ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ, ୨୪ ବର୍ଷ ଭିତରେ କାହିଁକି ୨୭ ପ୍ରତିଶତ ଦେଇନଥିଲେ, ଆଗ ଜବାବ ଦେଉ…

Published By : Prameya-News7 Bureau | May 21, 2025 IST

ଭୁବନେଶ୍ୱର ୨୧।୦୫ : ଓବିସି ସଂରକ୍ଷଣକୁ ନେଇ ବିଜେଡ଼ିର ଆନ୍ଦୋଳନ ପ୍ରସଙ୍ଗରେ ବର୍ଷିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । କହିଲେ, ବିଜୁ ପଟ୍ଟନାୟକଙ୍କ ସରକାର ଓ ନବୀନ ପଟ୍ଟନାୟକଙ୍କ ସରକାର ସମୟରୁ ପଛୁଆ ବର୍ଗ ଅବହେଳିତ ହୋଇଆସିଥିଲେ। ଜାନକୀ ପଟ୍ଟନାୟକଙ୍କ ସରକାର ମଧ୍ୟ ସଂରକ୍ଷଣ ଦେଇନଥିଲେ। ଯାହା ୩୫ ବର୍ଷରେ ହୋଇପାରିନଥିଲା, ବିଜେପି ସରକାରକୁ ଆସିଲା ପରେ ଓବିସିଙ୍କୁ ନ୍ୟାୟ ଦେଲେ । ତେଣୁ ରାଜଭବନ ଆଗରେ ଧାରଣା ନଦେଇ ବିଜେଡ଼ି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା । ଧାରାବାହିକ ଭାବେ ଓବିସି, ଏସଟି, ଏସସି ମାନଙ୍କ ସହ ପ୍ରତାରଣା କରିଥିବା ବିଜେଡ଼ି ଓ କଂଗ୍ରେସର ଏବେ ଆନ୍ଦୋଳନ କଣ ପାଇଁ ବୋଲି ପ୍ରଶ୍ନ କଲା ବିଜେପି । ଜନତା ଦଳ, ବିଜୁ ଜନତା ଦଳ ଓ କଂଗ୍ରେସ ST/SCଙ୍କୁ କାହିଁକି ୩୮ ପ୍ରତିଶତ ସଂରକ୍ଷଣ ଦେଇନଥିଲେ, ସେମାନଙ୍କୁ କ୍ଷମା ମାଗନ୍ତୁ। ଆଉ ଲୋକଙ୍କ ପାଖକୁ ଯିବା ପାଇଁ ସାହାସ ନାହିଁ, ତେଣୁ ଏମାନେ ଆଜି ପ୍ରହସନ କରୁଛନ୍ତି। ଯେଉଁମାନେ ଆନ୍ଦୋଳନ କରୁଥିଲେ,ସେମାନେ ଉତ୍ତର ଦିଅନ୍ତୁ। ସାମାଜିକ କ୍ଷେତ୍ରରେ ସଂରକ୍ଷଣ କାହିଁକି ଦେଲେ ନାହିଁ।  

ସେହିପରି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ୨୪ ବର୍ଷ ଭିତରେ କାହିଁକି ୨୭ ପ୍ରତିଶତ ସଂରକ୍ଷଣ ଦେଇନଥିଲେ, ବିଜେଡ଼ି ଆଗ ଜବାବ ଦେଉ। ତା ପୂର୍ବରୁ କଂଗ୍ରେସ କାହିଁକି ଦେଉନଥିଲା ? ୨୦୨୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ କାହିଁକି ଓବିସି କମିଶନ ନଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖିଲା ପରେ ଓବିସି କମିଶନ ଗଠନ ହେଲା। ହେଲେ ପୂର୍ବ ସରକାର କାହିଁକି ସେ କମିଶନକୁ ସାମ୍ବିଧାନିକ କ୍ଷମତା ଦେଇନଥିଲେ । ୨୦୦୮ ମସିହାରୁ ଓବିସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଅଚଳ ହୋଇପଡ଼ିଥିଲା । ଏ ସବୁର ଉତ୍ତର ଆଗ ବିଜେଡ଼ି ଦେଉ। ଯିଏ ଶିକ୍ଷାରେ ସଂରକ୍ଷଣ ଦେଇନଥିଲେ, ସେମାନେ ଆଜି ବୈଷୟିକ ଶିକ୍ଷା କଥା କହୁଛନ୍ତି । ଯେହେତୁ ବିଜେପି ନାଁ ନେଇଯିବ, ସେଥିପାଇଁ ବିଜେଡ଼ି ଏବେ ଆନ୍ଦୋଳନ କରୁଛି। ଓବିସି ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ବିରୋଧ କରିଥିଲା। ସାମନ୍ତବାଦୀ ଦଳ ଥିଲା କଂଗ୍ରେସ। ବିଜେଡ଼ି ୨୪ ବର୍ଷ ଧରି ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲା। ପଞ୍ଚାୟତ ଓ ପୌର ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ଉଠାଇ ଦେଲା ବିଜେଡ଼ି। କୋର୍ଟରେ ମିଥ୍ୟା ସତ୍ୟପାଠ କରିବା ସହ ଲୋକ ପଠାଇ ପିଆଇଏଲ ଫାଇଲ କରିଥିଲା ବିଜୁ ଜନତା ଦଳ । ଏପରିକି ସୁପ୍ରିମକୋର୍ଟ ଗଲା ପରେ ଓକିଲ ଦେଉନଥିଲା ବିଜେଡ଼ି। ରାଜା ସ୍ୱାଇଁ ଆଜି ସ୍ବୀକାର କରିଛନ୍ତି, ଅନ୍ୟମାନେ ବି ଆଗାମୀ ଦିନରେ ସ୍ବୀକାର କରିବେ । ତେଣୁ ବିଜେଡିର ଓବିସି ସଂରକ୍ଷଣ ପ୍ରସଙ୍ଗର କହିବାର ଅଧିକାର ନାହିଁ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.