LIVE TV

ବିହାର ବିଜେପିରେ ଜାତିକୁ ନେଇ ଖେଳ ! ଯାଦବଙ୍କୁ କରି ଦିଆଯାଇଇଛି ‘ସାଇଡଲାଇନ’

NEWS7
BJP

ପାଟନା ୧୬।୧୦:  ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ଭାରତୀୟ ଜନତା ପାର୍ଟି (ବିଜେପି) ତା ଭାଗର ସମସ୍ତ ୧୦୧ ଆସନ ନିମନ୍ତେ ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ଏଥିରେ ବିଜେପି ଅନେକ ବର୍ତ୍ତମାନ ସିଟ୍ ର ବିଧାୟକଙ୍କ ଟିକେଟ୍ କାଟି ଦେଇଛି। ଯାହାକୁ ନେଇ ଦଳରେ ଏବେ ଆଭ୍ୟନ୍ତରଣ ଅସନ୍ତୋଷ ଦେଖା ଦେଇଛି। ଔରାଇ ବିଧାୟକ ରାମସୂରତ ଯାଦବଙ୍କ ଟିକେଟ୍ ମଧ୍ୟ ବିଜେପି କାଟି ଦେଇଛି। ଟିକେଟ କଟିବାରୁ ଦୁଃଖି ରାମସୂରତ ବିଦ୍ରୋହୀ ହୋଇପଡିଛନ୍ତି।

ରାମସୂରତ ଏବେ ବିଜେପି ଉପରେ ଜାତିଆଣ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ପାର୍ଟି ତାଙ୍କ ଟିକେଟ୍ ଏଥି ପାଇଁ କାଟିଛି ଯେହେତୁ ସେ ଯାଦବ ବିରାଦରୀର। ରାମ ସୂରତ ଏକ ଗଣମାଧ୍ୟମ ସାକ୍ଷାତକାରରେ ସବୁ ଯାଦବ ନେତାଙ୍କ ନାମ ଗଣାଇଛନ୍ତି ବିଜେପିରୁ ଯେଉଁମାନଙ୍କ ଟିକେଟ୍ କଟିଛି। ସେ କହିଛନ୍ତି ଯେ ପବନ ଯାଦବ, ପ୍ରଣବ ଯାଦବ, ନନ୍ଦକିଶୋର ଯାଦବ, ରାମସୂରତ ଯାଦବ, ମିଶ୍ରିଲାଲ ଯାଦବ, ଓମପ୍ରକାଶ ଯାଦବ ଓ ପ୍ରହ୍ଲାଦ ଯାଦବଙ୍କୁ ବିଜେପି ଏଥର ଟିକେଟ୍ ଦେଇ ନାହିଁ। ରାମ ସୂରତ କହିଛନ୍ତି ଯେ ଏତେ ସବୁ ଯାଦବଙ୍କ ଟିକେଟ୍ କାଟି ବିଜେପି ଏହି ବାର୍ତ୍ତା ଦେଇଛି ଯେ ଏବେ ସେ ବିନା ଯାଦବରେ ମଧ୍ୟ ନିର୍ବାଚନ ଜିତି ପାରିବ। ଦଳରୁ ପ୍ରଥମେ ମୁସଲମାନଙ୍କୁ ହଟା ଗଲା ଏବେ ଯାଦବଙ୍କୁ ସାଇଡ ଲାଇନ କରାଯାଉଛି ବୋଲି ରାମସୂରତ ଅଭିଯୋଗ କରିଛନ୍ତି।

ବିଜେପି ଆଗାମୀ ନିର୍ବାଚନ ପାଇଁ ମାତ୍ର ୬ ଜଣ ଯାଦବଙ୍କୁ ଟିକେଟ୍ ଦେଇଛି। ପ୍ରଥମ ତାଲିକାରେ ୪ ଜଣ ଯାଦବଙ୍କ ନାମ ଥିଲା ଦ୍ୱିତୀୟ ତାଲିକାରେ ଜଣେ ବି ଯାଦବଙ୍କ ନାମ ନଥିବା ବେଳେ ତୃତୀୟ ତାଲିକାରେ କେବଳ ଦୁଇ ଜଣ ଯାଦବ ପ୍ରାର୍ଥୀଙ୍କ ନାମ ରହିଛି। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୧୫ ଜଣ ଯାଦବଙ୍କୁ ଟିକେଟ୍ ଦେଇଥିଲା। ଏହା ପୂର୍ବ ନିର୍ବାଚନରେ ସର୍ବାଧିକ ୨୨ ଜଣ ଯାଦବଙ୍କୁ ନିର୍ବାଚନ ଲଢିବାର ଅବସର ପ୍ରଦାନ କରାଯାଇଥିଲା। ତେବେ ଏଥର ଟିକେଟ ବଣ୍ଟା ଯିବାରେ ଯାହା ସବୁଠୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା ତାହା ହେଉଛି ୭ ଥରର ବିଧାୟକ ନନ୍ଦ କିଶୋର ଯାଦବକୁ ଟିକେଟ୍ ଦିଆ ନଯିବା।

୭୨ ବର୍ଷ ବୟଷ୍କ ନନ୍ଦ କିଶୋର ଯାଦବ ପ୍ରଥମ ଥର ୧୯୯୫ ମସିହାରେ ପୂର୍ବ ପାଟନାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ମୁଙ୍ଗେର  ବିଧାୟକ ପ୍ରଣବ ଯାଦବଙ୍କ କଥା କହିଲେ ତାଙ୍କ ଟିକେଟ୍ ମଧ୍ୟ ବିଜେପି କାଟିଛି। କୁହାଯାଉଛି ପାର୍ଟି ଏହି ଆସନରୁ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି। ସେହିପରି କହଲଗାଁ ବିଧାୟକ ପବନ ଯାଦବଙ୍କୁ ମଧ୍ୟ ସାଇଡ କରିଦିଆଯାଇଛି। କାରଣ ମେଣ୍ଟରେ ଏହି ଆସନ ଏଥର ଜେଡିୟୁ ହାତକୁ ଚାଲି ଯାଇଛି। ଏହି ସିଟ୍ ରୁ ଜେଡିୟୁ ଶୁଭାନନ୍ଦ ମୁକେଶଙ୍କୁ ପ୍ରାର୍ଥୀ କରିଛି। ତେବେ ସବୁଠୁ ମଜାଦାର କଥା ଯାହା ତାହା ହେଉଛି ୨୦୨୦ ବିଧାନସଭା ନିର୍ବାଚନରେ ଏହି ଆସନରେ ପବନ ଯାଦବ ଶୁଭାନନ୍ଦଙ୍କୁ ହରାଇଥିଲେ।

ସେହିପରି ପ୍ରହଲାଦ ଯାଦବଙ୍କୁ ଏଥର ବଡ଼ ଝଟକା ଲାଗିଛି। କାରଣ ତାଙ୍କ ସୂର୍ଯ୍ୟଗଡ଼ ସିଟ୍ ଏଥର ଜେଡିୟୁ ଖାତାକୁ ଚାଲି ଯାଇଛି। ୨୦୨୦ରେ ପ୍ରହଲାଦ ଯାଦବ ଏହି ଆସନରୁ ଆରଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ହେଲେ ନିର୍ବାଚନ ଜିତିବା ପରେ ସେ ପାର୍ଟି ବଦଳେଇ ଦେଇଥିଲେ ଓ ଏନଡିଏରେ ଯୋଗ ଦେଇଥିଲେ। ଟିକେଟ କଟିବା ପରେ ସେ ଏବେ ନିରାଶ ହୋଇପଡିଛନ୍ତି। ଜେଡିୟୁର ଲଲନ ସିଂହଙ୍କୁ ତାଙ୍କର ଘୋର ବିରୋଧୀ କୁହାଯାଏ। ଏଣୁ ପ୍ରହଲାଦଙ୍କ ଟିକେଟ୍ ରେ ସେ ବାଧା ହୋଇ ଥାଇ ପାରନ୍ତି ବୋଲି ଏବେ ସେ ଆଶଙ୍କା କରୁଛନ୍ତି।