ଭୁବନେଶ୍ଵର: ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀ ଏମ୍ସରୁ ବିମାନ ଯୋଗେ ଭୁବନେଶ୍ଵର ପହଞ୍ଚିଛି ମରଶରୀର। ସ୍ଥିତିକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ମୋଟ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ଯେମିତି ନଉପୁଜେ ତାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ। ଆଇନ ଶୃଙ୍ଖଳା ଅତିରିକ୍ତ ଡିସିପି, ଜୋନ ଏସିପି, ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ଅଛନ୍ତି। ମହିଳା ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି । ବିମାନ ବନ୍ଦରରୁ ପୀଡ଼ିତାଙ୍କ ମୃତଦେହ ବାୟାବର ଗାଁ ନିଆଯିବ। ସେଠାରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯିବ।
ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଶେଷରେ ଶନିବାର ଆଖି ବୁଜିଥିଲେ ବଳଙ୍ଗା ପୀଡ଼ିତା। ଗତକାଲି ସନ୍ଧ୍ୟାରେ ହାର୍ଟ ଆଟାକ ପରେ ପୀଡ଼ିତାଙ୍କ ମୃତ୍ୟ ହୋଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ରାତିରେ ମୃତଦେହକୁ ବିମାନ ଯୋଗେ ଓଡ଼ିଶା ଅଣାଯାଇଛି। ରାତି ପ୍ରାୟ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି ପୀଡ଼ିତାଙ୍କ ମରଶରୀର। ଏହା ପରେ ତାଙ୍କ ଗାଁ ବାୟାବରକୁ ନିଆଯିବ। ବର୍ତ୍ତମାନ ସୁରକ୍ଷା ବଳୟରେ ରହିଛି ବଳଙ୍ଗା। ବଳଙ୍ଗା ଥାନାରୁ ଆରମ୍ଭ କରି ପୀଡ଼ିତାଙ୍କ ଗାଁ ବାୟାବରରେ ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ। ପୀଡ଼ିତାଙ୍କ ମୃତ୍ୟ ପରେ ସ୍ତବ୍ଧ ହୋଇଯାଇଛି ବାୟାବର ଗାଁ। ଗାଁରେ ଶୋକର ବାତବରଣ ରହିଛି। ଶବସତ୍କାର ପାଇଁ ବାୟାବର ଗାଁରେ କବର ଖୋଳାଯାଇଛି। ସେପଟେ ପୀଡ଼ିତାଙ୍କ ବାପା କହିଛନ୍ତି ମୋ ଝିଅକୁ ନେଇ ରାଜନୀତି କରନି।
Also read: OTET ପ୍ରଶ୍ନପତ୍ର ଲିକ୍ ମାମଲା, ଜେଲ ଗଲେ ବୋର୍ଡ ଉପସଭାପତି
ଜୁଲାଇ ୧୯ରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସମର୍ଥ ହୋଇ ପାରିନାହିଁ। ଏହା ମଧ୍ୟରେ ଓଡ଼ିଶା ପୋଲିସ ଗତକାଲି ଏକ୍ସରେ ଟୁଇଟ୍ କରି ଘଟଣାର ତଦନ୍ତକୁ ନେଇ ବଡ଼ ଟିପ୍ପଣୀ କରିଥିଲା। ଓଡ଼ିଶା ପୋଲିସ ଏକ୍ସରେ ଲେଖିଥିଲା ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ଜାେର ଧରିଲା ରାଜନୀତି
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ସିଧାସିଧା ତୀର ମାରିବା ସହ କହିଛି, ଘଟଣାକୁ ୧୫ ଦିନ ହେଲାଣି, ହେଲେ ଦୋଷୀକୁ ଧରିପାରିନାହାନ୍ତି। ମାସେ ଦୁଇ ମାସରେ ଦୁଇଟି ଘଟଣା। ଯେଉଁଥିରୁ ସ୍ପଷ୍ଟ ମହିଳା ଏଠି ସୁରକ୍ଷିତ ନୁହଁନ୍ତି। ଡବଲ ଇଞ୍ଜିନ ସରକାର ବିପରୀତ ଦିଗକୁ ଗଡୁଛି ବୋଲି ବିଜେଡି କହିଛି। କଂଗ୍ରେସ କହିଛି ଏହା ଆତ୍ମହତ୍ୟା ନୁହେଁ, ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ମାମଲାକୁ ଚାପି ଦେବାକୁ ଚାହୁଁଛନ୍ତି।ଅଭିଯୁକ୍ତଙ୍କୁ ନ ଧରିଲେ ଡିଜି ଅଫିସ ଘେରାଉ କରିବୁ।
ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେପି। ବିଜେପି କହିଛି, ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ। ଏହା ହୀନ ରାଜନୀତି।ଏଭଳି ସ୍ଥିତିରେ ବିରୋଧୀ ରାଜନୀତି କରନ୍ତୁ ନାହିଁ ବୋଲି ବିଜେପି କହିଛି। ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାର କଥା।
ସୂଚନାଯୋଗ୍ୟ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ରେ ଅଭାବନୀୟ ଘଟଣା ଘଟିଥିଲା । ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ବାଇକ୍ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ପ୍ରଥମେ ନିଶା ଦେଇ ବେହୋସ କରିବା ପରେ କିରୋସିନ ଢାଳି ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ଜୁଲାଇ ୨୦ରେ ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସରେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ପୀଡ଼ିତାଙ୍କ ଚିକିତ୍ସା କରୁଥିଲେ । ନିକଟରେ ପୀଡ଼ିତାଙ୍କ ତୃତୀୟ ଥର ପାଇଁ ଅସ୍ତ୍ରୋପ୍ରଚାର ହୋଇଥିଲା । ଏପରି ଆମେରିକାରୁ ଜରୁରି ଇଞ୍ଜେକ୍ସନ ମଧ୍ୟ ଅଣାଯାଇଥିଲା । ଆଉ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି ।