ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ପ୍ରଦେଶ ବଲୁଚିସ୍ତାନରେ ଶକ୍ତିଶାଳୀ ବୋମା ବିସ୍ଫୋରଣ । ଏହି ଭୟଙ୍କର ବ୍ଲାଷ୍ଟରେ ୬ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଛନ୍ତି । ସେହିପରି ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବର୍ତ୍ତମାନ ସମୟରେ ଏହି ହମଲାକୁ କୌଣସି ଆତଙ୍କବାଦୀ ସଂଗଠନ ଦାବି କରିନାହିଁ । ହେଲେ ପାକ୍ ସରକାର ଏହାକୁ ନେଇ ବଲୁଚି ଲିବରେସନ ଆର୍ମିକୁ ଦୋଷ ଦେଇଛନ୍ତି ।
ଜାତୀୟ ଗଣମାଧ୍ୟମ ସିଏନଏନ-ନ୍ୟୁଜ୍-18 ଅନୁଯାୟୀ, ଏହି ଭୟଙ୍କର ବିସ୍ଫୋରଣ ଆଇଇଡି ମାଧ୍ୟମରେ କରାଯାଇଛି । ଏଥିରେ ଫ୍ରଣ୍ଟିୟର କୋର୍ର କାଫିଲାଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏହି ବିସ୍ଫୋରଣ ଏଭଳି ସମୟ ହୋଇଛି, ଯେତେବେଳେ ବେଲୁଚିସ୍ତାନରେ ବିରୋଧ ପ୍ରଦର୍ଶନ ଚରମ ସ୍ଥିତିରେ ପହଞ୍ଚିଛି । ଗତ ସପ୍ତାହରେ ୩୦ରୁ ୪୦ଜଣ ସଶସ୍ତ୍ର ଆକ୍ରମଣକାରୀ ବଲୁଚିସ୍ତାନ ଦେଇ ଯାଇଥିବା ହାଇଓ୍ବେକୁ ଜାମ୍ କରିଦେଇଥିଲେ ଏବଂ ପୋଲିସ ଭ୍ୟାନ୍କୁ ଟାର୍ଗେଟ୍ କରିଥିଲେ । ଗାଡ଼ିରୁ ୫ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅପହରଣ କରି ନେଇଥିଲେ । ଏହାକୁ ନେଇ ସୁରକ୍ଷା ବାହିନୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ବଲୁଚିସ୍ତାନ ଦୀର୍ଘଦିନ ଧରି ବିଚ୍ଛିନ୍ନବାଦୀଙ୍କ ଦ୍ବାରା ପ୍ରଭାବିତ ହୋଇଛି । ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ ବେଲୁଚିସ୍ତାନରେ ଲଗାତାର ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍ କରିଆସୁଛି । ସେମାନେ ଆଭିଯୋଗ କରିଛନ୍ତି, ବଲୁଚିସ୍ତାନର ଜମି ଓ ସେଠାରେ ଥିବା ଖଣିଜ ସଂପଦ ହଡ଼ପ କରିବା ପ୍ରାୟସରେ ରହିଛନ୍ତି ପାକିସ୍ତାନ ସରକାର । ବଲୁଚିସ୍ତାନରେ 'ବଲୁଚି ଲିବରେସନ ଆର୍ମି' ସବୁଠୁ ସକ୍ରିୟ ସଂଗଠନ ବୋଲି କୁହାଯାଉଛି ।