News7 Logo

ମଣିପୁରକୁ ଫେରିବ ଶାନ୍ତି ! କେନ୍ଦ୍ର ସହ ଆଲୋଚନା ପରେ NH-୨ ଖୋଲିବାକୁ ରାଜି ହେଲା କୁକି-ଜୋ ପରିଷଦ

NEWS7
NH 2

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଣିପୁର ଗସ୍ତ ନେଇ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମନକୁ ଆସୁଛି । ମଣିପୁରର ଜୀବନ ରେଖା କୁହାଯାଉଥିବା ରାଷ୍ଟ୍ରୀୟ ରାଜମାର୍ଗ ୨କୁ ଖୋଲିବା ପାଇଁ ସହମତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ସହ କୁକି-ଜୋ ପରିଷଦର ଦୀର୍ଘ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ଏହି ଏନ୍‌ଏଚ୍ ଦେଇ ଲୋକଙ୍କ ଯିବାଆସିବା ଓ ଜରୁରି ସାମଗ୍ରୀର ପରିବହନ ବିନା କୌଣସି ବାଧାରେ ସମ୍ଭବ ହୋଇପାରିବ ।

ଏହି ପଦକ୍ଷେପ ମଣିପୁରରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଦେଖାଯାଉଛି । ଗତ ଅନେକ ମାସ ଧରି ମଣିପୁରରେ ମୈତେଇ ଓ କୁକି-ଜୋ ସମୁଦାୟ ମଧ୍ୟରେ ଉତ୍ତେଜନା କାରଣରୁ ଏହି ରାଷ୍ଟ୍ରୀୟ ରାଜମାର୍ଗ ବନ୍ଦ ଥିଲା । ଏହି କାରଣରୁ ଜରୁରି ସାମାଗ୍ରୀର ଯୋଗାଣ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକ ମଧ୍ୟ ବହୁ ଅସୁବିଧାର ସାମନା କରୁଥିଲେ । ଏବେ କୁକି-ଜୋ ପରିଷଦ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହି ରାସ୍ତା ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହି ନିଷ୍ପତ୍ତି ପରେ ମଣିପୁରବାସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

କୁକି-ଜୋ ପରିଷଦ ଓ ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଅନେକ ସ୍ତରୀୟ ଆଲୋଚନା ହୋଇଛି । ମଣିପୁରରେ ଉତ୍ତେଜନାକୁ ହ୍ରାସ କରିବା ଓ ଜରୁରି ସାମଗ୍ରୀର ଯୋଗାଣକୁ ପୁଣି ଆରମ୍ଭ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା । ଗୃହ ମନ୍ତ୍ରଣାଳୟ ଏକ ବୟାନରେ କହିଛି, କୁକି-ଜୋ କାଉନସିଲ୍ ଭାରତ ସରକାରଙ୍କ ଦ୍ୱାରା ମୁତୟନ ସୁରକ୍ଷା ବଳଙ୍କ ସହ ମିଶି ଏନ୍‌ଏଚ୍-୨ରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛି ।

ଏହା ସହ ଗୃହ ମନ୍ତ୍ରଣାଳୟ, ମଣିପୁର ସରକାର ଓ କୁକି ନ୍ୟାସନାଲ୍ ଅର୍ଗାନାଇଜେସନ (କେଏନଓ) ଏବଂ ୟୁନାଇଟେଡ୍ ପିପୁଲ୍ସ ଫ୍ରଣ୍ଟ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଧାମଣା ହୋଇଛି । ଏହି ବୁଝାମଣାକୁ ସସ୍ପେନସନ୍ ଅଫ୍ ଅପରେସନ (SoO) କୁହାଯାଇଛି । ଏଥିରେ ନୂଆ ନିୟମ ଓ ସର୍ତ୍ତ ସ୍ଥିର କରାଯାଇଛି । ଆଗାମୀ ଏକ ବର୍ଷ ଯାଏ ଏହି ବୁଝାମଣା ଲାଗୁ ହେବ । ଏଥିରେ ମଣିପୁରରେ କ୍ଷେତ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ଓ ଶାନ୍ତି ପାଇଁ ଆଲୋଚନା ଜରିଆରେ ସମାଧାନ ବାହାର କରିବା ଉପରେ ଜୋର ଦିଆଯାଇଛି । କେଏନଓ ଓ ୟୁପିଏଫ୍ ନିଜର ସାତ କ୍ୟାମ୍ପକୁ ସଂଘର୍ଷ ଅଞ୍ଚଳରୁ ହଟାଇବା, ହତିଆର ଜମା କରିବା ଓ ବିଦେଶୀ ନାଗରିକଙ୍କ ତଦନ୍ତରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି ।