News7 Logo

ଉପରାଷ୍ଟ୍ରପତି ନିର୍ବାଚନ: ଉପସ୍ଥିତ ରହିବନି କି ଭୋଟ ଦେବନି ବିଜେଡି

NEWS7
bjd

ଭୁବନେଶ୍ୱର ୦୮/୦୯: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ସାମ୍ନାକୁ ଆସିଛି ବଡ ଅପଡେଟ୍ । ଉପରାଷ୍ଟ୍ରପତି ନିର୍ବାଚନରେ ଉପସ୍ଥିତ ରହିବନି ବିଜେଡି । ଭୋଟିଂ ବେଳେ ଅନୁପସ୍ଥିତ ରହିବ ବିଜୁ ଜନତା ଦଳ । ତେବେ ଭୋଟ୍ ପ୍ରକିୟାରୁ ସଂପୂର୍ଣ୍ଣ ଓହରିଛି ବିଜୁ ଜନତା ଦଳ । ଦିଲ୍ଲୀରେ ସାଂସଦଙ୍କ ବୈଠକ ପରେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟସଭାରେ ବିଜେଡିର ଅଛନ୍ତି ୭ ସାଂସଦ । ଏମାନେ ସମସ୍ତେ ଅନୁପସ୍ଥିତ ରହିବା ନେଇ ସୂଚନା ମିଳିଛି ।  

ସୂଚନା ଥାଉକି , ଗତ କିଛିଦିନ ଧରି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ଚାଲିଥିଲା ଚର୍ଚ୍ଚା । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଯେଉଁଥିରେ ଏନଡିଏ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିରୋଧୀ ମେଣ୍ଟ ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ତେବେ ଗଲା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା, ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଜଣାଇବ? ଆଉ ଶେଷରେ ବିଜେଡି ଏହି ନିର୍ବାଚନରେ ଭାଗ ନେବନି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏମିତି ବି ଶୁଣିବାକୁ ମିଳିଥିଲା ଯେ, ‘ଠିକଣା ସମୟରେ’ ନବୀନ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ।  
ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ବିଜେଡି ଯଦି ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେଉଁଠି ନା କେଉଁଠି ବିଜେଡି-ବିଜେପି ଏକ ବୋଲି କଥା ଉଠିଥାନ୍ତା । ଏହାସହ ଯଦି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେନ୍ଦ୍ରର ମୋଦୀ ସରକାରର ଟାର୍ଗେଟରେ ରହିଥାନ୍ତା । ହେଲେ ଏ ଦୁଇଟି ଯାକ କଥାକୁ ଛାଡ଼ି ବିଜେଡି ଏବେ ତୃତୀୟ ରାସ୍ତା ବାଛିଛି । ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ନିରବ ରହିବା ସହିତ ଭୋଟ୍ ଦାନ ପ୍ରକ୍ରିୟାରୁ ବିରତ ରହିବ ବୋଲି ସୂଚନା ରହିଛି ।