ଦାରିଙ୍ଗବାଡି ୪।୭: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତର ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ୪ ଦିନ ବିତିଲାଣି । କିନ୍ତୁ ମରାମତି କାର୍ଯ୍ୟ ହୋଇପାରିଲା ନାହିଁ । ଭାସିଯାଇଥିବା ଡାଇଭର୍ସନରେ ୨ଟି ବଳଦ ଭାସିଯାଇଥିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଫୋନ୍ କରିବା ପରେ ବଳଦକୁ ଜୀବନ୍ତ ଉଦ୍ଧାର କରାଯାଇଛି । ସେହିପରି ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ତିଲୋରୀ ପଞ୍ଚାୟତ ସମେତ ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡା ଏବଂ ବାଲିଗୁଡା ବ୍ଲକ ଋତୁଙ୍ଗିଆକୁ ଗାଡି ଚଳାଚଳ ବନ୍ଦ ରହିଛି । ଛାତ୍ରୀଛାତ୍ରମାନେ ଉକ୍ତ ରାସ୍ତାରେ ବିଦ୍ୟାଳୟ, ମହାବିଦ୍ୟାଳୟକୁ ଯାଇପାରୁ ନଥିବା ବେଳେ ସାଧାରଣ ବଣ୍ଟନ ଚାଉଳ ପାଇଁ ଅଞ୍ଚଳବାସୀ ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ସମ୍ଭବ ହେଉ ନଥିବା ଜଣାପଡିଛି । ଗ୍ୟାସ୍ ଗାଡି, ବିଦ୍ୟୁତ ବିଭାଗ ଗାଡି ମଧ୍ୟ ଅଞ୍ଚଳରେ ପହଞ୍ଚି ପାରୁନାହିଁ । ବର୍ଷା କମିଲେ ହିଁ ଉକ୍ତ ଡାଇଭର୍ସନ ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହରିହର ଦାସ କହିଛନ୍ତି ।
ଲଘୁଚାପଜନିତ ବର୍ଷା ଯୋଗୁ ଅଞ୍ଚଳରେ ଅନେକ ସମସ୍ୟା ଦେଖାଯିବା ସହ ସିମନବାଡି-ବୁଡ଼ାଗୁଡା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଠାରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଅଧପାନ୍ତରିଆ ହୋଇ ରହିଛି । ଲୋକଙ୍କ ଯାତାୟତ ପାଇଁ କରାଯାଇଥିବା ଅସ୍ଥାୟୀ ପୋଲ ବା ଡାଇଭର୍ସନ ରାସ୍ତାଟି ଧୋଇ ହୋଇଯାଇଛି । ଫଳରେ ସିମନବାଡି-ବୁଡ଼ାଗୁଡା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
You Can Read:
ପୁରୀ ମଙ୍ଗଳାଘାଟ ପାଟଣା ଗାଁରେ ମାନସ ମନ୍ଦିରର ଭୂମି ପୂଜନ କଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ, ଯୋଗଦେଲେ ମୁଖ୍ୟମନ୍ତ୍ରୀ