News7 Logo

 ‘ମୂର୍ଖତାପୂର୍ଣ୍ଣ ଭୁଲ’ ପାଇଁ ଆଜୀବନ ବନ୍ଦୀ ଜୀବନ ବିତାଇବେ ବ୍ରିଟିଶ ଛାତ୍ରୀ, ମୁକୁଳାଇବା ପାଇଁ ହାତ ପତାଇଲେ ମାଆ

NEWS7
British law student from Liverpool

ନୂଆଦିଲ୍ଲୀ: ସାଙ୍ଗ ହୁଅ କିନ୍ତୁ କୁସଙ୍ଗରେ ପଡ଼ନି ନହେଲେ ବେଳ ଆସିଲେ ଭୋଗିବେ ଜେଲଦଣ୍ଡ। ସେମିତି ଏକ ଘଟଣା ସାମନାକୁ ଆସିଛି। ୨୩ ବର୍ଷୀୟ ବ୍ରିଟିଶ ଛାତ୍ରୀ ମିୟା ଓ'ବ୍ରାଏନଙ୍କୁ ଦୁବାଇର ଏକ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି। କୁସଙ୍ଗରେ ପଡ଼ିବା ପରିଣାମ ଆଜି ତାଙ୍କୁ ଜେଲର ଚାରିକାନ୍ଥରେ ବିତାଇବାକୁ ପଡୁଛି। ମୁକୁଳିବା ବି ମୁସ୍କିଲ। ଏକ ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ଭୁଲ ପାଇଁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି କହିଛନ୍ତି ଛାତ୍ରୀଙ୍କ ମାଆ ଡାନିଏଲ୍ ମ୍ୟାକେନା

ସୂଚନା ଅନୁଯାୟୀ, ମିୟା ଓ'ବ୍ରାଏନ୍ ବର୍ତ୍ତମାନ ସହରର କେନ୍ଦ୍ରୀୟ ଜେଲରେ ବନ୍ଦୀ ଅଛନ୍ତି। ମାଆ ଦାବି କରିଛନ୍ତି ଯେ ସେ ଏକ ବଡ଼ ମୂର୍ଖତାପୂର୍ଣ୍ଣ ଭୁଲ କରିଥିଲେ ଏବଂ ଭୁଲ ସାଙ୍ଗ ସହ ପଡ଼ିଥିଲେ, ଯାହା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମିୟାଙ୍କ ମାଆ ଡାନିଏଲ୍ ମ୍ୟାକେନା ସୋସିଆଲ ମିଡିଆ ଏବଂ GoFundMe ପ୍ଲାଟଫର୍ମରେ ଲୋକମାନଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଯାହା ଦ୍ୱାରା ସେମାନେ ଆଇନଗତ ଖର୍ଚ୍ଚ ଏବଂ ପରିବାରର ଦୁବାଇ ଯାତ୍ରା ବ୍ୟବସ୍ଥା କରିପାରିବେ।

ମିଆଙ୍କ ମାଆ ଡାନିଏଲ୍ ମ୍ୟାକେନା ତାଙ୍କ ଝିଅର ଦଣ୍ଡ ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ ମିଆଙ୍କୁ ଦୁବାଇରେ ଆଜୀବନ କାରାଦଣ୍ଡ ଦିଆଯାଇଛି, ଜଣେ ମାଆ ଭାବରେ ମୁଁ ବହୁତ ଭାଙ୍ଗି ପଡ଼ିଛି। ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରି ସେ କହିଛନ୍ତି ଯେ କମ ଟଙ୍କା ହେଲେବି ତାଙ୍କ ଝିଅକୁ ସାହାଯ୍ୟ କରିପାରିବ।

ମିଆଙ୍କ ମାଆଙ୍କ ଅନୁସାରେ, ସେ ଆଇନ ପଢ଼ିଥିଲେ ଏବଂ ବଡ଼ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଭୁଲ ସାଙ୍ଗରେ ପଡି ଫସିଯାଇଛନ୍ତି। ଯାହା ତାଙ୍କ ସମଗ୍ର ଜୀବନକୁ ବଦଳାଇ ଦେଇଛି। ମାଆ କହିଥିଲେ ଯେ ମିଆ ଜୀବନରେ କେବେ କୌଣସି ଖରାପ କାମ କରିନଥିଲେ। ଏହି ଜଣେ ନିର୍ଦ୍ଦୋଷ ଝିଅ, ଯିଏ ଥରେ ଆଇନ ପାଠ ପଢ଼ିଥିଲେ, କିନ୍ତୁ ଗୋଟିଏ ଭୁଲ ତାଙ୍କ ଜୀବନକୁ ବଦଳାଇ ଦେଇଛି।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଦୁବାଇର ଜେଲଗୁଡ଼ିକୁ ବିଶ୍ୱର ସବୁଠାରୁ ଭୟାନକ ଜେଲ ବୋଲି ବିବେଚନା କରାଯାଏ। ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ନୀତି ଅଛି। ଦୁବାଇରେ ଡ୍ରଗ୍ସ ଚୋରାଚାଲାଣ ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି। ସଂଯୁକ୍ତ ଆରବ ଏମିରେଟ୍ସରେ ଆଜୀବନ କାରାଦଣ୍ଡର ଅର୍ଥ ୧୫ ରୁ ୨୫ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

ରିପୋର୍ଟ ଅନୁଯାୟୀ, ଦେଶ ଏହାର କଠୋର ଆଇନ ପାଇଁ ଜଣାଶୁଣା, ଏବଂ ସାଧାରଣତଃ ଡ୍ରଗ୍ସ ଚାଲାଣ ଏବଂ ରଖିବା, ହତ୍ୟା କିମ୍ବା ହତ୍ୟା ଉଦ୍ୟମ, ମାନବ ଚାଲାଣ ଏବଂ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ। ପ୍ରକାଶଥାଉକି ମିଆଙ୍କ ପରିବାର ତାଙ୍କ ଅପରାଧ ପ୍ରକାଶ କରିନଥିଲେ କେବଳ ଏହାକୁ ଏକ ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ଭୁଲ ବୋଲି କହିଥିଲେ। ଦି ମିରରର ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ 50 ଗ୍ରାମ କ୍ଲାସ A ଡ୍ରଗ୍ସ ସହିତ ଧରାଯାଇଥିଲା। ଡ୍ରଗ୍ସର ମୂଲ୍ୟ ପ୍ରାୟ 2500 ପାଉଣ୍ଡ ଥିଲା।