ଭାରତର ଅର୍ଥ ବ୍ୟବସ୍ଥାକୁ ନେଇ ଆସିଲା ଅର୍ଥମନ୍ତ୍ରୀଙ୍କ ସର୍ଭେ ରିପୋର୍ଟ, ବିକାଶ ହାର ୭%ରୁ ଅଧିକ, କମିଛି ମୁଦ୍ରାସ୍ଫୀତି

NEWS7
bjp-planing-for-e-rally-if-covid-grim-during-assembly-poll

ନୂଆଦିଲ୍ଲୀ ୨୯।୧:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ଅର୍ଥ ବ୍ୟବସ୍ଥାର ବାର୍ଷିକ ରିପୋର୍ଟ କାର୍ଡ ସଂସଦରେ ଉପସ୍ଥାପନ କରିଛନ୍ତି, ଅର୍ଥାତ ଆର୍ଥିକ ସର୍ଭେକ୍ଷଣ ୨୦୨୬ ପ୍ରସ୍ତୁତ କରିଛନ୍ତି। ଏହି ସର୍ଭେକ୍ଷଣ ରିପୋର୍ଟ ୧ ଫେବୃଆରୀ ବଜେଟ ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଛି, ଯେଉଁଥିରୁ ମଜଭୁତ ଭାରତୀୟ ଅର୍ଥ ବ୍ୟବସ୍ଥାର ସଂକେତ ମିଳିଛି। ଅର୍ଥମନ୍ତ୍ରାଳୟଙ୍କ ଆର୍ଥିକ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ବିକାଶ ହାର ଓ ମୁଦ୍ରାସ୍ଫୀତି ସନ୍ଦର୍ଭରେ ଦେଶବାସୀଙ୍କୁ ସକରାତ୍ମକ ସମାଚାର ଦେଇଛି।

ବିକାଶର ଗତି ଓ ମୁଦ୍ରାସ୍ଫୀତିରେ ହ୍ରାସ
ସର୍ଭେକ୍ଷଣ ଅନୁସାରେ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ନିଜ ଦୃଢତା କାୟମ ରଖିଛି। ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଜିଡିପି ବିକାଶ ହାର ୬.୮ରୁ ୭.୨% ମଧ୍ୟରେ ରହିବାର ଅନୁମାନ କରାଯାଇଛି। ତେବେ ଏହା ଜାରି ଆର୍ଥିକ ବର୍ଷ ନିମନ୍ତେ ଅନୁମାନିତ ୭.୪%ରୁ ଟିକେ କମ୍ ରହୁଛି, ଏହା ସତ୍ତ୍ୱେ ବୈଶ୍ୱିକ ଅର୍ଥବ୍ୟବସ୍ଥା ମାନଙ୍କ ମଧ୍ୟରୁ ସବୁଠୁ ଭଲ ସ୍ଥିତିରେ ରହିଛି। ମୁଦ୍ରାସ୍ଫୀତି ଦୃଷ୍ଟିରୁ ରିଟେଲ ମୁଦ୍ରାସ୍ଫୀତି (ସିପିଆଇ)ରେ ଉଲ୍ଲେଖନୀୟ ହ୍ରାସ ଦେଖାଯାଇଛି, ଯାହା ୨୦୨୫-୨୬ରେ ୧.୭%କୁ ପହଞ୍ଚିଛି। ଏହା ଆର୍ଥିକ ସ୍ଥିରତାର ଏକ ସଂକେତ।

ରପ୍ତାନୀରେ ବୃଦ୍ଧି ଓ ସେବା କ୍ଷେତ୍ରର ଯୋଗଦାନ
ବାଣିଜ୍ୟ ବ୍ୟବସାୟରେ ଭାରତ ଏକ ନୂଆ କିର୍ତ୍ତିମାନ ସ୍ଥାପନା କରିଛି। ୨୦୨୫ ଆର୍ଥିକ ବର୍ଷରେ ଦେଶର ମୋଟ ରପ୍ତାନୀ ୮୨୫.୩ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚିଛି। ଜାରି ଆର୍ଥିକ ବର୍ଷ ୨୦୨୬ ପ୍ରଥମ ୬ ମାସରେ ରପ୍ତାନୀ ୪୧୮.୫ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚି ଯାଇଛି। ଏହି ବୃଦ୍ଧିର ମୁଖ୍ୟ କାରଣ ସେବା କ୍ଷେତ୍ରର ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଣ ପେଟ୍ରୋଲିୟମ ତଥା ଅଣ ରତ୍ନ ଆଭୂଷଣ ରପ୍ତାନୀରେ ବୃଦ୍ଧି। ଅନ୍ୟପଟେ ଆମଦାନୀରେ ମଧ୍ୟ ବୃଦ୍ଧି ହୋଇଛି, ଯାହା ୨୦୨୫ ଆର୍ଥିକ ବର୍ଷରେ ୭.୪% ବଢି ୯୧୯.୯ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚି ଯାଇଛି। ଏଣୁ ଟ୍ରେଡ ଡେଫିସିଟ୍ ୯୪.୭ ବିଲିୟନ ଆମେରିକୀୟ ଡଲାରକୁ ପହଞ୍ଚିଛି।

ଆତ୍ମ ନିର୍ଭରତା ଓ ବିଦେଶୀ ନିବେଶ ଉପରେ ଗୁରୁତ୍ୱ
ବଜେଟ ପୂର୍ବରୁ ଜାରି ଏହି ସର୍ଭେକ୍ଷଣରେ ସରକାର ଆତ୍ମନିର୍ଭରଶୀଳତା ଓ ରଣନୈତିକ ମଜଭୁତି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସର୍ଭେରେ କୁହାଯାଇଛି ଯେ ଭାରତକୁ ବାହ୍ୟ ଝଟକାର ମୁକାବିଲା ନିମନ୍ତେ ନିଜର ଘରୋଇ କ୍ଷମତାକୁ ବଢାଇବାକୁ ହେବ, ଯାହାଦ୍ୱାରା ଦେଶ ରଣନୈତିକ ରୂପେ ସୁରକ୍ଷିତ ରହିପାରିବ। ବିଦେଶୀ ନିବେଶ (ଏଫଡିଆଇ) ମଧ୍ୟ ସନ୍ତୋଷଜନକ ରହିଛି। ନୂଆ ପ୍ରୋଜେକ୍ଟ ଓ ଇକ୍ୱିଟି ନିବେଶ କାରଣରୁ ଏଫଡିଆଇର ପ୍ରବାହ ସ୍ଥିର ରହିଛି। ତେବେ ବୈଶ୍ୱିକ ପରିସ୍ଥିତି କାରଣରୁ ପୋର୍ଟଫୋଲିଓ ନିବେଶ ସାମାନ୍ୟ ଉଠପଡ ହୋଇଛି। ମୋଟ ଉପରେ ଏହି ସର୍ଭେ ୧ ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟର ରୂପରେଖ ନିର୍ଦ୍ଧାରଣ କରିବ।