ଗୁଣୁପୁର: ‘ବାଃ ବାଃ କେମିତି ମଜା, ଭାଲୁ ନାଚ କରେ ବଜାଇ ବାଜା।’ ପିଲାଦିନେ ବହିରେ ଏ ଉକ୍ତିଟି ନିଶ୍ଚୟ ପଢ଼ିଥିବେ। ଉକ୍ତିଟି ଶୁଣିବାକୁ ବେଶ୍ କୌତୁକିଆ ନିଶ୍ଚୟ । ହେଲେ କଥାଟି କିନ୍ତୁ କାଳ୍ପନିକ। ତେବେ ଉକ୍ତିଟି କାଳ୍ପନିକ ହେଉ ପଛେ, ଭାଲୁ କିନ୍ତୁ ବେଶ୍ କୌତୁକିଆ। ଯାହା ଏ ଭିଡିଓରେ ଦେଖିବାକୁ ମିଳୁଛି। କାରଣ ଏଠି ଭାଲୁ ଆସି ଲୋକଙ୍କ ଠାରୁ ଖାଦ୍ୟ ଖାଉଛି। ସେ କାହାକୁ କ୍ଷତି ପହଞ୍ଚାଉନାହିଁ କି’ କେହି ତାକୁ ବି ଘଉଡ଼ାଉନାହାନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ମରିଚଗୁଡ଼ା ଗାଁରେ।

ସୂଚନା ଅନୁସାରେ, ଗାଁର ଉପର ମୁଣ୍ଡରେ ଥିବା ମାତାର ବନାମ ମନ୍ଦିର ନିକଟକୁ ଦୁଇଟି ଭାଲୁ କିଛି ଦିନ ହେବ ଆସୁଛନ୍ତି। ସନ୍ଧ୍ୟାରେ ଆସି ପୁଣି ସକାଳୁ ଜଙ୍ଗଲକୁ ଚାଲିଯାଉଛନ୍ତି। ଆଉ ଏହି ସମୟରେ ସେମାନେ ଲୋକଙ୍କ ଠାରୁ ଖାଦ୍ୟ ମଧ୍ୟ ଖାଉଛନ୍ତି। ନଡ଼ିଆ, କଦଳୀ ଓ ବିସ୍କୁଟ ଯିଏ ଯାହା ଦେଲା ତାକୁ ଖାଉଛନ୍ତି।

ସେପଟେ ଏହି କୌତୁକିଆ ଦୃଶ୍ୟ ଦେଖିବାକୁ ଗାଁ ଲୋକେ ମଧ୍ୟ ବେଶ୍ କିଛି ସମୟ ସେଠାରେ ବିତାଉବା ସହ ଏ ଦୃଶ୍ୟର ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ବଡ଼ କଥା ହେଲା ଏହି ଭାଲୁ କାହାକୁ କ୍ଷତି ପହଞ୍ଚାଉନାହାଁନ୍ତି । ଲୋକେ ମଧ୍ୟ ଭାଲୁର କୌଣସି କ୍ଷତି କରୁନାହାଁନ୍ତି।ତେବେ ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା ଲୋକଙ୍କ ପକ୍ଷରୁ ଜଣାପଡ଼ିଛି।