News7 Logo

ଭାରତ ଉପରେ ଟାରିଫ ଲଗାଇବା ଯୋଗୁ ଦୁଇ ଦେଶର ସମ୍ପର୍କ ଖରାପ ହୋଇଛି: ଡୋନାଲ୍ଡ ଟ୍ରମ୍ପ

NEWS7
impose tariffs on India, causes rift with them says Trump

ୱାଶିଂଟନ: ଭାରତ ଉପରେ ଟାରିଫ ଲଗାଇ ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟକ୍ଷରେ ସ୍ୱୀକାର କରୁନ ଥିଲେ ବି ପରୋକ୍ଷରେ ପଶ୍ଚାତାପ କରୁଛନ୍ତି। ଏଥିପାଇଁ ଭାରତ ପ୍ରତି ତାଙ୍କ ସ୍ୱର ବଦଳିଛି। ପୁଣିଥରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ ରୁଷୀୟ ତେଲ କ୍ରୟ ପାଇଁ ଭାରତ ଉପରେ ଶୁଳ୍କ ଲଗାଇବା ଏକ ସହଜ କାମ ନୁହେଁ। କାରଣ ଏହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରେ

ଶୁକ୍ରବାର ଫକ୍ସ ନ୍ୟୁଜର ଏକ ଟିଭି ଶୋ ଫକ୍ସ ଆଣ୍ଡ ଫ୍ରେଣ୍ଡସ୍‌କୁ ସାକ୍ଷାତକାର ଦେଇ ଟ୍ରମ୍ପ ଏପରି କହିଛନ୍ତି। ଏହି ଶୋରେ ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ କେଉଁ କଟକଣାସବୁ ଲଗାଇବା ଆବଶ୍ୟକ। ଏହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି "ଦେଖନ୍ତୁ, ଭାରତ ସେମାନଙ୍କର ସବୁଠାରୁ ବଡ଼ ଗ୍ରାହକ ଥିଲା। ମୁଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲି। କାରଣ ସେମାନେ ରୁଷରୁ ତେଲ କିଣୁଛନ୍ତି। ଏହା କରିବା ଏକ ସହଜ କାମ ନୁହେଁ। ଏହା ଏକ ବଡ଼ କଥା, ଏବଂ ଏଥିପାଇଁ ଭାରତ ସହ ସମ୍ପର୍କରେ ଏକ ଫାଟ ସୃଷ୍ଟି ହୋଇଛି। ମୁଁ ପୂର୍ବରୁ ହିଁ ଏହା କରିସାରିଛି। ଏଥିପାଇଁ ମୁଁ ବହୁତ କିଛି କରିସାରିଛି। ତେବେ ମନେରଖନ୍ତୁ ଯେ ଏଥିରେ ଆମ ସମସ୍ୟା ଅପେକ୍ଷା ୟୁରୋପର ସମସ୍ୟା ବହୁତ ଅଧିକ ରହିଛି।"

ଭାରତ ସହିତ ଟାରିଫ ଲଗାଇ ବଳିଆର ଦେଖାଉଥିବା ଟ୍ରମ୍ପ ପୁଣିଥରେ ନିଜର ବଢ଼ିଆଣ ଦେଖାଇଥିଲେ। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ସେ ବିଶ୍ୱରେ ଏକାଧିକ ବିବାଦର ସମାଧାନ କରିଥିବା କଥା ଦୋହରାଇଥିଲେ। ଟ୍ରମ୍ପ କହିଥିଲେ ମୁଁ ୭ଟି ଯୁଦ୍ଧ ସମାଧାନ କରିଛି। ଏମିତିକି ମୁଁ ପାକିସ୍ତାନ ଓ ଭାରତ ସମେତ ଅନେକ ଯୁଦ୍ଧ ରୋକିଛି. କଙ୍ଗୋ ଏବଂ ରୱାଣ୍ଡା ମଧ୍ୟରେ ଯୁଦ୍ଧ ୩୧ ବର୍ଷ ଧରି ଚାଲିଥିଲା। ଲକ୍ଷ ଲକ୍ଷ ଲୋକ ମାରିଥିଲେ। ମୁଁ ଏହାକୁ ଶେଷ କରିଛି। ମୁଁ ଏପରି ଏକ ଯୁଦ୍ଧର ସମାଧାନ କରିଛି ଯାହା ଅସମ୍ଭବ ଥିଲା।

ଏହା ପୂର୍ବରୁ ଆମେରିକା ବାଣିଜ୍ୟମନ୍ତ୍ରୀ ହାୱର୍ଡ ଲୁଟନିକ ମଧ୍ୟ ଭାରତ ବିରୋଧରେ ସ୍ୱର ନରମ କରିଥିଲେ। ତେବେ ଯେପର୍ଯ୍ୟନ୍ତ ଭାରତ ଋଷ ଠାରୁ ତେଲ କିଣିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ କିଛି ଡିଲ୍ ହୋଇପାରିବ ନାହିଁ ବୋଲି କହିଥିଲେ।