OTET ପ୍ରଶ୍ନପତ୍ର ଲିକ୍‌ ମାମଲା, ଜେଲ ଗଲେ ବୋର୍ଡ ଉପସଭାପତି

Published By : Prameya-News7 Bureau | August 03, 2025 IST

କଟକ: ଜେଲ୍‌ ଗଲେ OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗିରଫ ବୋର୍ଡ ଉପସଭାପତି ନିହାର ମହାନ୍ତି। ରବିବାର ତାଙ୍କୁ କଟକ ଜେଏମ୍‌ଏଫ୍‌ସି କୋର୍ଟ ୩ରେ ହଜାର କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ ତାଙ୍କର ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ। ଯାହା ପରେ ତାଙ୍କୁ ଚୌଦ୍ଵାର ଜେଲ୍‌କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ନିହାରଙ୍କ ବିରୋଧରେ ଲାଗିଛି ବିଏନଏସ୍‌ର ୩୦୩/ ୩୧୮/ ୩୨୪/ ୩୩୬/ ୩୩୭/ ୩୩୮/ ୪୯/ ୨୩୮/ ୧୧୨ ଭଳି ୭ ସଙ୍ଗୀନ ଦଫା।

ସୂଚନାଥାଉକି, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି-୨୦୨୫। ହେଲେ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା ।  ଆଉ ଏଭଳି କରିବାର କାରଣ ଥିଲା ପ୍ରଶ୍ନପତ୍ର ଲିକ୍ ହେବା। ତେବେ ଏହି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଥମେ ବୋର୍ଡ କାର୍ଯ୍ୟଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଶିକ୍ଷକ ପ୍ରଶାନ୍ତ ଖମାରିଙ୍କୁ ମଧ୍ୟ ଗିରଫ କରିଥିଲା। ଆଉ ଏହିକ୍ରମରେ ରବିବାର ବୋର୍ଡର ସଭାପତି ଓ ଉପସଭାପତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ ପ୍ରଶ୍ନପତ୍ର ଲିକ୍ ପ୍ରକ୍ରିୟା ପରୀକ୍ଷା ବୋର୍ଡ ସହିତ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ଜିତନ୍ ମହାରଣାଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ, ଡାଟା ଏଣ୍ଟ୍ରି ଅପରେଟର ଜିତନ୍ ମହାରଣା ଲିକ୍ ଘଟଣାରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଡିଜି । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଥିଲା । ପ୍ରାୟ ୨/୩ ମାସ ଭିତରେ ଉଭୟେ ୧୦୦ ଥର ଫୋନରେ କଥା ହୋଇଛନ୍ତି । ହେଲେ ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନଥିଲା । ଏହା ସତ୍ତ୍ବେ ବି ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ସହ ଏତେ ଥର ଉପସଭାପତି କଥା କାହିଁକି ହୋଇଥିଲେ ତାହା ସନ୍ଦେହ ସୃଷ୍ଟି କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.