ବେଙ୍ଗଲ ଭୋଟରଙ୍କୁ ମୋଦିଙ୍କ ଚିଠି...କାହିଁକି?

NEWS7
bjp-shinde-news-today

ନୂଆଦିଲ୍ଲୀ ୨୩।୨: ବିଧାନସଭା ନିର୍ବାଚନ ଘୋଷଣାର କିଛି ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗ ଭୋଟରଙ୍କୁ ସାର୍ବଜନିକ ନିବେଦନ କରି କହିଛନ୍ତି ଯେ ‘ସେ ମମତା ବାନାର୍ଜୀଙ୍କ ଏବେକା ଶାସନରେ ରାଜ୍ୟର ବିଭିନ୍ନ ବର୍ଗର ନାଗରିକଙ୍କ ପୀଡ଼ାରେ ବ୍ୟଥୀତ’। ବଙ୍ଗଳା ଭାଷାରେ ଲିଖିତ ଏକ ଖୋଲା ପତ୍ରରେ ପ୍ରଧାନମନ୍ତ୍ରୀ ଭୋଟରଙ୍କୁ କହିଛନ୍ତି ଯେ ‘ମତଦାତାଙ୍କ ଉଚିତ ନିଷ୍ପତ୍ତି ରାଜ୍ୟକୁ ଦେଶର ବାକି ଭାଗରେ ହେଉଥିବା ଦ୍ରୁତ ବିକାଶ ସହିତ ଯୋଡିପାରେ’।

ଖୋଲା ପତ୍ରରେ ମୋଦି ତୃଣମୂଳ କଂଗ୍ରେସ ସରକାରଙ୍କ କୁଶାସନ ଓ ତୁଷ୍ଟିକରଣ ରାଜନୀତିରୁ ଆରମ୍ଭ କରି ନକଲୀ ଭୋଟର, ରୋଜଗାରର ଅଭାବ ଓ ମହିଳାଙ୍କ ସୁରକ୍ଷା ଭଳି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ପତ୍ରର ଆରମ୍ଭ ମୋଦି ‘ଜୟ ମା କାଳୀ’ ଉଦଘୋଷରୁ କରିଛନ୍ତି। ଏଥିରେ ନିର୍ବାଚନ ପୂର୍ବ ପ୍ରତିଶ୍ରୁତିରେ ସଂଶୋଧିତ ନାଗରିକ ଆଇନ (ସିଏଏ) ମାଧ୍ୟମରେ ଶରଣାର୍ଥୀଙ୍କୁ ନାଗରିକତା ଦେବା ଓ ରାଜ୍ୟ ସୀମାରୁ ହେଉଥିବା ଅନୁପ୍ରବେଶ ରୋକାଯିବ ବୋଲି କହିଛନ୍ତି। ମୋଦି କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ପଶ୍ଚିମବଙ୍ଗ ଆର୍ଥିକ ଏବଂ ଔଦ୍ୟୋଗିକ ଉଭୟକ୍ଷେତ୍ରରେ ଦେଶର ଅଗ୍ରଣୀ କେନ୍ଦ୍ର ଥିଲା। ହେଲେ ଏବେ ରାଜ୍ୟର ରୁଗ୍ଣ ଓ ଦୁର୍ବଳ ଅବସ୍ଥା ଦେଖି ଦୁଃଖ ଲାଗୁଛି। ଦୀର୍ଘ ଛଅ ଦଶନ୍ଧୀର କୁଶାସନ ଓ ତୁଷ୍ଟିକରଣ ରାଜନୀତି ଯୋଗୁ ହୋଇଥିବା ଅପୁରଣୀୟ କ୍ଷତିକୁ ବର୍ଣ୍ଣନା କରିବା ଅସମ୍ଭବ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଗୋଟିଏ ପଟେ ରୋଜଗାର ଅବସର ଅଭାବ ଯୋଗୁ ଯୁବବର୍ଗ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଳାୟନ କରୁଥିବା ବେଳେ ମହିଳାମାନେ ଅସୁରକ୍ଷା ଯୋଗୁ ଭୟଭୀତ ଓ ଚିନ୍ତିତ ରହୁଛନ୍ତି। ପତ୍ରରେ ସ୍ୱାମୀ ବିବେକାନନ୍ଦ,ଶ୍ରୀ ଅରବିନ୍ଦ, ସୁଭାଷ ଚନ୍ଦ୍ର ବୋଷ, ରବିନ୍ଦ୍ର ନାଥ ଟାଗୋର ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି ବେଙ୍ଗଲ ରାଜନୀତି ଓ ସାଂସ୍କୃତି ବିଭୂତିଙ୍କ ନାମ ଅନେକବାର ଉଚ୍ଚାରଣ କରି ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗକୁ ଧରି ରଖିଥିବା ଅରାଜକତା ଅନ୍ଧକାର କୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଓ ଅରବିନ୍ଦଙ୍କ ଭଳି ମହାନ ପୂର୍ବଜଙ୍କ ପରିକଳ୍ପିତ ପଶ୍ଚିମବଙ୍ଗ ଆଜି ଭୋଟ ବ୍ୟାଙ୍କ ରାଜନୀତି, ହିଂସା ଓ ଅରାଜକତାରେ ଗ୍ରସ୍ତ ହୋଇଛି। ସେ ପତ୍ରରେ ଲେଖିଛନ୍ତି ଯେ ରାଜ୍ୟର ସୁପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଭୂମି ଆଜି ଅନୁପ୍ରବେଶ ଓ ମହିଳାଙ୍କ ପ୍ରତି ଅତ୍ୟାଚାରରେ କଳଙ୍କିତ। ଏବେ ନକଲୀ ଭୋଟର ରବିନ୍ଦ୍ର ନାଥ ଟାଗୋରଙ୍କ ‘ସୋନାର ବାଂଲା’ ଉପରେ ପ୍ରଭାବୀ। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ପୁରା ଦେଶ ଏବେ ପଶ୍ଚିମବଙ୍ଗରେ ବ୍ୟାପ୍ତ ଅରଜକତା ପାଇଁ ଚିନ୍ତିତ। ଏହାକୁ ଆମେ କେଉଁ ପର୍ଯ୍ୟନ୍ତ ଚୁପଚାପ ସହିବା ପରିବର୍ତ୍ତନ ‘ଅପରିହାର୍ଯ୍ୟ’।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପତ୍ରରେ ଲେଖିଛନ୍ତି ଆମେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବୁ, ରୋଜଗାର ପାଇଁ ହେଉଥିବା ପଳାୟନ ରୋକାଯିବ, ଧାର୍ମିକ ନିର୍ଯାତନାର ଶିକାର ହୋଇ ଶରଣ ନେଇଥିବା ଭାଇ ଭଉଣୀଙ୍କୁ ସିଏଏ ମାଧ୍ୟମରେ ନାଗରିକତା ପ୍ରଦାନ କରିବୁ ଓ ଅନୁପ୍ରବେଶ ରୋକି ଆଇନର ଶାସନ ସ୍ଥାପନ କରିବୁ। ପ୍ରଧାନମନ୍ତ୍ରୀଙ୍କ ଏହି ପତ୍ର ଏପରି ସମୟରେ ଆସିଛି ଯେତେବେଳେ ବିଜେପି ରାଜ୍ୟରେ ‘ଗୃହ ସମ୍ପର୍କ ଅଭିଯାନ’ ଚଳାଇଛି। ଏହି ଅଭିଯାନକାଳରେ ପାର୍ଟିର ନେତା ସେମାନଙ୍କ ଜନସମ୍ପର୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଘରକୁ ଘର ପହଞ୍ଚାଇବେ ।

ଏହା ବି ପଢନ୍ତୁ :-ଯେଉଁମାନେ ନଥିଲେ, ସେମାନଙ୍କୁ ଗିରଫ କରାଯାଉଛି...ଏଆଇ ସମିଟ୍ରେ ସାର୍ଟଲେସ୍ ପ୍ରଦର୍ଶନ ଉପରେ କଂଗ୍ରେସର ଅଭିଯୋଗ