ କରିଛନ୍ତି ସେତେବେଳେ ବିଜେପି ରାହୁଲଙ୍କ ଉପରେ ଆକ୍ରମକ ହୋଇଛି। ଭୋଟ ଚୋରି ଅଭିଯୋଗ କାଳରେ ରାହୁଲ ଅଗଷ୍ଟ ୭ ତାରିଖ ଦିନ ଦିଲ୍ଲୀରେ ଏକ ସମ୍ବାଦିକ ସମ୍ମିଳନୀ କରି ଭୋଟ ଚୋରିର ପ୍ରମାଣ ଉପସ୍ଥାପନ କରିଥିଲେ।
ରାହୁଲଙ୍କ ପ୍ରମାଣର ସତ୍ୟତା ଜାଣିବା ପାଇଁ ଗଣମାଧ୍ୟମ ସେହି ଭୋଟରମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରେ ସତକୁ ସତ ଦେଖିବାକୁ ମିଳିଥିଲା ଯେ ଗୋଟିଏ ଠିକଣାରେ ୬୦୦ ଭୋଟରଙ୍କ ନାମ ରେକର୍ଡ ରହିଛି । ପ୍ରମାଣ ଉପସ୍ଥାପନ କରିବା ପରେ ନିର୍ବାଚନ ଆୟୋଗ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛନ୍ତି ଓ ତାଙ୍କୁ ମାମଲାରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ହେଲେ ବିଜେପି ନେତା ଅନୁରାଗ ଠାକୁର ଯେତେବେଳେ ୱାୟନାଡ (ପ୍ରିୟଙ୍କା ଗାନ୍ଧି) ଓ ରାୟବରେଲୀ (ରାହୁଲ ଗାନ୍ଧି)ଙ୍କ ସମେତ କେତେକ ଲୋକସଭା ନିର୍ବାଚନ ମଣ୍ଡଳି ଉପରେ ଭୋଟ ଚୋରି ଅଭିଯୋଗ ଆଣିଲେ ନିର୍ବାଚନ ଆୟୋଗ ନା ତାଙ୍କୁ ନୋଟିସ୍ ଜାରି କରିଛନ୍ତି ନା କୌଣସି ଯାଞ୍ଚ ଘୋଷଣା କରିଛନ୍ତି।
‘ଜନତାଙ୍କ ରାୟ’ ସର୍ଭେରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରାଯାଇଛି, ଏଥିରେ ନିର୍ବାଚନ ଆୟୋଗଙ୍କୁ ରାହୁଲ ଗାନ୍ଧିଙ୍କ ପ୍ରଶ୍ନ ଉତ୍ତର ଦେବା ଦରକାର କି ବୋଲି ପଚରା ଯାଇଥିବା ବେଳେ ୬୭% ଲୋକେ ସ୍ପଷ୍ଟ ରୂପେ ‘ହଁ’ କହିଛନ୍ତି। ଅର୍ଥାତ ଆୟୋଗଙ୍କୁ ରାହୁଲଙ୍କ ପ୍ରଶ୍ନର ଜବାବ ଦେବା ଉଚିତ ବୋଲି କହିଥିବା ବେଳେ ମାତ୍ର ୧୩% ଲୋକେ ଏହାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏଥିରୁ ଜନତାଙ୍କ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଉତ୍ତରଦାୟିତ୍ୱ ନେଇ ବଢୁଥିବା ଦାବିକୁ ଦର୍ଶାଉଛି।
ଏହି ସର୍ଭେରେ ଭୋଟର ଲିଷ୍ଟରୁ ନାମ ହଟାଯିବା ପ୍ରସଙ୍ଗ ମଧ୍ୟ ଛାଇ ରହିଥିଲା। ସର୍ଭେରେ ୬୦% ଲୋକେ ମାନିଛନ୍ତି ଯେ ଏହା ନିର୍ବାଚନୀ ପ୍ରସଙ୍ଗ ହୋଇପାରେ। ତେବେ ମାତ୍ର ୨୬% ଲୋକେ ଏପରି କିଛି ନୁହେଁ ବୋଲି କହିଛନ୍ତି। ଏହି ପ୍ରସଙ୍ଗ ସିଧାଶଳଖ ସାଧାରଣ ଜନତାଙ୍କ ସହିତ ସମ୍ପୃକ୍ତ, କାରଣ ଭୋଟର ଲିଷ୍ଟରୁ ନାମ ହଟିବା ପରିସ୍ଥିତିରେ ଭୋଟର ତାଙ୍କ ମତାଧିକାରରୁ ବଞ୍ଚିତ ହୋଇ ପାରନ୍ତି। ଏଥିରେ ବିହାରରେ ୬୫ ଲକ୍ଷ ଲୋକଙ୍କ ନାମ ଭୋଟର ଲିଷ୍ଟରୁ ହଟାଯିବା ଏବେ ବେଶ ଚର୍ଚ୍ଚାରେ ଅଛି।
ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯାହା ତାହା ହେଉଛି ନିର୍ବାଚନ ଆୟୋଗ ଯେଉଁ ଭୋଟରଙ୍କୁ ମୃତ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ରାହୁଲ ଗାନ୍ଧିଙ୍କ ଭୋଟର ଅଧିକାର ଯାତ୍ରାରେ ଜୀବିତ ଦେଖାଯାଇଛି। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟରେ ଶୁଣାଣି କାଳରେ ମଧ୍ୟ ଏପରି ଲୋକେ ହାଜର ହୋଇଛନ୍ତି ଯେଉଁମାନଙ୍କୁ ନିର୍ବାଚନ ଆୟୋଗ ମୃତ ଘୋଷଣା କରିଛନ୍ତି। ଆବେଦନକାରୀ ଯୋଗେନ୍ଦ୍ର ଯାଦବ କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି ଓ କୋର୍ଟଙ୍କ ବେଞ୍ଚ ଏହି ଲୋକଙ୍କୁ ନିଜ ଆଖିରେ ଦେଖିଛନ୍ତି।
ବିହାରରେ ଭୋଟ ଚୋରି ବିରୋଧରେ ରାହୁଲଙ୍କ ‘ଭୋଟର ଅଧିକାର’ ଯାତ୍ରା ଏବେ ଜୋର ଧରିଛି। ତାଙ୍କର ଏହି ଯାତ୍ରାକୁ ଜନତାଙ୍କ ଭରପୁର ସମର୍ଥନ ମିଳୁଛି। ଏଥିରୁ ଲୋକେ ସେମାନଙ୍କ ମତାଧିକାରକୁ ନେଇ ସଚେତନ ଓ ସଜାଗ ଥିବା ଜଣାପଡୁଛି। ଏହି ଯାତ୍ରା ନା କେବଳ ଭୋଟର ଲିଷ୍ଟ ସମ୍ପର୍କିତ ଅନିୟମିତତାକୁ ଉଜାଗର କରୁଛି ବରଂ ଦେଶରେ ନିର୍ବାଚନ ପ୍ରକ୍ରିୟାର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ଦାବିକୁ ମଜଭୁତ କରୁଛି। ସି-ଭୋଟର ସର୍ଭେ ଓ ବିହାର ଭୋଟର ଲିଷ୍ଟ ବିବାଦ ଏବେ ଗୁରୁତର ପ୍ରଶ୍ନ ଉଠାଉଛି। ଭୋଟ ଚୋରି ଓ ଭୋଟର ଲିଷ୍ଟରୁ ନାମ ହଟାଇବା ପ୍ରସଙ୍ଗ ଏବେ କେବଳ ବିହାର ପର୍ଯ୍ୟନ୍ତ ସୀମିତ ନାହିଁ। ଏହା ଏବେ ଜାତୀୟ ବିତର୍କ ରେ ପରିଣତ ହୋଇଛି, ଯାହାକୁ ରାହୁଲ ଗାନ୍ଧିଙ୍କ ଭୋଟର ଅଧିକାର ଯାତ୍ରା ଓ ସି-ଭୋଟର ସର୍ଭେ ଏବେ ଆଞ୍ଚ ଦେଉଛି।