Iran war: ଜାପାନ ଖୋଲିଲା ରଣନୈତିକ ତୈଳ ଭଣ୍ଡାର, ୪୫ ଦିନ ଚାଲିବ ଦେଶ

NEWS7
bhadrak-dhamnagar-bielection-campigning-by-three-main-political-parties-ended-today

  • ଜାପାନ ଏନର୍ଜୀ ମାର୍କେଟକୁ ସ୍ଥିର ରଖିବା ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି
  • ରଣନୈତିକ ତୈଳ ଭଣ୍ଡାରର ଗୋଟିଏ ଅଂଶ ଜାରି କରିଛି
  • ଏପରି କରିବାରେ ଜାପାନ ଜି-୭ ଦେଶଙ୍କ ମଧ୍ୟରେ ପ୍ରଥମ ଦେଶ ପାଲଟିଛି

ଟୋକିଓ ୧୧।୩: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଜାପାନ ଏନର୍ଜୀ ମାର୍କେଟକୁ ସ୍ଥିର ରଖିବା ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି। ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ ବୁଧବାର ଜାପାନ ରଣନୈତିକ ତୈଳ ଭଣ୍ଡାରର ଗୋଟିଏ ଅଂଶ ଜାରି କରିଛନ୍ତି। ଏପରି କରିବାରେ ଜାପାନ ଜି-୭ ଦେଶଙ୍କ ମଧ୍ୟରେ ପ୍ରଥମ ଦେଶ ପାଲଟିଛି। ପ୍ରଧାନମନ୍ତ୍ରୀ ତାକାଇଚୀ ଟୋକିଓରେ କହିଛନ୍ତି ଯେ ଜାପାନ ମାର୍ଚ୍ଚ ୧୬ ତାରିଖରୁ ଘରୋଇ କ୍ଷେତ୍ରର ତୈଳ ଭଣ୍ଡାରରୁ ୧୫ ଦିନର ଖର୍ଚ୍ଚ ଭଳି ଓ ସରକାରୀ ତୈଳ ଭଣ୍ଡାରରୁ ଏକ ମାସର ଖର୍ଚ୍ଚ ଭଳି ତୈଳ ବଜାରକୁ ଛାଡିବାକୁ ଯୋଜନା କରୁଛନ୍ତି।

ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଉପସାଗରୀୟ କ୍ଷେତ୍ରରେ ଜାରି ଇରାନ-ଇସ୍ରାଏଲ ଯୁଦ୍ଧ କାରଣରୁ ଯୋଗାଣରେ ବାଧା ଓ ମୂଲ୍ୟରେ ହେଉଥିବା ପଡ ଉଠକୁ କମ କରିବା। କ୍ରୁଡ ଅଏଲ ପାଇଁ ଜାପାନ ମଧ୍ୟପ୍ରାଚ୍ୟ ଦେଶଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଇରାନ ଯୁଦ୍ଧ ଓ ହରମୁଜ ପ୍ରଣାଳୀରେ ଉତ୍ତେଜନା କାରଣରୁ ଅଶୋଧିତ ତୈଳ ଯୋଗାଣ ଉପରେ ବିପଦର ବାଦଲ ଢାଙ୍କି ହୋଇ ରହିଛି। ଏହି କାରଣରୁ ଜାପାନ ଏବେ ଏପରି ପଦକ୍ଷେପ ନେଇଛି।

ଜାପାନର ଏହି ନିଷ୍ପତ୍ତି ପ୍ରମୁଖ ଏନର୍ଜୀ ଉପଭୋକ୍ତା ଦେଶଙ୍କ ମଧ୍ୟରେ ହୋଇଥିବା ଚର୍ଚ୍ଚା ପରେ ସାମ୍ନାକୁ ଆସିଛି। ତେବେ ଭାରତ ଏ ପର୍ଯ୍ୟନ୍ତ ତାର ରଣନୈତିକ ଭଣ୍ଡାରକୁ ନ ଛୁଇଁବା ନୀତିରେ ଚାଲିଛି। ହେଲେ ଜାପାନ ବଜାରକୁ ଅତିରିକ୍ତ ତୈଳ ଛାଡି ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ବଡ଼ ନିଷ୍ପତ୍ତି ନେଇଛି। ତେବେ ଅନ୍ୟ ଜି-୭ ଦେଶମାନେ ଜାପାନ ରାସ୍ତା ଆପଣାଉଛନ୍ତି କି ବଜାରରେ ଉଠାପକା ହେଉଥିବା ତୈଳ ଦରରେ ନିଜ ଆବଶ୍ୟକତା ପୂରଣ କରୁଛନ୍ତି ତାହା ଦେଖିବାକୁ ରହିଲା।

ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳ ଜାପାନର ସରକାରୀ ଭଣ୍ଡାରରେ ପାଖାପାଖି ୨୬୦ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଗଛିତ ଅଛି। ଏଥିରେ ଯଦି ସାରା ଦେଶର ତୈଳ ମହଜୁଦ ଆକଳନ କରାଯାଏ ତେବେ ପାଖାପାଖି ୪୭୦ ମିଲିୟନ ବ୍ୟାରଲରୁ ବି ଅଧିକ ତୈଳ ଗଛିତ ଅଛି। ଦେଶର ସରକାରୀ ଭଣ୍ଡାର ଏକାକୀ ୧୪୬ ଦିନର ଆମଦାନୀକୁ ପୁରଣ କରୁଛି। ସେହିପରି ଘରୋଇ କମ୍ପାନୀମାନେ ୯୦ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ସହିତ ୧୮୦ ମିଲିୟନ ବ୍ୟାରଲ ଇନ୍ଧନ ଭଣ୍ଡାର ରଖିଛନ୍ତି।

Also Read..
​​​​​​​ଚୀନ୍, ଜାପାନ, ଆମେରିକା ଭଳି ଦେଶ କେତେ ତୈଳ ରଖିଛନ୍ତି ଗଛିତ, ଭାରତରେ ଆଉ କେତେ ଦିନ ଚାଲିବ?