ପାଟନା, ୧୭|୧୧: ଇସ୍ତଫା ଦେଲେ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ ଇସ୍ତଫା ଦେଇଥିବା ନେଇ ଜଣାପଡିଛି । ଶପଥ ଗ୍ରହଣ ପୂର୍ବରୁ ସେ ପଦ ଛାଡିଥିବା କହିଛନ୍ତି । ୨୦ ତାରିଖରେ ଶପଥ ଗ୍ରହଣ ଥିବାରୁ ୧୯ ତାରିଖରେ ବିହାର ବିଧାନସଭା ଭଙ୍ଗ କରାଯିବ । ବିଜେପିର ବିଧାୟକ ଦଳ ବୈଠକ ମଧ୍ୟ ୧୯ ତାରିଖରେ ବସିବ । 

ସୋମବାର ବିହାର ସରକାରର ଶେଷ କ୍ୟାବିନେଟ ବୈଠକ ଥିଲା । ଏଥିରେ ବିଧାନସଭା ଭଙ୍ଗ ନେଇ ପ୍ରସ୍ତାବ ପାରିତ ହୋଇଛି । ଯାହା ଆଧାରରେ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାପରେ ନଭେମ୍ବର ୧୯ରେ ରାଜ୍ୟ ବିଧାନସଭାକୁ ରାଜ୍ୟପାଳ ଭଙ୍ଗ କରିବେ ।

ବିହାର ବିଧାନସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନୂତନ NDA ସରକାରଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୦ ତାରିଖରେ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ତେବେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ଗାନ୍ଧୀ ମୈଦାନରେ ଏଥିପାଇଁ ଚାଲିଛି ସମାରୋହର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ସେଥିପାଇଁ ୨୦ ତାରିଖ ପର୍ଯ୍ୟନ୍ତ ବିହାର ଗାନ୍ଧୀ ମୈଦାନକୁ ବନ୍ଦ ରଖିଛି ପ୍ରଶାସନ ।

ସୂଚନାଯୋଗ୍ୟ, ନୂଆ ସରକାର ଗଠନ ପୂର୍ବରୁ ସୋମବାର କ୍ୟାବିନେଟ ବୈଠକ ଡାକିଥିଲେ ନୀତିଶ କୁମାର । ସକାଳ ସାଢେ ୧୧ଟାରେ ବୈଠକ ଅନୁଷ୍ଠିତ ହୋଇଥିଲା।