ଡେରାଡୁନ ୧।୮: ଉତ୍ତରାଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୫ର ଫଳାଫଳ ଆସିଯାଇଛି। କ୍ଷମତାସୀନ ବିଜେପି ପୁଣି ଥରେ ନିଜ ରାଜନୈତିକ ବର୍ଚସ୍ୱ ସାବ୍ୟସ୍ତ କରିଛି। ମୋଟ ୩୫୮ ସିଟରୁ ବିଜେପି ସମର୍ଥିତ ପ୍ରାର୍ଥୀମାନେ ୧୨୪ଟିରେ ବିଜୟୀ ହୋଇଛନ୍ତି। କଂଗ୍ରେସ ମେଣ୍ଟ ସମର୍ଥିତ ପ୍ରାର୍ଥୀମାନେ ୯୪ଟି ଆସନ ହାତେଇବାରେ ସଫଳ ହୋଇଛନ୍ତି। ଏହା ଦ୍ୱାରା ଗ୍ରାମୀଣ ସ୍ତରରେ ବିଜେପିର ଚେର ମଜଭୁତ ହୋଇଥିବା ପ୍ରମାଣିତ ହେଉଛି। ତେବେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଫଳାଫଳ କଂଗ୍ରେସ ଲାଗି ଏବେ ସମସ୍ୟା ସୃଷ୍ଟି କରିଛି।
ଉତ୍ତରାଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ସମସ୍ତ ୧୨ଟି ଜିଲ୍ଲାରେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ବିଜେପିର ହିଁ ହେବେ। କାରଣ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ମଧ୍ୟରେ ବିଜେପି ଓ ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ। ଜିଲ୍ଲା ପଞ୍ଚାୟତ ସଦସ୍ୟ ନିର୍ବାଚନରେ ବିଜେପି ପ୍ରାର୍ଥୀ ସିଧାଶଳଖ ୧୦୧ଟି ସିଟ୍ ରେ ବିଜୟୀ ହୋଇଛନ୍ତି। ସେହିପରି ଅନ୍ୟ ୨୩ଟି ସିଟ୍ ରେ ବିଜେପି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।
ଅପରପଟେ କଂଗ୍ରେସର ସିଧାଶଳଖ ୬୪ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ୩୦ଟି ଆସନ ଜିତିଛନ୍ତି। ଏହା ପରେ ବିଜେପି ସବୁ ଜିଲ୍ଲାରେ ପାର୍ଟିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦାବି କରିଛି। ପଞ୍ଚାୟତ ନିର୍ବାଚନରେ ବିଜେପିର ଏପରି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଶ୍ରେୟ ଦିଆଯାଉଛି। ତାଙ୍କର ଲୋକ କଲ୍ୟାଣକାରୀ ଯୋଜନା ବିଜେପିକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଫଳ କରିଛି ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେ କହିଛନ୍ତି ଯେ ସରକାର ବିକାଶ କାର୍ଯ୍ୟରେ ବିଜୟୀ ପ୍ରାର୍ଥୀଙ୍କ ସହ ମିଶି କାମ କରିବେ। ପ୍ରଦେଶର ସବୁ କ୍ଷେତ୍ରକୁ ମଜଭୁତ କରିବା ପାଇଁ ଉଦ୍ୟମ କରାଯିବ। ଗ୍ରାମାଞ୍ଚଳକୁ ବିକାଶର ମୁଖ୍ୟ ଧାରାରେ ଯୋଡିବାରେ ନବ ନିର୍ବାଚିତ ସଦସ୍ୟ ବଡ଼ ଭୂମିକା ନିର୍ବାହ କରିବେ। ସେପଟେ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ସରକାର ଓ ନିର୍ବାଚନ ଆୟୋଗଙ୍କ ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
କଂଗ୍ରେସ ଅଭିଯୋଗ କରିଛି ଯେ ନିର୍ବାଚନରେ ପ୍ରଶାସନିକ ଦଖଲ ଓ ପକ୍ଷପାତପୂର୍ଣ୍ଣ ବ୍ୟବହାର ଯୋଗୁ ନିରପେକ୍ଷତା ପ୍ରଭାବିତ ହୋଇଛି। ପାର୍ଟି ପଞ୍ଚାୟତ ନିର୍ବାଚନରେ ମଧ୍ୟ ସରକାରଙ୍କ ଦଖଲକୁ ନେଇ ଜୋରଦାର ଆକ୍ରମଣ କରିଛି। ଲଗାତାର ଦୁଇଥର ରାଜ୍ୟ କ୍ଷମତାରେ ଅଧିଷ୍ଠିତ ବିଜେପି ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ ନିଜର ସ୍ଥିତିକୁ ମଜଭୁତ କରିଛି। ତେବେ କଂଗ୍ରେସ ପକ୍ଷରୁ ମଧ୍ୟ ଏଥର ନିର୍ବାଚନରେ ମଜଭୁତ ପ୍ରାର୍ଥୀ ଛିଡା କରି ଗ୍ରାମାଞ୍ଚଳରେ ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ପୁଷ୍କର ସିଂହ ଧାମୀ ସରକାରଙ୍କ ନୀତି କାରଣରୁ ବିଜେପି ଓ ପାର୍ଟି ସମର୍ଥିତ ପ୍ରାର୍ଥୀ ବିପକ୍ଷଙ୍କ ଉପରେ ଭାରି ପଡିଛନ୍ତି। କଂଗ୍ରେସକୁ ଏବେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସଙ୍ଗଠନାତ୍ମକ ରଣନୀତି ଓ ଜନତାଙ୍କ ନିକଟତର ହେବା ପାଇଁ ପୁଣି ନୂଆ କରି ମାନସ ମନ୍ଥନ କରିବାକୁ ହେବ।