ଭୁବନେଶ୍ୱର ୧୮/୦୩: ସରିଛି ରାଜ୍ୟସଭା ନିର୍ବାଚନ । ହେଲେ ସରିନି ରାଜ୍ୟସଭା ତାତି । ଦୁଇଦିନ ପରେ ବି ଥମିନି ଚର୍ଚ୍ଚା । ଖାସ୍ କରି ହୋଇଥିବା ଘୋଡାବେପାରକୁ ନେଇ ତେଜିଛି ରାଜନୀତି । ଏହି ପରିପ୍ରେକ୍ଷୀରେ ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର ।

ସେ କହିଛନ୍ତି କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି ଅଛି, ଆଦର୍ଶ, ସିଦ୍ଧାନ୍ତ ଅଛି । ଏହା ବିରୋଧରେ ଯିଏ ଯାଏ, ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ହୁଏତ ବିଶୃଙ୍ଖଳା ବଢୁଛି, ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ।

also read..

​​​​​​​Assembly : ‘ରାମ ନାମ ସତ୍ୟ ହେ’ରେ କମ୍ପିଲା ବିଧାନସଭା, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଗତକାଲିର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍ରେ ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଛି।​​​​​​​

ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ନୋଟିସ୍ ଜାରି ହୋଇଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି।