ଶ୍ରୀନଗର ୧୨।୧୦: ଜମ୍ମୁ-କାଶ୍ମୀର ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୩ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏମାନେ ହେଲେ ଗୁଲାମ ମହମ୍ମଦ ମୀର, ରାକେଶ ମହାଜନ ଓ ସତପାଲ ଶର୍ମା। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ-କାଶ୍ମୀରର ୪ଟି ରାଜ୍ୟ ସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ୩ ଅଲଗା ଅଲଗା ଅଧିସୂଚନା ଜାରି କରିଛନ୍ତି। ତେବେ ବିଧାନସଭାର ସଂଖ୍ୟା ଆଧାରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ୩ଟି ସିଟ୍ ରେ ଆଗ୍ରଣୀ ଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ଅଗ୍ରଣୀ ରହିଛି।

ଏଣୁ ଗୋଟିଏ ଆସନ ପାଇଁ ବିଜେପି ୩ ଜଣଙ୍କୁ ପ୍ରାର୍ଥୀ କରିବା ନିର୍ବାଚନକୁ ଏବେ ପ୍ରତିଦ୍ୱନ୍ଦ୍ୱୀତାମୂଳକ କରିଛି।ଅନୁମାନ କରାଯାଉଛି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ଅନ୍ୟ ଦଳର ବିଧାୟକଙ୍କୁ ମନେଇବା ପାଇଁ ଉଦ୍ୟମ କରିବ। ଏଥିରେ ରାଜ୍ୟସଭା ନିର୍ବାଚନକୁ ନେଇ ଜମ୍ମୁ-କାଶ୍ମୀରରେ ଘୋଡ଼ା ବେପାର ହେବ ବୋଲି ଆକଳନ କରାଯାଉଛି। ଏଣୁ ବିଜେପି ନିଜ ପ୍ରାର୍ଥୀଙ୍କ ନିମନ୍ତେ ବିଧାୟକଙ୍କୁ କିଣିବ ବୋଲି କୁହାଯାଉଛି।

ସେପଟେ ଜମ୍ମୁ-କାଶ୍ମୀରରେ ୨୪ ଅକ୍ଟୋବରରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନିଜ ସଂଖ୍ୟାମତ ଆଧାରରେ ନ୍ୟାସନାଲ କନଫରେନ୍ସ  ୩ ଜଣଙ୍କୁ ପ୍ରାର୍ଥୀ କରିଛି। ସେହିପରି ଚତୁର୍ଥ ସିଟ୍ ପାଇଁ କଂଗ୍ରେସ ସହ ଆଲୋଚନା ଚାଲିଥିବାର କହିଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ଭୋଟ ଦେଇ ସାଂସଦ ନିର୍ବାଚନ କରନ୍ତି। ସଂଖ୍ୟାବଳ ଆଧାରରେ ରାଜ୍ୟସଭା ପ୍ରାର୍ଥୀ ମାନେ ବିଜୟୀ ହୋଇଥାନ୍ତି। ଏଥିରେ ଯଦି ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହୁଏ ତେବେ ଭୋଟ  ଆବଶ୍ୟକତା ପଡିଥାଏ। ନଚେତ ବିଧାୟକଙ୍କ ସଂଖ୍ୟା ହିସାବରେ ପ୍ରାର୍ଥୀ ରାଜ୍ୟସଭାକୁ ଆପେ ଆପେ ନିର୍ବାଚିତ ହୋଇଥାନ୍ତି।