ଧାମରା: ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ବର୍ଷାଦିନେ କାଦୁଅ ପଚପଚ। ଗାଡ଼ିମୋଟର ଯିବା ତ ଦୂର କଥା, ଚାଲି ଚାଲି ଯିବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି ଲୋକେ । ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଗାଁକୁ ଆସିପାରୁନି। ଫଳରେ ଅନେକ ସମୟରେ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଭାରରେ ନେବାକୁ ପଢୁଛି।

ଏମିତି ଦୁଃଖରେ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଯୁଝିହେଉଥିବା ବେଳେ ଏବେ ଆଉ ଏକ ବଡ଼ ଦୁଃଖ ଗାଁକୁ ଚିନ୍ତାରେ ପକାଇଛି। ରାସ୍ତା ଭଲ ନ ଥିବାରୁ ଗାଁ ପୁଅଙ୍କୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି । ଅନେକ ପୁଅଙ୍କ ପ୍ରସ୍ତାବ ଭାଙ୍ଗିଲାଣି। କାଦୁଅ ଗାଁକୁ ଝିଅ ଦେବୁନି ବୋଲି କହୁଛନ୍ତି । ଯେଉଁଠି ସମାନ୍ୟ ମୌଳିକ ସୁବିଧା ନାହିଁ, ସେଠି ଝିଅ ଦେବୁନି ବୋଲି କନ୍ୟାପିତା ମାନେ ରୋକଠୋକ୍ ଶୁଣାଇ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତ ଧ୍ରୁବପଲି ଗାଁ ମଣ୍ଡଳସାହିରେ। ଉପକୂଳ ଜିଲ୍ଲା ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି ଧ୍ରୁବପଲି ବାସିନ୍ଦା। ସ୍ବାଧୀନତାର ୭୮ ବର୍ଷ ପରେ ଉପାନ୍ତ ଅଞ୍ଚଳ ଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି।

ମଣ୍ଡଳସାହିରେ ପ୍ରାୟ ୩୦ ପରିବାରରେ ପାଖାପାଖ ଦୁଇ ଶହ ଲୋକ ବସବାସ କରନ୍ତି। ହେଲେ ସାହିକୁ ଭଲ ରାସ୍ତାଟିଏ ନାହିଁ। ଗାଁରୁ ଚରଦିଆ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ମାଟି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଘରପୋଡ଼ି ଭଳି ବିପତ୍ତି ବେଳେ ଦମକଳ ଗାଡ଼ି ଆସିବା ବି ଅସମ୍ଭବ। ଏନେଇ ବାରମ୍ବାର ପ୍ରଶାସନକୁ ଗୁହାରି କରି ମଧ୍ୟ ସୁଫଳ ମିଳିନି।

ଏବେ ଗାଁର ଯୁବକ-ଯୁବତୀଙ୍କ ବିବାହରେ ବାଧକ ସାଜିଛି ରାସ୍ତା। ଭଲ ରାସ୍ତା ନ ଥିବାରୁ ଅନେକ ଲୋକ ଗାଁକୁ ଝିଅ ଦେବାକୁ ଅରାଜି। ଯଦି କାହାର ବିବାହ ଠିକ୍ ହୋଇଯାଉଛି, ତେବେ ଗାଁ ବାହାର ଯାଏ ବରକୁ କାନ୍ଧରେ ନେବାକୁ ପଡ଼ୁଛି। ପୁଣି ବରକନ୍ୟା ଫେରିବା ବେଳେ ବି ସମାନ ଅବସ୍ଥା। ସେହିପରି ଗାଁର କୌଣସି ଯୁବତୀଙ୍କ ବିବାହରେ ମଧ୍ୟ ସମାନ ଅସୁବିଧା ଦେଖାଯାଉଛି। ବାହାର ଗାଁରୁ ଆସୁଥିବା ବରକୁ କାନ୍ଧରେ ବେଦି ଯାଏ ଯିବାକୁ ପଡ଼ୁଛି।